ସ୍ପେଶାଲ

ଜଣେ ଦେଶଭକ୍ତଙ୍କ ପୂରା ପରିବାରକୁ ସଫା କରି ଦେଲେ ନିର୍ଦ୍ଦୟୀ ଆତଙ୍କବାଦୀ

ଗୁଳି ଦେଖେନି କିଏ ଭଲ ଆଉ କିଏ ମନ୍ଦ । ଗୁଳି ଚଳାଇବା ଲୋକକୁ ହିଁ ଏହାକୁ ପରଖିବାକୁ ପଡ଼େ । ହେଲେ ଯିଏ ଆତଙ୍କ ଖେଳାଏ, ବନ୍ଧୁକ ଧରି କେବଳ ରକ୍ତପାତ କରି ଜାଣେ ତାର ବନ୍ଧୁକର ଗର୍ଜନ ଭଲ ମନ୍ଦ କିଛି ବି ଦେଖେନି । ଏମିତି ମଣିପୁର ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ଏମ୍‌ଏନ୍‌ପିଏଫ୍‌)ର ଆତଙ୍କବାଦୀମାନେ ଗତ ଶନିବାର ଦିନ ହତ୍ୟା କରିଛନ୍ତି ଆସାମ ରାଇଫଲ୍ସର ୫ ଜଣ ଯବାନ୍‌ଙ୍କୁ । ହେଲେ ତା ଭିତରେ ଥିଲେ କମାଣ୍ଡର କର୍ଣ୍ଣେଲ ବିପ୍ଳବ ତ୍ରିକାଠୀ ଏବଂ ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ । ଯାହା ଅତ୍ୟନ୍ତ ଦୁଃଖଦାୟକ ।

ମଣିପୁର ଠାରେ ଆତଙ୍କବାଦୀଙ୍କ ହମଲାରେ ଆଖିବୁଜିଲେ ଏହି ସାହସୀ କମାଣ୍ଡିଂ ଅଫିସର ଏବଂ ତାଙ୍କ ପରିବାର। ଯୋଜନାବଦ୍ଧ ଭାବେ ଆକ୍ରମଣ କରି କମାଣ୍ଡିଂ ଅଫିସରଙ୍କୁ ମାରିବାରେ ସଫଳ ହୋଇଗଲେ ଆତଙ୍କବାଦୀ।
ମିଆଁମାର ସୀମାନ୍ତ ଚୁରାଚାନ୍ଦପୁର ଅଞ୍ଚଳରେ ୪୬-ଆସାମ ରାଇଫଲର କନଭୟ ସହ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ତାଙ୍କ ପତ୍ନୀ ଓ ପୁଅ ସହ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳି ମାଡ଼ କରିଥିଲେ। କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଶନିବାର ସକାଳୁ ଗୋଟିଏ ଫରୱାର୍ଡ ଘାଟିକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ହଠାତ୍ ଦିନ ୧୧ଟାରେ ତାଙ୍କ ଉପରେ ହମଲା ହୋଇଥିଲା। ହମଲା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଗଲା। ଆଉ ଚାହୁଁ ଚାହୁଁ ଜଣେ ସାହସୀ ଅଫିସରଙ୍କୁ ହରାଇଲା ଦେଶ।

କର୍ଣ୍ଣେଲ୍ ବିପ୍ଳବ ତ୍ରିପାଠୀଙ୍କ ରକ୍ତରେ ଥିଲା ଦେଶପ୍ରେମ ଏବଂ ଆଦର୍ଶବାଦ। ତାଙ୍କର ଜେଜେବାପା କିଶୋରୀମୋହନ ତ୍ରିପାଠୀ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ଭାରତୀୟ ସମ୍ବିଧାନ ଡ୍ରାଫ୍ଟ୍ କମିଟିର ଅନ୍ୟତମ ସଦସ୍ୟ ଏବଂ ୧୯୫୧ରେ ରାୟଗଡ଼-ସୁର୍ଗୁଜାର ପ୍ରଥମ ସାଂସଦ ହୋଇଥିଲେ ସେ। ତାଙ୍କର ପିତା ସୁଭାଷ ତ୍ରିପାଠୀ ଥିଲେ ଛତିଶଗଡ଼ର ରାୟଗଡ଼ରୁ ପ୍ରକାଶିତ ଏକ ହିନ୍ଦୀ ଦୈନିକର ମାଲିକ ତଥା ସମ୍ପାଦକ।

ସହିଦ କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ବାସିନ୍ଦା ଥିଲେ । ୧୯୮୦ ମସିହା ମେ ୩୦ ତାରିଖରେ ତାଙ୍କର ଜନ୍ମ । ସ୍ୱାଧୀନତା ସଂଗ୍ରାମୀ ଜେଜେବାପାଙ୍କ ପ୍ରେରଣା ପାଇ ସେ ସେନାରେ ଯୋଗ ଦେବାକୁ ସ୍ଥିର କରିଥିଲେ । ସେଥିପାଇଁ ରିୱା ସ୍ଥିତ ସୈନିକ ସ୍କୁଲରେ ପଢ଼ିଥିଲେ । ପୂର୍ବରୁ ବିପ୍ଲବ ମିଜୋରାମରେ ଅବସ୍ଥାପିତ ଥିଲେ । ଚଳିତ ବର୍ଷ ଜୁଲାଇ ମାସରେ ତାଙ୍କର ମଣିପୁରକୁ ବଦଳି ହୋଇଥିଲା । ପିଲା ଦିନେ ଥରେ ଜେଜେ ବାପାଙ୍କ ସହ ରାଷ୍ଟ୍ରପତି ଭବନ ଯାଇଥିବା ବେଳେ ସେଠାରେ କଣ ଦେଖିଲେ କେଜାଣି ଜଣେ ସୈନିକ ହେବା ପାଇଁ ସେହିଠାରୁ ପ୍ରେରଣା ପାଇଥିଲେ। ସେତେବେଳେ ଜ୍ଞାନୀ ଜୈଲ ସିଂହ ରାଷ୍ଟ୍ରପତି ଥିଲେ। ଲକ୍ଷ୍ୟ ହାସଲ କରିବାକୁ ବିପ୍ଲବ ମଧ୍ୟପ୍ରଦେଶର ରେୱାସ୍ଥିତ ସୈନିକ ସ୍କୁଲ୍ରେ ଭର୍ତ୍ତି ହୋଇ ପ୍ରଥମ ଉଦ୍ୟମରେ ‘ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମି’ର କଷ୍ଟସାଧ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସେନା ବାହିନୀର ସବୁଜ ପୋଷାକ ପରିଧାନ କରିବାରେ କର୍ଣ୍ଣେଲ୍ ତ୍ରିପାଠୀ ଥିଲେ ତାଙ୍କ ପରିବାରରେ ପ୍ରଥମ। ସାନ ଭାଇ ଲେଫ୍ଟ୍ନାନାଣ୍ଟ୍ କର୍ଣ୍ଣେଲ୍ ଅନୟ ତ୍ରିପାଠୀ ମଧ୍ୟ ତାଙ୍କ ପଥ ଅନୁସରଣ କରିଥିଲେ। ଦୁଇ ପୁଅ ସେନା ବାହିନୀରେ ଥିବାରୁ ପିତା ସୁଭାଷ ଓ ମାତା ଆଶା ଅତ୍ୟନ୍ତ ଗୌରବାନ୍ବିତ ମନେ କରୁଥିଲେ। କର୍ଣ୍ଣେଲ୍ ବିପ୍ଳବ, ବୋହୂ ଅନୁଜା ଏବଂ ନାତି ଅବିରଙ୍କ ସହ ମଣିପୁରରେ ଦୀପାବଳି କଟାଇ ତାଙ୍କ ବାପା ମା ଘରକୁ ଫେରି ଆସିଥିଲେ । ବେଶ୍‌ ହସଖୁସିରେ କଟିଥିଲା ଦୀପାବଳି । ହେଲେ କିଏ ଜାଣିଥିଲା ଏମିତି ଘଟିବ ବୋଲି ? ସପ୍ତାହେ ମଧ୍ୟ ହୋଇନାହିଁ ବାପା ମା’ଙ୍କ ପାଖକୁ ଖବର ଆସିଲା ପୁଅ, ବୋହୂ ଓ ନାତି ଆଉ ନାହାନ୍ତି । ସେହି ସମୟରେ ପରିବାର ସହ ଉଠାଇଥିବା ଫଟୋରୁ ଜଣାପଡୁଥିଲା ନିଜ ପୁଅମାନଙ୍କ ପାଇଁ ବାପା ମା କେତେ ଗର୍ବିତ ଓ ଆନନ୍ଦିତ।

ସେନାରେ ତାଙ୍କର ଶେଷ କାର୍ଯ୍ୟକାଳ ନିଜ ଜନ୍ମ ମାଟି ଛତିଶଗଡ଼ରେ ରହି କରିବାକୁ ଚାହୁଁଥିଲେ । ପିଲା ଦିନର ସ୍ମୃତିରେ ଜଡ଼ିତ ଅଞ୍ଚଳରେ ଅବସର ଗ୍ରହଣ କରିବାକୁ ଇଚ୍ଛା ଥିଲା ତାଙ୍କର । ଏକଥା କହିଛନ୍ତି ବିପ୍ଳବଙ୍କ ମାମୁଁ ରାଜେଶ ପଟ୍ଟନାୟକ । ହେଲେ ଶନିବାର ଦିନ କର୍ଣ୍ଣେଲ୍ ବିପ୍ଳବ, ବୋହୂ ଅନୁଜା ଏବଂ ନାତି ଅବିର ମଣିପୁରର ଘଞ୍ଚ ଜଙ୍ଗଲ ଭିତରେ ଯାଉଥିବା ବେଳେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଲେ।
ଏଭଳି ଏକ ଦାରୁଣ ଖବର ସାରା ଦେଶ ସମେତ ଛତିଶଗଡ଼ବାସୀଙ୍କୁ ମଧ୍ୟ ହତବାକ୍ କରି ଦେଇଛି। ସ୍ଥାନୀୟ ଲୋକେ ଖିରୋଦିନଗର ସ୍ଥିତ ତାଙ୍କ ଘର ଆଗରେ ରୁଣ୍ଡ ହୋଇ ସମବେଦନା ଜଣାଉଛନ୍ତି । ଏପଟେ କେବଳ ପୁଅ ବୋହୂ ନୁହେଁ ନାତି ଅବିରର ମୃତ୍ୟୁ ଜେଜେବାପା ସୁଭାଷଙ୍କୁ ଭୀଷଣ ମାନସିକ ଆଘାତ ଦେଇଛି । ପତିପତ୍ନୀ ବିଶ୍ବାସ କରିପାରୁ ନାହାନ୍ତି ଯେ, ପୁଅ ବୋହୁ ଓ ନାତି ଆଉ ଏ ଦୁନିଆରେ ନାହାନ୍ତି ବୋଲି । କାରଣ ମାତ୍ର କେଇଦିନ ତଳେ ସେମାନଙ୍କ ସହ ଛୁଟି କଟାଇଥିଲେ । ସେଇ କେଇଟା ଦିନ ଯେ ସେମାନଙ୍କ ସୁଖ ସଂସାରର ଶେଷ ଦିନ ଥିଲା ବୋଲି ମାନି ନେଇ ପାରୁ ନାହାନ୍ତି ବିପ୍ଲବଙ୍କ ବାପା ମା ।

ବିପ୍ଳବ ନିଜ ନାଁ ଅନୁସାରେ ଜଣେ ବିପ୍ଳବୀ ମଧ୍ୟ ଥିଲେ । ଇଣ୍ଡୋ-ମିୟାମାର ସୀମା ଜଗିବା ତାଙ୍କର ଦାୟିତ୍ୱ ଥିଲା । ଆଉ ସେ ଅନୁପ୍ରେବେଶକାରୀ ଏବଂ ଅବାଇନ୍‌ ଅସ୍ତ୍ରଶସ୍ତ୍ର ରୋକିବାରେ ଖୁବ୍‌ ପାରଙ୍ଗମ ଥିଲେ । ଗତ ଜାନୁଆରୀ ମାସରୁ ସେ ନିଶା କାରବାର ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ସବୁବେଳେ ଉତ୍ସାହିତ ରହୁଥିବାରୁ ସହକର୍ମୀମାନେ ତାଙ୍କ ନାଁ ଦେଇଥିଲେ ‘ଯୋଶ୍‌ ମେସିନ୍‌’ । ବିପ୍ଳବ ଜଣେ ଭଲ ସୈନିକ, ଭଲ ସ୍ୱାମୀ ଓ ଭଲ ବାପା ଥିଲେ ବୋଲି ସେମାନେ କୁହନ୍ତି । ଏମିତିକି, ସ୍ଥାନୀୟ ଲୋକଙ୍କ ସହ ସେ ଭଲ ଭାବେ ଯୋଡ଼ି ହୋଇ ଯାଇଥିଲେ । ମାତ୍ର ୪୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେହିପରି ପତ୍ନୀ ଅନୁଜାଙ୍କୁ ହୋଇଥିଲା ମାତ୍ର ୩୬ ବର୍ଷ ବୟସ । ଆସନ୍ତାକାଲି ତିନି ଜଣଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ବିପ୍ଳବଙ୍କ ସାନଭାଇ ମଧ୍ୟ ସେନାରେ ଚାକିରି କରନ୍ତି । ସେ ସିଲଂ ଠାରେ ଲେପ୍ଟନାଣ୍ଟ କର୍ଣ୍ଣେଲ ଭାବେ ନିଯୁକ୍ତି ପାଇଛନ୍ତି ।

ଏପଟେ ଏମାନଙ୍କ ସହ ଅନ୍ୟ ଚାରି ଜଣ ଯବାନ୍‌ ଆସାମର ସୁମନ ସ୍ୱର୍ଗିଆରି, ନାଗାଲାଣ୍ଡର କେ. କୋନ୍ୟାକ, ରାଜସ୍ଥାନର ଆରପି ମିନା ଏବଂ ପଶ୍ଚିମବଙ୍ଗର ଶ୍ୟାମଲ ଦାସ ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ସହିଦ ହୋଇଛନ୍ତି । ଏମାନେ ସମସ୍ତେ ଆସାମ ରାଇଫଲ୍‌ସର ଯବାନ । … ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ମଣିପୁର ନାଗାଲାଣ୍ଡ ପିପୁଲସ୍‌ ଫ୍ରଣ୍ଟ/ଏମ୍‌ଏନ୍‌ପିଏଫ୍‌ । ତେବେ ସେମାନେ ଷଡ଼ଯନ୍ତ୍ର କରି ଆଗରୁ ଜଗି ରହିଥିଲେ ମଧ୍ୟ ବିପ୍ଳବଙ୍କ ପରିବାର ଲୋକ ଗାଡ଼ିରେ ଥିବା କଥା ଜାଣି ନଥିଲେ ବୋଲି ସଫେଇ ଦେଇଛି । ହେଲେ ସେମାନଙ୍କ ଏଭଳି ସଫେଇରେ ଆଉ ଫେରି ଆସିବେନି ବିପ୍ଲବଙ୍କ ପରିବାର ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

40 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

54 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago