ଏବେ ପଚାରୁଛି ଅଣାକାର ବ୍ରହ୍ମ, ଆପଣମାନେ ଖୁସି ତ?

ବ୍ୟସ୍ତ ଭର୍ତ୍ତି ସକାଳରେ ସୀମାହୀନ ଆବେଗ ସବୁ ଫ୍ଲୋରିଡାର ମାଇଲ୍ ମାଇଲ୍ ବ୍ୟାପୀ ଚକମକ୍ ରାଜରାସ୍ତାରେ ପହଣ୍ଡି କରୁଥିଲେ । ପରାଗ ସାରି ସିନ୍ଦୁରା ଫଟା ସୂର୍ଯ୍ୟ ହସି ହସି ପଦାକୁ ଆସୁଥିଲା। ଚାରିଆଡେ ଅଚିହ୍ନା, ନାହିଁ ନଥିବା ନିରବତାର ବରଷୁଥିବା ରାଜୁତି।

ବାସ୍ ! ଭିତରେ କାହିଁ କାହାର କୋଳାହଳ ଆଜି ?

କାହିଁ ଆଜି ବି ଏ ନସରା ଅବସୋସ, ସବୁ ଦେଖା ଇପସିତ ଇଚ୍ଛାର ସାକାର ହେବା ପରେ ! ଥଣ୍ଡା କଫି କପକୁ ହାତରେ ଧରି ରେଲିଂ ପାଖରେ ନିଜକୁ ନିଜେ ପ୍ରଶ୍ନ କରୁଥିଲା ଈକ୍ଷାକୁ?

ସୁତରାଂ କଣ ହେଲା କେଜାଣି, ମନର ଝରକା ଫାଙ୍କରୁ ମନକୁ ମନ ହେକା ମାରୁଥିବା କୋହ ସବୁ ନ ଚାହିଁବି ଝରିବାକୁ ଲାଗିଲେ ।
ସତରେ କଣ ପୁରୁଷ କେବେ କାନ୍ଦିପାରେ ?

ହଁ, ଅନ୍ଧାରରେ ଆଉ ସମସ୍ତଙ୍କୁ ଲୁଚାଇ ! ଜମାଟ ତରଳା ହୃଦୟ ରକ୍ତ ସବୁ ଝରିଗଲେ ହାଲକା ଲାଗେ କୁଆଡେ।

କିଏ ଭାବିବ ; ଦି ଓଳି ଦିମୁଠା ଠିକ୍‌ରେ ଖାଇବାକୁ ପାଉନଥିବା କଟକ ନିପଟ ମଫସଲ ଗାଁର ଗରିବ ପିଲାଟେ ଚାଳଘରୁ ଫ୍ଲୋରିଡା ସ୍ୱପ୍ନ ଦେଖିବ ?
ଦେଖେ ଏତିକି…ତଳ ମାଟି ମାର୍ବଲର ରଙ୍ଗମାଟି ଲେସା ଘରେ କେବେ ସୂର‌୍ୟ୍ୟ ତ କେବେ ଚନ୍ଦ୍ର, କେବେ ଖରାତ କେବେ ବର୍ଷା ?

ମା କହେ ; ଗରିବୀ….ଅଭିଶାପ ନୁହେଁ ଆଶୀର୍ବାଦ ସବୁବେଳେ ! ମାଗଣାରେ ମିଳୁଥିବା ଯଚା ଦୟା ଗରିବର ଚଲାପାଦକୁ ଧନୀ କୁରାଢ଼ି !

କାମ କରିଚାଲ…..ଏକ ଅଦୃଶ୍ୟ ଶକ୍ତି ଯେ ଈଶ୍ୱର ଅଣାକାର ବ୍ରହ୍ମ ହୋଇ ପୁରୀରେ ବସିଛି । କାହା ସହ ଅନ୍ୟାୟ କରେନି ସେ…ନ୍ୟାୟ କରେ ।

ବର୍ଷକୁ ଥରେ ଅଧେ ବାପା ଆସନ୍ତି ଈକ୍ଷାକୁର। କାମ କରି କରି ଘୋରି ହେଇ ଯାଇଥିବା ତାଙ୍କ କ୍ରାକ୍ କ୍ରିମ୍ ପାଦ ଓ ହାତ ପାପୁଲିରେ ଅସ୍ପଷ୍ଟ ରେଖା ସବୁ ଶିଡିର ଆକାଶ ଥିଲା ତା ପାଇଁ !

ତାଙ୍କର ଏପରି ଅବସ୍ଥା ଦେଖି ମାଆ ତାହାର, ଲୁଚି ଲୁଚି କାନ୍ଦେ !

ରାଜ୍ୟ ବାହାରେ ଡବଲ୍ ସିଫଟ୍ ଡ୍ୟୁଟି….ଆଖି ତଳେ ମଲା କଳାଦାଗ… ଦେହସାରା ଫୁଟି ଦିଶୁଥିବା ଶିରା, ଗାଁ ଗୁରୁଜନ ତା ବାପାଙ୍କୁ ପଚାରନ୍ତି : ଆଉ କେତେଦିନ ?

ଜବାବରେ ବାପା ତାହାର କୁହନ୍ତି : ପୁଅ ମୋର ବିଦେଶ ଯିବା ଯାଏଁ !

ସପ୍ତାହେ ରହି ବାପା ଯିବା ବେଳେ ପାଖକୁ ଡାକି ଈକ୍ଷାକୁକୁ କୁହନ୍ତି : ବାବୁରେ….କର୍ମ ଭଗବାନ୍ ହେଲେ ଭାଗ୍ୟ ଭାଗ୍ୟବାନ୍ !

ସେ ଦିପଦ କଥା ଈକ୍ଷାକୁକୁ ଆଚ୍ଛାଦିତ କରି ରଖେ ବର୍ଷ ତମାମ୍ । ସ୍ୱପ୍ନ ନିଶ୍ୱାସରେ ବହେ ଆଉ କହେ ବି : ମୁଁ ମୋ ବାପାଙ୍କ ସ୍ୱପ୍ନ ପୂରଣ କରିବି ଓ ବିଦେଶ ଯିବି ।

ତାପରେ ଜିଦ୍‌ରେ ପଢା ବହିରେ ଜୀବନର ଲକ୍ଷ୍ୟ ଖୋଜେ ସେ ଓ କର୍ମ ଭାଗ୍ୟ ହେଜେ ।

କହିଲ ଦେଖି ; ବାହାର ରାଜ୍ୟରେ ଦାଦନ ଖଟୁଥିବା ବାପା ଓ ସାରା ରାତି ଭଲ ପଢୁଥିବା ପୁଅକୁ ଶୁଆଇ ସାରି ତା ଭବିଷ୍ୟ କଣ ହେବ ଭାବି କାନ୍ଦୁଥିବା ମାଆ ପାଇଁ ଶେଷ ଆଶା କିଏ ?

ହଁ, ଜଗା ଆଉ କିଏ କି ?

ମା ତାହାର ସବୁବେଳେ କହେ…ଜଗାରେ ମୋ ପୁଅକୁ ବଡ଼ ଜାଗାରେ ବସେଇବୁ ! ଆମ କଷ୍ଟ ତାକୁ ନମିଳୁ ବରଂ ତା ଦୁଃଖଭାଗ୍ୟ ମୋତେ ଭୋଗ ହେଉ ।

ଈକ୍ଷାକୁ ବି ଗାଁ ମୁଣ୍ଡ ନଈପଠାରେ ପ୍ରତି ଅପରାହ୍ନରେ ବାଲିରେ ହଟିଆ ଠାକୁର ଗଢି ପ୍ରାର୍ଥନା କରେ : ରଖ ମହାବାହୁ ।

ସତକୁ ସତ ଆଜ୍ଞାରେ ଆଶିଷ ବରଷେ।

ଆଶିଷ ବରଷିବା ପରେ ମାଟ୍ରିକ୍ ବେଷ୍ଟ ଟେନଥ୍, ପ୍ଲସ୍ ଟୁ ଟପର୍ ଓ ତାପରେ ଆଇଆଇଟି ଖଡଗପୁରରୁ ସ୍ୱପ୍ନ ସବୁ ପୂର୍ବ ଫିକ୍ସିଂ ହେଲା ପରି ସଫଳ ହେବାରେ ଲାଗିଲେ !

ସ୍ୱପ୍ନ; ଯାହା ସାରା ରାତି ଶୁଆଇ ଦିଏନି ବରଂ ମୁଣ୍ଡ ଆଉଁସି କହେ : ଲାଇଫରେ ହର୍ଡଲସ୍ ନାହିଁ ତ କି ଜୀବନ କହ ତ ! ଲଢେ ଯିଏ ଜିତେ ସେ..ହାରେ ସିଏ ଯିଏ କୁହୁଡି ପହଁରେ !

ତାପରେ…..ପଢା ସରିବା ପରେ କ୍ୟାମ୍ପସ୍ , ମଲଟି ନ୍ୟାସନାଲ୍ କମ୍ପାନୀରେ ଆମେରିକା ଫ୍ଲୋରିଡାରେ ଜବ୍।

ଏବେ ଯେବେ ଡିବିରିବତୀର ପାଠପଢା ଈକ୍ଷାକୁ ଶୈଶବ, ଲମ୍ବାଗାଡିରେ ଅଫିସ୍ ଗଲା ବେଳେ ଭାବେ…ମା ବାପା ଆଉ ଈଶ୍ୱର ସବୁ ଦେଇ ଚାଲି ଯାଆନ୍ତି ଜୀବନ ତମାମ୍ କିନ୍ତୁ ଆଶାର ପାଇବାର ଆଃ ପଦେ କହନ୍ତିନି କେବେବି। ଭାବନା ସରୁନଥିଲା …..

ଟ୍ରେନିଂ ସାରି ତା ଜବ୍ ଜଏନ୍ ପରର ଦର୍ପଣ ତା ଅଫିସ୍ ଲୁକ୍ ଦେଖି କହିଲା : ଏବେ ଯଉବନ ପ୍ରାପ୍ତ ପୌରୁଷ ତୁ, ପ୍ରେମ କର ।

ହଁ, କେତେବେଳେ ଶୁକ୍ର ସଂଚାର ପରେ ଯଉବନ ଦେହରେ ଚଢି ଈକ୍ଷାକୁକୁ ପ୍ରେମ ହେଇଯାଇଥିଲା ସେ ନିଜେ ବି ଜାଣିନଥିଲା।
ପ୍ରେମ ହେଲାତ….ହେଲା ପୁଣି କାହା ସହ, ଜେନିସା ଗୁଡୱିଲ୍ !

ଜେନିସା ; ହଁ, ମହୁଲୀ ଆଖିରେ ଭିଡିଧରେ ସେ…ହୃଦୟ କାହାର ହୃଦଘାତ୍ ପୂର୍ବ ଅଣନିଶ୍ୱାସୀ ହୁଏ। ପ୍ରେମରେ ପଡିଲା ପରେ ଈକ୍ଷାକୁ ଜାଣିଲା ; ଆନମନା ପ୍ରେମିକର ଅନ୍ତର୍ଜ୍ୱଳନ କେହି କେବେ କାହିଁକି ବୁଝିପା ରନ୍ତିିନି !

ବହୁ ସମୟ ଏକାନ୍ତରେ ଏକଲୟରେ ଅପଲକ ଚାହିଁବା ଦ୍ୱାରା ଜେନିସାକୁ,….ଲାଜେଇ ଯାଏ ସେ, କାହାର ଗରମ ଦୀର୍ଘଶ୍ୱାସୀ ହସର ଜବାବ୍ ଦେବାକୁ ଯାଇ । ଓ ଜାଣିଶୁଣି ଅପ୍ରସ୍ତୁତ ହେବା ପରି ସାମ୍ନାରେ ଥିବା ସିଷ୍ଟମର ମିଛ ମାଉସ୍‌ରେ ହାତ ବୁଲାଇ ନିଜକୁ ଲୁଚାଏ ପ୍ରେମିକ ।

ସତରେ ଦିନଗୁଡା ଅଜବ ଥିଲା ସେ ସମୟରେ…. ଭାବୁଥିଲା ଈକ୍ଷାକୁ ଅଫିସ୍ ନ ସରନ୍ତା କି, ସେ ଏମିତି ଦେଖୁଥାନ୍ତା ଜେନିସାକୁ।

ଏବଂ ରାତି ହେଲେ ଖସା ଧୂମକେତୁ ସମ ସେ ତା’ ଆଖିଡୋଳା ପଛ ସ୍ୱପ୍ନ ବାୟୁମଣ୍ଡଳ ଭିତରକୁ ପଶି ଆସୁଥାନ୍ତା ।

କେବେ କେବେ…ନିଦରୁ ଅଚାନକ୍ ଚିହିଙ୍କି ଉଠି ଜୋରରେ ଡାକୁଥିଲା ସେ : ଜେନିସା…ଜେନିସା…..।

ନଥିଲା ସେ ବରଂ ବୁମେରାଂ ହେଉଥିଲା ତାହାର ତାଜା କ୍ଷତ ।

ଦିନ ପର ଦିନ ଅସହ୍ୟ ହେଉଥିଲା ପ୍ରେମିକ…ତା ପ୍ରେମଇ ଜେନିସା ପାଇଁ । ବାଧ୍ୟ ହୋଇ ଦିନେ, ସିଧାସଳଖ ପ୍ରପୋଜ୍ କରିଥିଲା ଈକ୍ଷାକୁ…
କହିରଖେ ; ସବୁ ପ୍ରାପ୍ତିର ଅଭିପ୍ସା ମାଟି କାମୁଡିବା ପରେ ଜୀଇଁବାକୁ ପ୍ରେମିକ ପାଇଁ ସ୍ମୃତି ହିଁ ସାହାରା ଥାଏ, ଥାଏ ଆବର୍ତ୍ତମାନର ନିଃସଙ୍ଗତା ।
ଓ ଶେଷରେ ହାର୍ ମାନିଗଲା ଈକ୍ଷାକୁ…ଜେନିସାର ନିରବ ନା ରେ !

ନା….ଆଉ ନୁହେଁ….ଏବେ ମୋତେ ଫେରିଯିବାକୁ ହେବ ମୋ ଜନ୍ମମାଟିକୁ । ଜେନିସା….ସତରେ ତୁମ ବିନା ବଞ୍ଚିବି କେମିତି ମୁଁ ନିଜେ ବି ଜାଣିନି ! ଏତିକି ଜାଣିଛି…..ଏଇ କେଇ ଦିନର ଆମେ ବିତେଇଥିବା ମୋ ସହ ମୁହୂର୍ତ୍ତରେ ମୁଁ ସାରା ଜୀବନ ଜୀଇଁ ଯିବି ।

ତାପରଦିନ ରିଜାଇନ୍ ଦେବ ବୋଲି ମନସ୍ଥ କରି ଫ୍ଲାଇଟ୍ ଟିକେଟ୍ କାଟି ପ୍ରସ୍ତୁତି ଆରମ୍ଭ କରିଦେଲା ଈକ୍ଷାକୁ । ଘରକୁ ଫୋନ୍ କରି ଜଣାଇଲା ବି..
:- ମାଆ, ମୁଁ ଫେରିଯିବି
:- କାହିଁକି ?
:- ମୋତେ ଅଣନିଶ୍ୱାସୀ ଲାଗୁଛି (ନିରବ କୋହ)
:- କଣ ହେଲା ଈଶୁ,କାନ୍ଦୁଛୁ ତୁ
:- ହଁ…ମା ମୋର ଘର ମନେପଡୁଛି
:- ଗୋଟେ କାମ କର…ଯାଆ ଆମ ଈଶ ଜାତିପୁରୁଷକୁ ଦେଖା କର ,ଦୁଃଖ ଜଣା…
ସେଦିନ ମାଆ କଥା ମାନି ଫ୍ଲୋରିଡା ଜଗନ୍ନାଥ ମନ୍ଦିରରେ ଦୁଃଖ ଜଣାଇବାକୁ ପହଞ୍ଚି ଗଲା ଈକ୍ଷାକୁ !
ଲୁହ ସବୁ ବୋଲ ମାନୁନଥିଲା ତାହାର , କାନ୍ଦୁଥିଲା ଭୋ ଭୋ ହୋଇ ସେ। ହାତଯୋଡି ଆଣ୍ଠୁମାଡି କହୁଥିଲା…
:- ଜଗାରେ….ଜେନିସା ବିନା ବଞ୍ଚି ପାରିବନି ମୁଁ … କଣ ଗୋଟେ ଚମତ୍କାର କରେ
କିନ୍ତୁ ଚମତ୍କାର କଣ ହେବ ଓଲଟା ତାକୁ ଦେଖି ହସୁଥିଲା ଜଗା କିରିକିରି ହୋଇ। ଜାଣି ପାରୁନଥିଲା ସେ…ହଁ କି ନା କରୁଥିଲା ଚକାଆଖି !
ଲଜ୍ଜିତ ହେଲା..ଅବିଳମ୍ବେ ଭାରତ ଫେରିଯିବା ଇଚ୍ଛା ଜାହିର୍ କରି ବାହାରି ଆସିଲା ବି ସେ ମନ୍ଦିର ଭିତରୁ ।
ଆଉ ତାପରେ….ହଁ, କିଛି ଅପ୍ରତ୍ୟାଶିତ ଅଜବ ଘଟିଲା ତା ଭାଗ୍ୟରେ, ଯାହା ତା ହିସାବ ବାହାରେ ଥିଲା।
:- ଏ କଣ ?
ଭାବନା ….ଈକ୍ଷାକୁର ନିମଜ୍ଜିତ ଅତୀତରୁ ଧଡ୍ କରି ବାହାରି ଆସିଲା ।
କାରଣ..କାରଣ ଥିଲା ପଛରୁ ଗୋଟେ ଟାଇଟ୍ ହଗ୍..!
ହଁ, ଯଦିଓ ସେ ଜାଣିଥିଲା ସେ କିଏ ତଥାପି ପଛକୁ ଫେରି ନଚାହିଁ କହିଲା
:- କୁହ
:- ଗୁଡ୍ ନିଉଜ୍
:- କଣ…ବାପା ହେବି ମୁଁ ?
:- ନୋ….ମୋର୍ ଦାନ୍ ଦାଟ୍
:- କୁହ….ମଜାକ୍ କରନି, ଜାଣିଛ ମୋ ମୁଡ୍ ଠିକ୍ ନାହିଁ !
:- ହି…ହି,ସୁପ୍ରିମକୋର୍ଟର ସାନି ରାୟ : ଜଗନ୍ନାଥଙ୍କ ରଥଯାତ୍ରା ହେବ….ଏବେ କୁହ…ଆପନ୍ ମାନେ କୁସିତ….?
:- ହା…ହା, ଶେଷରେ ତୁମେ ଓଡିଆ ଶିଖିଗଲ ଜେନିସା !

 

ଲେଖକ : ମାମପ୍ରବା ଉଗିସୁ

Leave A Reply

Your email address will not be published.