Odisha News

ଆଜି ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ, ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଚେନ୍ନାଇ(କେନ୍ଯୁଜ୍) : ଆଜି ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍‌ଚରିଂ ହବ୍‌ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଥିବାରୁ ରାଜ୍ୟରେ ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା । ଚେନ୍ନାଇରେ ମେକ ଇନ ଓଡ଼ିଶା ରୋଡ ସୋରେ ରାଜ୍ୟରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । କାର୍ଯ୍ଯକ୍ରମରେ ବହୁ ଶିଳ୍ପପତି ଓ ଷ୍ଟାର୍ଟ ଅପ୍‌ କଂପାନୀ ପ୍ରମୁଖ ଯୋଗ ଦେବେ । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ପ୍ରଥମ ସଂସ୍କରଣରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାରେ ଆୟୋଜନ ହେବ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ସଂସ୍କରଣ । ତା ପୂର୍ବରୁ ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ କରୁଛି ଓଡ଼ିଶା । ପୂର୍ବରୁ ମୁମ୍ବାଇ, ବେଙ୍ଗାଳୁରୁ ଓ ଦିଲ୍ଲୀରେ ହୋଇଥିଲା ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଦେଶ ବାହାରେ ବି ଏନେଇ ପ୍ରଚାର ପ୍ରସାର କରାଯାଉଛି । ଶିଳ୍ପପତିଙ୍କୁ ଓଡ଼ିଶାରେ ଅନୁକୂଳ ବାତାବରଣ ନେଇ ଅବଗତ କରାଉଛନ୍ତି ରାଜ୍ୟ ସରକାର ।

nabin2ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇରେ ଉଦଘାଟନ କରିଛନ୍ତି ଓଡ଼ିଶା ଭବନ। ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ତାମିଲନାଡୁର ମନ୍ତ୍ରୀ ଜୟ କୁମାର ଉପସ୍ଥିତ ଥିଲେ । ଉଦଘାଟନୀ ଅବସରରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ପ୍ରଶଂସା କରିଛନ୍ତି ନବୀନ । ଓଡ଼ିଶା ଭବନ ପାଇଁ ଚେନ୍ନାଇରେ ଜୟଲଳିତା ଜମି ଯୋଗାଇଦେଇଥିଲେ । ବିକାଶ କ୍ଷେତ୍ରରେ ଉଭୟ ରାଜ୍ୟର ଭାଗିଦାରୀ ରହିଥିବା ସେ କହିଛନ୍ତି । ରାଜ୍ୟ ବାହାରେ ଏହା ହେଉଛି ଷଷ୍ଠ ଓଡ଼ିଶା ଭବନ । ଏଠାରେ ମୋଟ୍‌ ୧୬ଟି ରୁମ୍‌ ରହିଛି । ୨୧ କୋଟି ୪୩ ଲକ୍ଷ ଟଙ୍କାରେ ଚେନ୍ନାଇରେ ନିର୍ମାଣ କରାଯାଇଛି ଏହି ଓଡ଼ିଶା ଭବନ ।

Leave A Reply

Your email address will not be published.