ଶାବର ଶ୍ରୀକ୍ଷେତ୍ରରୁ ଶୈଳ ଶ୍ରୀକ୍ଷେତ୍ର, ସବୁଠି କାଳିଆର ଲୀଳା : ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଲା ଘୋଷଯାତ୍ରା

ରଥ ଯାତ୍ରା ପାଇଁ ଲୋକାରଣ୍ୟ ଶାବର ଶ୍ରୀକ୍ଷେତ୍ର। କୋରାପୁଟରେ ପ୍ରଥମେ ଚକ୍ର ରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯାଇଥିଲା। ପହଣ୍ଡି ସମୟରେ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ଆନନ୍ଦ ଉହ୍ଲାସର ସହ କଡ଼ା ସୁରକ୍ଷା ମଧ୍ୟରେ ପହଣ୍ଡି ବିଜେ କରାଯାଇଥିଲା। ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ, ଡିଆଇଜି, ଏସ୍ପି ସମେତ ହଜାର ଭକ୍ତ ଉପସ୍ଥିତ ଥିଲେ। ମାଆ ବିମଳାଙ୍କ ପାଖରୁ ଆଜ୍ଞାମାଳ ପ୍ରାପ୍ତ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ବିଜେ କରିବା ପରେ ଜଗନ୍ନାଥଙ୍କ ରଥରେ ଆଦିବାସୀ ଗାଁ ନାୟକ ଦାସୀ ପରଜା ଛେରା ପହଁରା କରିଥିଲେ। ବଳଭଦ୍ରଙ୍କ ରଥରେ ଜିଲ୍ଲାପାଳ ଓ ଦେବୀ ସୁଭଦ୍ରାଙ୍କ ରଥରେ ଏସ୍ପି ଛେରା ପହଁରା କରିଥିଲେ। ଅପରାହ୍ନ ୨ଟାରେ ରଥଟଣା ହୋଇଥିଲା। ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଅଧାରାସ୍ତାରେ ଅଟକି ରହିଛି। ଶୁଭଦ୍ରାଙ୍କ ରଥକୁ ମହିଳାମାନଙ୍କ ଦ୍ୱାରା ପୂଜା କରିବା ପରେ ମହିଳାମାନେ ରଥକୁ ଟାଣିଥିଲେ। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇନାହିଁ।

ଗଜପତି ଜିଲ୍ଲା ସଦରମହକୁମା ପାରଳଖେମୁଣ୍ଡିଠାରେ ରଥାଯାତ୍ରା ପାଇଁ ଉତ୍ସବର ମାହୋଲ। ସକାଳୁ ସକାଳୁ ତିନି ରଥ ପ୍ରତିଷ୍ଠା ସହ ତିନି ଠାକୁରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ, ପହଣ୍ଡି ବିଜେ କରାଯାଇଥିଲା। ପଡୋଶୀ ଆନ୍ଧ୍ରପ୍ରଦେଶ ସମେତ ଗଜପତି ଜିଲ୍ଲା ଓ ଆଖପାଖରୁ ବହୁ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସେପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଭକ୍ତଙ୍କ ଭିଡକୁ ଦେଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ନଇରୀ ସ୍ଥିତ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ର କଙ୍କଣ ଶିଖରୀରେ ମହାଆଡ଼ମ୍ବରରେ ପାଳିତ ହୋଇଛି ରଥଯାତ୍ରା । ଚିଲିକା ମଧ୍ୟରେ ଥିବା ଏକ ଦ୍ୱିପରେ ଅବସ୍ଥିତ ଜଗନାଥଙ୍କ ଲୀଳାକ୍ଷେତ୍ରରେ ତିନି ଠାକୁରଙ୍କୁ ପହଣ୍ଡିବିଜେ କରାଯାଇ ନୌକାରେ ମହାପ୍ରଭୁଙ୍କୁ ରଥା ରୁଢ କରାଯାଇଥିଲା । ଏହାପରେ ଦ୍ୱିପ ଚାରିପଟେ ତିନି ଥର ନୌକା ପରିକ୍ରମା କରାଯିବା ସହ ଘଣ୍ଟ, ବାଦ୍ୟ ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଭଜନ ସମାରୋହ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଯାଜପୁର ଜିଲ୍ଲା ଧର୍ମଶାଳାରେ ପବିତ୍ର ଘୋଷଯାତ୍ରା ପାଳିତ ହୋଇଯାଇଛି। ଧର୍ମଶାଳା ମୁନ୍ସୀ ମିଳନ କମିଟି ଓ ଭାଲୁ ଖାଇ ଜଗନ୍ନାଥ ମନ୍ଦିର କମିଟିର ମିଳିତ ଉଦ୍ୟମରେ ଏହି ରଥାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ପହିଲିଭୋଗ, ମଇଲମ, ତଡପଲାଗି , ମଙ୍ଗଳଆଳତୀ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା। ଘଣ୍ଟ , ଘଣ୍ଟା ଓ ବାଦ୍ୟରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ପରମ୍ପରା ଅନୁୟାୟୀ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ରଥରେ ଛେରା ପହଁରା କରିଥିଲେ। ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ହୋଇଥିଲା। ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିବା ସହ ଭକ୍ତମାନଙ୍କ ସହ ରଥ ଟାଣିଥିଲେ। ରଥକୁ ଧର୍ମଶାଳା ହାଟସ୍ଥିତ ମାଉସୀ ମାଆ ମନ୍ଦିର ପର‌୍ୟ୍ୟନ୍ତ ନିଆଯାଇଥିଲା।

କେନ୍ଦୁଝରରେ ଶାନ୍ତି ଶ୍‌ୃଙ୍ଖଳାର ସହ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ୩ ଠାକୁରଙ୍କର ଅବକାଶ ନୀତି ପରେ, ମଙ୍ଗଳ ଆଳତି ଓ ସୂର‌୍ୟ୍ୟ ପୂଜା କରାଯାଇଥିଲା। ପରେ ୩ ଠାକୁରଙ୍କୁ ରାଜ ପରିବାର ଦ୍ୱାରା ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଅଣାଯିବା ସହ ରଥାରୁଢ କରାଯାଇଥିଲା। ଚାରମାଳ ଫିଟିବା ପରେ, ବଶ୍ୱବନ୍ଧା ପହଁରା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ରଥଟଣା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ରଥଯାତ୍ରା ପାଇଁ ବାରିପଦା ଚଳଚଞ୍ଚଳ। ପୁରୀ ଘୋଷ ଯାତ୍ରାର ଗୋଟିଏ ଦିନ ପରେ ବାରିପଦାରେ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ବିଶ୍ୱାସ ରହିଛି , ପୁରୀ ରଥଯାତ୍ରା ପରଦିନ ଏଠାରେ ବିଜେ ହୁଅନ୍ତି ମହାପ୍ରଭୁ। ଆଜି ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇଛନ୍ତି। ଆସନ୍ତା ଦୁଇ ଦିନ ଧରି ରଥଟଣା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ବଳଭଦ୍ରଙ୍କ ରଥ ମାଉସୀ ମାଆଙ୍କ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହେବ ଦେବୀ ସୁଭଦ୍ରାଙ୍କ ରଥଟଣା। ସୁଭଦ୍ରାଙ୍କ ରଥ ଅଧା ବାଟ ଟଣାଯାଇ ବାରିପଦା ଟାଉନ ଥାନାରେ ସମ୍ମୁଖରେ ରହିବ। ତା ପର ଦିନ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣାଯିବ। ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଥାନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରାୟଗଡ଼ା ଜିଲ୍ଲାରେ ପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ତିନି ଠାକୁରଙ୍କ ପହଣ୍ଡି ବିଜେ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ। ଭକ୍ତଙ୍କ ଭିଡକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟାରେ ସୂର‌୍ୟ୍ୟପୂଜା, ରଥ ପ୍ରତିଷ୍ଠା ପରେ ୯.୩୦ ମିନିଟରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା। ତିନି ଠାକୁର ରଥାରୁଢ ହୋଇଥିଲେ। ଅପରାହ୍ନ ୪ଟାରେ ଛେରା ପହଁରା ପରେ ରଥା ଟଣା ହୋଇଥିଲା। ୧୯୮୮ ମସିହାରୁ ମହା ଆଡମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।ଭିଡକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଢେଙ୍କାନାଳରେ ରଥଯାତ୍ରା ପାଳିତ ହୋଇଯାଇଛି। ଢେଙ୍କାନାଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ତିନି ଠାକୁର ପାଶାଣ ଦିଅଁ ଭାବେ ପୂଜା ପାଉଛନ୍ତି। ପାର୍ଶ୍ୱ ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ରଥାରୁଢ଼ କରାଯାଇଛି। ପଂରପରା ଅନୁଯାୟୀ ରାଜପ୍ରାସାଦରୁ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରାକୁ ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଓ ରାଜ ପରିବାରର ରାଜ ପୋରଧା ନାମ ସଂକୀର୍ତ୍ତନ ସହ ପହଣ୍ଡିରେ ଆସି ରଥା ରୁଢ ହୋଇଥାନ୍ତି। ଦୁଇଟି ରଥରେ ଠାକୁର ରଥଗଡ଼ାଠାରୁ ବାଜି ଚୌକରେ ଥିବା ମାଉସୀ ମାଆ ମନ୍ଦିର ଯାତ୍ରା କରିଥାନ୍ତି। ସାନ ରଥକୁ କେବଳ ମହିଳାମାନେ ଟାଣୁଥିବା ବେଳେ , ବଡରଥକୁ ସମସ୍ତ ଭକ୍ତମାନେ ଟାଣିଥାନ୍ତି। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ରଥଯାତ୍ରା ପାଇଁ ଚଳଚଞ୍ଚଳ ଅନୁଗୁଳର ଶୈଳ ଶ୍ରୀକ୍ଷେତ୍ର। ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଦର୍ଶନ କରିଛନ୍ତି ଭକ୍ତ। ଭଜନ ଓ କୀର୍ତ୍ତନରେ ବଡଦାଣ୍ଡ କମ୍ପି ଉଠିଥିଲା। ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ। ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯାଇ ରଥଟଣା ହୋଇଥିଲା। ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଉପରେ ଜିଲ୍ଲାପାଳ ମନୋଜ ମହାନ୍ତି ଛେରା ପହଁରା କାର‌୍ୟ୍ୟ ସମାପନ କରିଥିଲେ। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ରଥ ଦଉଡିକୁ ଟାଣିଥିଲେ ଭକ୍ତ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

4 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

6 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

7 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

8 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

8 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

9 hours ago