ପ୍ରାର୍ଥୀଙ୍କ ଅପରାଧୀକ ରେକର୍ଡ଼ ସମ୍ପର୍କରେ ସୂଚନା ଦେଇ ନଥିବା ଦଳ ବିରୋଧରେ ମାମଲାର ବିଚାର, ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କର ଅପରାଧିକ (କ୍ରିମିନାଲ) ରେକର୍ଡ ସମ୍ପର୍କୀତ ତଥ୍ୟ ଟିଭି ଚ୍ୟାନେଲ ଓ ଖବରକାଗଜରେ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ୨୦୧୮ ରେ ଆଦେଶ ଦେଇଥିଲେ । ହେଲେ ଏହାକୁ ପାଳନ କରାଯାଇ ନଥିବାରୁ ଏହା ନିର୍ବାଚନ ଆୟୋଗଙ୍କ ବିଫଳତା ବୋଲି ଦର୍ଶାଇ ଏକ ପିଟିସନ ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା । ଏହାର ରାୟକୁ ଆଜି ସୁପ୍ରିମକୋର୍ଟ ସଂରକ୍ଷିତ ରଖିଛନ୍ତି ।

ଗତ ବର୍ଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଏହାର ପାଳନ ହୋଇନଥିଲା । ତେଣୁ ନିର୍ବାଚନ ଆୟୋଗ ଓ ରାଜନୈତିକ ଦଳର ନେତାଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ବଳରେ ଦଣ୍ଡାଦେଶ ହେଉ ବୋଲି ପିଟିସନର ତାଙ୍କ ପିଟିସନରେ ଦର୍ଶାଇଥିଲେ ।

୨୦୧୮ ର ଆଦେଶ ପାଳନ ହୋଇ ନଥିବା ଜାଣିବା ପରେ ସୁପ୍ରିମକୋର୍ଟ ପୁନର୍ବାର ୨୦୨୦ ୧୩ ଫେବ୍ରୁଆରୀରେ ଏହାର ପାଳନ ପାଇଁ ଆଦେଶ ଦେଇଥିଲେ । ଜଣେ ପ୍ରାର୍ଥୀଙ୍କର ସମସ୍ତ ବିବରଣୀ ଟିକେଟ ଦେବାର ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ ଆୟୋଗଙ୍କୁ ଦେବା ପାଇଁ ପୁଣି ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ନିର୍ବାଚନ ଆୟୋଗକୁ ଦଳ ଏହା ମଧ୍ୟ ଜଣାଇବାର ଥିଲା ଯେ ଅପରାଧିକ ରେକର୍ଡ ଥାଇ ଟିକେଟ ଦିଆଯାଇଥିବା ପ୍ରାର୍ଥୀଙ୍କୁ କ’ଣ ପାଇଁ ଟିକେଟ ଦିଆଯାଇଛି । ସେଠାରେ ଆଉ ଭଲ ଭାବମୂର୍ତ୍ତି ସମ୍ପନ ପ୍ରାର୍ଥୀ ନଥିଲେ କି ?

ଖାଲି ସେତିକି ନୁହେଁ, ଦଳ ନିଜର େଓ୍ଵବସାଇଟ, ଫେସବୁକ୍‌, ଟ୍ଵିଟର ଆକାଉଣ୍ଟ ଓ ଟିଭି ଚ୍ୟାନେଲରେ ମଧ୍ୟ ପ୍ରାର୍ଥୀଙ୍କ ପୂର୍ଣ୍ଣ ସୂଚନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଟିକେଟ ଦେବାର ୪୮ ଘଣ୍ଟା ମଧ୍ୟରେ ଉକ୍ତ କ୍ଷେତ୍ରର ଏକ ଖବରକାଗଜରେର ମଧ୍ୟ ପ୍ରାର୍ଥୀଙ୍କ ଉପରେ ଦାଖଲ ହୋଇଥିବା ଓ ଚାଲୁଥିବା ମାମଲାର ବିବରଣୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ମାତ୍ର ଏହାର ପାଳନ ହୋଇନଥିବା ନେଇ ଦାଖଲ ହୋଇଥିବା ଏକ ପିଟିସନର ବିଚାର କରି ସୁପ୍ରିମକୋର୍ଟ ଆଜି ଏହାର ଆଦେଶକୁ ସଂରକ୍ଷିତ ରଖିଛନ୍ତି । ଏପରି ଦଳ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ପରେ ଜଣାପଡ଼ିବ ।

Leave A Reply

Your email address will not be published.