Odisha News

ବିଲୁପ୍ତ ହେଉଛି ପରମ୍ପରା ଓ ସଂସ୍କୃତିର ବୃକ୍ଷ ତାଳ ଗଛ

“ଦୂର ତାଳବଣ ଆକାଶ ଶୁଣାଏ, ମାଟିର କବିତା କିସେ …ଏ ଗ୍ରାମର ପଥ ତହିଁ ଦିଗନ୍ତ ମିଶେ। କ୍ଷେତ ପରେ କ୍ଷେତ, କାଶ ଫୁଲ ଆଉ ବେଣାରେ ଜଟିଳା ପାଟ ..ପାଟ ପରେ ବଣ ..ବଣ ମାମୁଁ ଘର ଗାଁ ଦିଶେ “। କବି ବିନୋଦ ନାୟକଙ୍କର ଗ୍ରାମପଥ କବିତାରେ ଇଏ ହେଉଛି ତାଳ ଗଛର ବର୍ଣ୍ଣନା । ତାଳ ଗଛ ଡାଳରେ ବାଇ ଚଢେଇ ବସା ବାନ୍ଧିଥାଏ। କାରଣ ଏହି ଗଛ ଖୁବ୍ ଉଚ୍ଚା । ଗଛ ଗଣ୍ଡିରେ ସାପ ଆଦି ଜନ୍ତୁ ଚଢି ପାରନ୍ତି ନାହିଁ। ଯେତେ ଝଡ ତୋଫାନ ଆସିଲେ ମଧ୍ୟ କିଛି କ୍ଷତି ହୋଇନଥାଏ। ତେଣୁ କଥାରେ ଅଛି ‘ବାଆ କଲେ ବସା ଦୋହଲୁଥାଏ’ । ଦେଖିବାକୁ ସୁନ୍ଦର ତାଳ ଗଛ, ଗୋଟି ଗୋଟି ହୋଇ ଆକାଶକୁ ଛୁଇଁ ଗଲାପରି ଦିଶେ।

Talapatra-1

କାହିଁ କେଉଁ ଯୁଗରୁ ଆମ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସହିତ ଜଡିତ ହୋଇ ରହିଛି ତାଳ ଗଛ। ତାଳ ଗଛ ଦେଖିବାକୁ ଯେତିକି ସୁନ୍ଦର, ଏହାର ଗଛ ଓ ଡାଳ ପତ୍ର ଆମ ସାମାଜିକ ଚଳଣି ସହିତ ସେତିକି ଗଭୀର ଭାବେ ଜଡ଼ିତ । ଏହାର ପତ୍ରରୁ ଆରମ୍ଭ କରି ଫଳ, କାଠ ସବୁ କିଛି କାମରେ ଲାଗେ । ଏହାର କାଠ ଏତେ ମଜବୁତ ଯେ ଉଈ ବି ଏହାର କିଛି କରି ପାରନ୍ତି ନାହିଁ । ତେଣୁ ଆଗରୁ ଲୋକେ ଏହାର କାଠରେ ଘର ଖୁଣ୍ଟ, ଦୁଆର ବନ୍ଧ ଓ ମଠ ମନ୍ଦିର କବାଟ, ବାଦ୍ୟ ଆଦି ତିଆରି କରୁଥିଲେ । ଗମନାଗମନ ବ୍ୟବସ୍ଥା କରିବା ପାଇଁ ତାଳ ଗଛ ଗଣ୍ଡି ଲୋକଙ୍କ ବ୍ୟବହାର ହେଉଥିଲା। ତାଳପତ୍ର ପକାଇ କିଛି ଲୋକ ଘର ଛପର ପକାନ୍ତି।

Talapatra -2

ତାଳ ପତ୍ରରେ ଏବେବି ଜାତକ ତିଆରିର ପରମ୍ପରା ରହିଛି । ପୂର୍ବ କାଳରେ ଏଥିରେ ଲେଖନୀ ଜରିଆରେ ଶିକ୍ଷା ଦାନ କରାଯାଉଥିଲା । ଲେଖା ଯାଇଥିଲା ଅନେକ ପାଂଡୁଲିପି । ଯାହା ଏବେବି ସଂରକ୍ଷିତ ହୋଇ ରହିଛି । ଯେତେ ବେଳେ କାଗଜ କଲମ କିମ୍ବା ଛାପାକଳ ନ ଥିଲା ସେତେବେଳ  ତାଳପତ୍ର ପୋଥିରେ ଲେଖାଯାଉଥିଲା ରାମାୟଣ,ମହାଭାରତ ଓ ବଡ଼ ବଡ଼ ଗ୍ରନ୍ଥ । ଏହି ଗଛର ଫଳ ବର୍ଷରେ ଥରେ ସାବିତ୍ରୀ ଅମାବାସ୍ୟାରେ ପୂଜା ଫଳ ହୁଏ। ପୁଣି ଏହି ଋତୁରେ ତାଳସଜର ସୁଆଦ ଯିଏ ଚାଖିଛି ସିଏ କେବେବି ଭୁଲିନାହିଁ ।

Talasaja

କୁହାଯାଏ ପୂର୍ବରୁ ରାଜାମାନେ ସେମାନଙ୍କର ରାଜ୍ୟ ସୀମା ନିର୍ଦ୍ଧାରଣ କରିବା ପାଇଁ ତାଳ ଗଛ ଲଗାଉଥିଲେ। ଏହିଗଛ ଶହେ ବର୍ଷ ରୁ ଅଧିକ ସମୟ ବଞ୍ଚେ। ବର୍ଷକୁ ଚାରିରୁ ଦଶ ଇଞ୍ଚ ବଢ଼ିଥାଏ। ଗଛ ଲଗାଇବାର କୋଡିଏ ବର୍ଷ ପରେ ଫଳ ଆସେ।

ଘର ଛପର ଠାରୁ ଆରମ୍ଭ କରି ବର୍ଷା ଦାଉରୁ ରକ୍ଷା ପାଇଁ ଝାମ୍ପି ବା ଟୋପି ଏବଂ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି ହୁଏ ତାଳପତ୍ରରେ । ହାତପଂଖା, ଚଟାଇ, ତଲାରୀ, ଖେଳଣା ଓ ଝୁମକା ତାଳ, ଫୋଟକା ମଧ୍ୟ ତିଆରି ହୋଇଥାଏ ତାଳପତ୍ରରେ । ଏବେ ଦେଖିବାକୁ ମିଳୁ ନଥିବା ଚକୁଳିଆ ପଣ୍ଡା, ଅଲେଖ ଧର୍ମାମୀଲମ୍ବୀମାନେ ତାଳପତ୍ର  ଛତା ଧରି ବୁଲିଥାନ୍ତି।  ଜଗନ୍ନାଥଙ୍କ ଧାମ ପୁରୀ ସମେତ ବିଭିନ୍ନ ମଠ ମନ୍ଦିରରେ ଏବେବି ଭୋଗ ତାଳପତ୍ର ଡାଲାରେ ମିଳିଥାଏ। ଅନେକ ପରିବାର ପାଇଁ ରୋଜଗାରର ବାଟ ଫିଟାଇଥିଲା ତାଳପତ୍ର ।

JHAMPI

ଏତେ ସବୁ ଗୁରୁତ୍ୱ ଥିବା ଏହି ଗଛ କିନ୍ତୁ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ବିଭିନ୍ନ ସମୟରେ ମହାବାତ୍ୟା ଏଭଳି ଗଛକୁ ନିଶ୍ଚିହ୍ନ କରିବାରେ ସହାୟକ ହୋଇଛି । ଆଉ କିଛି ମନୁଷ୍ୟର କୋପରେ ଉଜୁଡ଼ି ଯାଇଛି । ନା ଜନସାଧାରଣ ନା ସରକାର କେବେବି ଏଦିଗଟି ପ୍ରତି ଧ୍ୟାନ ଦେଇ ନାହାନ୍ତି । ପରିବେଶ ସନ୍ତୁଳନ ବିଗିଡ଼ି ଯାଇଥିବା ବେଳେ ତାଳଗଛର ମହତ୍ବକୁ ଭୁଲି ଯାଉଛୁ ଆମେ । ତା ସହିତ ଭୁଲି ଯାଉଛୁ ଆମ ପରମ୍ପରାର କଥାକୁ। ଯାହା ବର୍ତ୍ତମାନ ପିଢ଼ି ହୁଏତ ଇତିହାସ ଭାବେ ପଢ଼ିବେ ।

PALM TREE-2

ରବୀନ୍ଦ୍ର ନାଥ ଡାକୁଆ, ବ୍ରହ୍ମପୁର, କେନ୍ୟୁଜ୍

 

Leave A Reply

Your email address will not be published.