ଲଞ୍ଚ ହେବାକୁ ଯାଉଛି ବିଶ୍ୱର ପ୍ରଥମ କମର୍ସିଆଲ ସ୍ପେସ୍ ଷ୍ଟେସନ୍ Haven-1, ଭାଇରାଲ ହେଉଛି ଭିଡିଓ

ମହାକାଶ ସର୍ବଦା ମଣିଷମାନଙ୍କ ପାଇଁ ଏକ କୌତୁହଳର ବିଷୟ ହୋଇରହିଛି । ପ୍ରାଚୀନ ସମୟରେ ମହାକାଶ ସହ ଜଡ଼ିତ ଥିବା ରହସ୍ୟ ବିଷୟରେ ଜାଣିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା କିନ୍ତୁ ସେହି ସମୟରେ ମହାକାଶକୁ ଯିବା ସମ୍ଭବ ନଥିଲା । କିନ୍ତୁ ଆଜିକାଲିର ଆଧୁନିକ ଯୁଗରେ ମହାକାଶ ଯାତ୍ରା ଧୀରେ ଧୀରେ ସହଜ ହେବାରେ ଲାଗିଛି । ବର୍ତ୍ତମାନ ମହାକାଶ ଯାତ୍ରା କରିବା ପାଇଁ ମହାକାଶ ଯାତ୍ରୀଙ୍କର ବିଶେଷ ଦକ୍ଷତା ଥିବା ଜରୁରୀ ନୁହେଁ । ଯେଉଁ ବ୍ୟକ୍ତି ନିଜ ମହାକାଶ ଯାତ୍ରାର ଖର୍ଚ୍ଚ ଉଠାଇବାରେ ସମର୍ଥ ହୋଇଥିବେ ସେ ମହାକାଶ ଯାତ୍ରା କରିପାରିବେ । ନିକଟରେ ଦୁନିଆର ପ୍ରଥମ କମର୍ସିୟାଲ ସ୍ପେସ୍ ମିଶନ୍ ଆରମ୍ଭ କରାଯାଇଥିଲା, ଯାହା ସଫଳ ମଧ୍ୟ ହୋଇଥିଲା ।

ବର୍ତ୍ତମାନ, ମହାକାଶରେ ଥିବା ଏକମାତ୍ର ସ୍ପେସ୍ ଷ୍ଟେସନ୍ ହେଉଛି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍, ଯାହା ଆମେରିକୀୟ ସ୍ପେସ୍ ଏଜେନ୍ସି ଏବଂ ସହଯୋଗୀ ଏଜେନ୍ସି ଦ୍ୱାରା ମିଳିତ ଭାବରେ ନିର୍ମିତ । କିନ୍ତୁ ଏବେ ବିଶ୍ୱର ଅନେକ କମ୍ପାନୀ ନୂତନ ସ୍ପେସ୍ ଷ୍ଟେସନ୍ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏବେ ଏହି ତାଲିକାରେ VAST ଏରୋସ୍ପେସ୍ କମ୍ପାନୀର ନାମ ମଧ୍ୟ ସାମିଲ ହୋଇଛି, ଯାହା ନିଜର କମର୍ସିଆଲ ତଥା ବିଳାସପୂର୍ଣ୍ଣ ସ୍ପେସ୍ ଷ୍ଟେସନ୍ Haven-1 ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି ।

ସୂଚନା ଅନୁଯାୟୀ, ଏହା ବିଶ୍ୱର ପ୍ରଥମ କମର୍ସିଆଲ ସ୍ପେସ୍ ଷ୍ଟେସନ ହେବାକୁ ଯାଉଛି, ଯେଉଁଠାରେ ସାଧାରଣ ଲୋକମାନେ ମଧ୍ୟ ରହିପାରିବେ ଏବଂ ଅନ୍ତରିକ୍ଷର ଏକ ଅଦ୍ଭୁତ ଅନୁଭୂତି ପାଇପାରିବେ । କମ୍ପାନୀ ୨୦୨୫ ମସିହାରେ ଏହାର ସ୍ପେସ୍ ଷ୍ଟେସନ୍ Haven-1 ଲଞ୍ଚ କରିବ ବୋଲି ଦାବି କରୁଛି । କମ୍ପାନୀ ଏହାର X ହ୍ୟାଣ୍ଡେଲରେ ସ୍ପେସ୍ ଷ୍ଟେସନର ଫାଇନାଲ୍ ଡିଜାଇନ୍ ମଧ୍ୟ ସେୟାର କରିଛି । VAST ର ଏହି ସ୍ପେସ୍ ଷ୍ଟେସନ୍ ର ଇଣ୍ଟେରିୟର ବହୁତ ବିଳାସପୂର୍ଣ୍ଣ ଦେଖାଯାଉଛି । କମ୍ପାନୀ ଏହାର ଏକ ଭିଡିଓ ଏବଂ କିଛି ଫଟୋ ମଧ୍ୟ ପ୍ରକାଶ କରିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ସହଯୋଗରେ ଏହି ସ୍ପେସ୍ ଷ୍ଟେସନ୍ ଲଞ୍ଚ କରାଯିବ । ଖବର ଅନୁଯାୟୀ, ଏହାର ଲଞ୍ଚ ପାଇଁ ସ୍ପେସ୍ ଏକ୍ସର ଫାଲକନ୍ -9 ରକେଟ୍ ବ୍ୟବହାର କରାଯାଇପାରେ । ଏହା ମଧ୍ୟ କୁହାଯାଉଛି ଯେ ପ୍ରଥମ ମିଶନରେ ଏଥିରେ ୪ ଜଣ ମହାକାଶଚାରୀ ଏଥିରେ ଅଂଶଗ୍ରହଣ କରିବେ, ଯେଉଁମାନେ Haven-1 ଭିତରେ ୩୦ ଦିନ ସମୟ ବିତାଇବେ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସ୍ପେସ୍ ଷ୍ଟେସନର ଲମ୍ବ ୧୦. ୧ ମିଟର ଏବଂ ମୋଟେଇ ୩. ୮ ମିଟର ହେବ ।

ଏହା ଭିତରେ ଏକ ଡ଼େକ୍ ନିର୍ମାଣ ହେବ, ଯାହାର ଝରକା ଦେଇ ଲୋକମାନେ ପୃଥିବୀର ଚମତ୍କାର ଝଲକ ଦେଖିବାକୁ ପାଇବେ । କେବଳ ଏତିକି ନୁହେଁ, ଏଥିରେ ଯାତ୍ରୀମାନେ ଆରାମରେ ଶୋଇ ପାରିବେ ଏବଂ ଜିରୋ ଗ୍ରାଭିଟିରେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ବିଶେଷ କଥା ହେଉଛି ଏଥିରେ ଏକ ଫିଟନେସ୍ ସିଷ୍ଟମ୍ ଅର୍ଥାତ ଜିମ୍ ମଧ୍ୟ ରହିବ । ଏହା ବ୍ୟତୀତ ମନୋରଞ୍ଜନ ପାଇଁ ପ୍ରାଇଭେଟ ରୁମ୍ ମଧ୍ୟ ପ୍ରସ୍ତୁତ କରାଯିବ । ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

You might also like