ସ୍ପେଶାଲ

ସୁବର୍ଣ୍ଣପୁର : ଲୋକେ ୫୭ ନମ୍ବର ଜାତୀୟ ରାଜପଥର ନାଁ ଦେଇଛନ୍ତି ମଣିଷଖିଆ ରାଜପଥ

ସୁବର୍ଣ୍ଣପୁର (କେନ୍ୟୁଜ୍‌) : ସଡ଼କ ଦୁର୍ଘଟଣାରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କ ପ୍ରାଣ ଯାଉଛି । କେବେ ପ୍ରଶାସନର ଭୁଲ ତ କେବେ ଗାଡ଼ି ଚାଳକଙ୍କ ତ୍ରୁଟି ଜୀବନ ନେଇ ଯାଉଛି । ହେଲେ ସମାଧାନର ପନ୍ଥା ଖୋଜିଲା ବେଳକୁ ନା କାହା ଭିତରେ ସମନ୍ଵୟ ରହୁଛି ନା ଲୋକେ ସଚେତନ ହେଉଛନ୍ତି । ଏମିତି ଅବସ୍ଥାରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ସଡ଼କ ଦୁର୍ଘଟଣା । ଅକାରଣେ ଚାଲିଯାଉଛି ଅନେକ ଲୋକଙ୍କ ଜୀବନ । ଭାଙ୍ଗି ଯାଉଛି ହସ ଖୁସିର ସଂସାର । ବେପାରୁଆ ଗାଡି ଚାଳନା ହେଉ କି ଓଭର ଲୋଡିଙ୍ଗ୍‌ ଅବା ନିଶା ସେବନ । ଦୁର୍ଘଟଣା ଘଟୁଛି ଓ ଜୀବନ ଯାଉଛି । ଲୋକେ ଦୁର୍ଘଟଣାରେ ମୃତ୍ୟୁ ଆଉ ଆଘାତକୁ ସ୍ୱୀକାର କରିବା ସହ ପ୍ରଶାସନ ଅର୍ଥଦଣ୍ଡକୁ ସ୍ୱୀକାର କରି ନେଉଛନ୍ତି । ହେଲେ ନିଜକୁ ସୁଧାରିବାକୁ ଭୁଲି ଯାଉଛନ୍ତି । ସେହିପରି କେବଳ ଫାଇନ୍‌ ଆଦାୟ କିମ୍ବା ଲାଇସେନ୍ସ ରଦ୍ଦରେ ଅବା କାଁଭାଁ ସଚେତନତା କାର୍ଯ୍ୟକ୍ରମ କରି ନିରବି ଯାଉଛନ୍ତି ବିଭିନ୍ନ ସରକାରୀ ବିଭାଗ । ଫଳରେ ବଦନାମ ହେଉଛି ଜାତୀୟ ରାଜପଥ ।

ସୁବର୍ଣ୍ଣପୁର ଜିଲ୍ଲା ସାଜିଛି ଦୁର୍ଘଟଣାର ହବ୍‌ । ଜିଲ୍ଲା ବିଗତ ଦିନରେ ଦୁର୍ଘଟଣାର ହାର ବଢି ଚାଲିଛି । ଅକାଳରେ ପ୍ରାଣ ହରାଉଛି ଲୋକଙ୍କର । ସମସ୍ତ ଦୁର୍ଘଟଣାର ପରଦା ପଛର ଖଳନାୟକ ସାଜିଥିବା ଜାତୀୟ ରାଜପଥ ବିଭାଗ ଶୋଇଛି ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ । ଅନ୍ଯପଟେ ଆଂଚଳିକ ପରିବହନ ବିଭାଗ ଖାଲି ସଚେତନ କରି ଚୁପ ବସି ପଡିଛି । ଆଉ ଏସବୁ ଭିତରେ ଜିଲ୍ଲା ପୋଲିସ ସଠିକ ଭାବେ ଦାୟିତ୍ୱ ନିଭାଇବାରେ ବିଫଳ ହୋଇଥିବା ଅଭିଯୋଗ ଉଠିଛି । ଜିଲ୍ଲାର ସୋନପୁର ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ୫୭ ନମ୍ବର ଜାତୀୟ ରାଜପଥ , ସୋନପୁର ରେଢାଖୋଲ ଏସଏଚ-୧୫ ରାସ୍ତା, ସୋନପୁର ସମ୍ବଲପୁର ଏସଏଚ-୧୫ ରାସ୍ତା ଏବଂ ସୋନପୁର ବରଗଡ ଏନଏଚ-୫୭ ରାସ୍ତାରେ ସର୍ବାଧିକ ଦୁର୍ଘଟଣା ଘଟୁଛି । ସେଥିପାଇଁ ଏସବୁ ଅଂଚଳର ୧୦ଟି ସ୍ଥାନକୁ ବ୍ଲକାସ୍ପଟ୍‌ ଚିହ୍ନଟ କରାଯାଇଛି । ବିଶେଷ କରି ରାସ୍ତାର ଉଭୟ ପାର୍ଶ୍ୱରେ ବୁଦାଳିଆ ଘାସ, ଲଟା ଏବଂ ଛୋଟ ଛୋଟ ଗଛ ରହିଥିବାରୁ ଗାଡ଼ି ଚାଳକଙ୍କୁ ସଠିକ ଭାବେ ରାସ୍ତା ଦେଖାଯାଉ ନଥିବାରୁ ଦୁର୍ଘଟଣା ଘଟୁଛି । ପୁଣି ବେପାରୁଆ ଗାଡି ଚାଳନା, ଦ୍ରୁତଗତି,ନିଶା ସେବନ କରି ଗାଡି ଚଳାଇବା ସହ ଫୋନ୍‌ ଧରି ବାଇକ ଚଳାଇବା ହେଉଛି ଦୁର୍ଘଟଣାର ବିଭିନ୍ନ କାରଣ । ଖାଲି ସେତିକି ନୁହେଁ ବିନା ହେଲମେଟ୍‌ରେ ବାଇକ ଚଳାଇବା, ସିଟ ବେଲଟ୍‌ ନପିନ୍ଧିବା, ଟ୍ରାଫିକ ନିୟମ ଅମାନ୍ୟ ଏବଂ ଅସାବଧାନତା ଓ ସଚେତନତା ଅଭାବ ଯୋଗୁଁ ଦୁର୍ଘଟଣା ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି । ସେଥିଲାଗି ବ୍ୟାପକ ଭାବେ ଜନସଚେତନତା କରିବାକୁ ଦାବି ହୋଇଛି ।

ବାରମ୍ବାର ଦୁର୍ଘଟଣା ଯୋଗୁଁ ଅସମୟରେ ଚାଲି ଯାଉଛି ଅନେକ ନିରୀହ ଜୀବନ । ସଚେତନ ନାଁରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ବିଭାଗ ପ୍ରତି ବର୍ଷ ପାଣିଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହାର ପ୍ରଭାବ କେତେଦୂର ପଡୁଛି ଓ ଫଳାଫଳ କଣ ତାକୁ କେହି କେବେ ସମୀକ୍ଷା କରୁନଥିବା ଅଭିଯୋଗ ହୋଇଛି । ୫୭ ନମ୍ବର ଜାତୀୟ ରାଜପଥରେ ଯାଞ୍ଚ ବ୍ଯବସ୍ଥା କଡାକଡି ହେବା ସହ ତୃଣମୂଳ ସ୍ତରରେ ସଚେତନତାକୁ ଗୁରୁତ୍ୱ ଦେବା ଜରୁରୀ ହୋଇ ପଡିଛି । ସଡକ ସୁରକ୍ଷା ସହିତ ପ୍ରତି ବର୍ଷ ଲୋକଙ୍କୁ ଟ୍ରାଫିକ୍‌ ନିୟମ ବିଷୟରେ ଅବଗତ କରିବା ଅତ୍ୟନ୍ତ ଆବଶ୍ୟକ । ନଚେତ ଏହିଭଳି ଭାବେ ସଡ଼କ ଦୁର୍ଘଟଣାରେ ଅକାରଣରେ ଜୀବନ ଯାଉଥିବ। ଆଉ ଚାଲଇ ନଜାଣି ବାଟର ଦୋଷ ଭଳି ନିନ୍ଦା ପାଉଥିବ ଜିଲ୍ଲାର ମଧ୍ଯଭାଗ ଦେଇ ଯାଇଥିବା ଏହି ୫୭ ନଂମ୍ବର ଜାତୀୟ ରାଜପଥ । ଯାହକୁ ଏବେ ଲୋକେ କହୁଛନ୍ତି ମଣିଷଖିଆ ରାଜପଥ ।
ସୂଚନା ଅନୁସାରେ ଜିଲ୍ଲାରେ ୨୦୧୯ ମସିହା ଜାନୁୟାରୀ ମାସରୁ ଡିସେମ୍ବର ମାସ ମଧ୍ଯରେ ୧୦୦ଟି ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ ୫୩ ଜଣଙ୍କର ଜୀବନ ଯାଇଥିଲା । ସେହିପରି ୨୦୨୦ ମସିହାରେ ୭୫ଟି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ୫୬ ଜଣଙ୍କର । ୨୦୨୧ ମସିହା ଜାନୁୟାରୀ ମାସରୁ ଡିସେମ୍ବର ମାସ ମଧ୍ଯରେ ୧୨୧ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪୪ ଜଣଙ୍କର ଜୀବନ ଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ଦୁର୍ଘଟଣା ବଢ଼ିଛି । ବିଶେଷ କରି ଲକଡାଉନ ସମୟରେ ଅଧିକାଂଶ ଦୁର୍ଘଟଣା ହୋଇଥିବା ଜଣାଯାଇଛି ।

ଅପରପକ୍ଷେ ଦୁର୍ଘଟଣାକୁ କମାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ହେଲମେଟ୍‌ ଯାଞ୍ଚ କରି ୩୮୦୨ ଦୁଇ ଚକିଆ ଗାଡି ଚାଳକଙ୍କୁ ଦଣ୍ଡିତ କରାଯାଇଛି । ଏମାନଙ୍କ ମଧ୍ୟରୁ ୯୨୩ ଜଣଙ୍କର ଲାଇସେନସ୍‌ ରଦ୍ଦ ହୋଇଛି । ଓଭର ସ୍ପିଡ ପାଇଁ ୯୬୪ ଜଣ, ସିଟ୍‌ ବେଲଟ ପାଇଁ ଜଣକୁ, ମୋବାଇଲଫୋନରେ କଥାହୋଇ ଗାଡି ଚଳାଉଥିବା ୫୯ ଜଣଙ୍କୁ ଦଣ୍ଡ ମିଳିଛି । ସେହିପରି ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ୨୮ ଜଣଙ୍କୁ ତାଗିଦ କରାଯିବା ସହ ଏନଫୋର୍ସମେଣ୍ଟ ଟିମ ଚଢାଉ କରି ୨୦୮୭ ଜଣଙ୍କର ଲାଇସେନସ ରଦ୍ଦ କରାଯାଇଛି । ବିଭିନ୍ନ ସମୟରେ ମୋଟ ୪୩୫ ଚାଲାଣ ଇସୁ କରାଯାଇଛି । ଏମାବଦରେ ସେମାନଙ୍କ ଠାରୁ ମୋଟ୍‌୪ ଲକ୍ଷ ୬୧ ହଜାର ୩୦ ଟଙ୍କା ଫାଇନ ଆଦାୟ ହୋଇଛି । ଏପରିକି ୩୩୭ ଜଣଙ୍କ ଚାଲାଣ ପେଣ୍ଡିଙ୍ଗ ରହିଥିବା ବେଳେ ୧୬ ଲକ୍ଷ ୬୦ ହଜାର ୯ ଶହ ଟଙ୍କାର ରେଭିନ୍ୟୁ ବାକି ରହିଛି । ଜିଲ୍ଲାରେ ମୋଟ ୧୦ଟି ସ୍ଥାନକୁ ଦୁର୍ଘଟଣା ପ୍ରବଣ ଅଚଳ ଭାବେ ଚିହ୍ନଟ କରାଯାଇଥିବା ନେଇ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ଅବଶ୍ୟ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ଲୋକଙ୍କ ଧନ ଜୀବନ ସୁରକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

 

ସୁବର୍ଣ୍ଣପୁରରୁ ଶେଷଦେବ ବାରିକ, କେନ୍ୟୁଜ୍‌ ଓଡ଼ିଶା

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

12 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

14 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

20 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

29 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

29 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

47 mins ago