ସ୍ପେଶାଲ

କଟକ ବସ୍ତିରୁ ଦିଲ୍ଲୀ ରାଜ୍ୟସଭା : ଏଭଳି ଜଣେ ଦରଦୀ ନେତା ସୁଭାଷ ସିଂହ

ରାଜ୍ୟର ସବୁଠାରୁ ପୁରାତନ ସହର କଟକ । ଏଇ ସହରରେ ଭରି ରହିଛି ଅନେକ ବସ୍ତି। ବସ୍ତି ବାସିନ୍ଦାଙ୍କ ଜୀବନ ଜୀବିକାକୁ ଦେଖିଲେ ସେଥିରୁ ସ୍ପଷ୍ଟ ହୋଇଥାଏ ଦାରିଦ୍ର୍ୟ କଣ। ତେବେ ସେମାନଙ୍କ ଦୁଃଖ, କଷ୍ଟ ଓ ସମସ୍ୟାକୁ ପାଖରୁ ଦେଖିବାକୁ ଚେଷ୍ଟା କରିଥିଲେ ଜଣେ ବ୍ୟକ୍ତି । ସେମାନଙ୍କ କଥା ଶୁଣିଲେ, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସ୍ୱର ଉତ୍ତୋଳନ କଲେ । ଆଉ ପାଲଟିଗଲେ ବସ୍ତିବାଲାଙ୍କ ନେତା । ଦୀର୍ଘ ଦିନ ଧରି ଚାଲିଲା ସଂଘର୍ଷ । ସେଇମାନଙ୍କ ଭିତରୁ ଜଣେ ହୋଇ ବସ୍ତିର ବିକାଶ ପାଇଁ ଆନ୍ଦୋଳନ ଚଳାଇଲେ । ଆଉ ଆଜି ସେ ହେଉଛନ୍ତି ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା । ଏବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁଭାଷ ସିଂ। ବସ୍ତିବାସିନ୍ଦା, ନିର୍ମାଣ ଶ୍ରମିକ, ଅଟୋ ଚାଳକ, ଟ୍ୟାକ୍ସି ଚାଳକ ଏହି ଭଳି ଦିନ ମଜୁରିଆ, ଖଟିଖିଆଙ୍କ ନେତା ଭାବେ ସାରା ରାଜ୍ୟ ତାଙ୍କୁ ଜାଣିଥିଲା। ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଏବେ ପଠାଇଛନ୍ତି ରାଜ୍ୟ ସଭାକୁ। ଯେଉଁମାନଙ୍କ ପାଇଁ ସେ ଲଢ଼ି ଆସୁଛନ୍ତି ଓଡିଶାର ସେହି ଖଟିଖିଆ, ଶ୍ରମିକ ଓ ବସ୍ତିବାସିନ୍ଦାଙ୍କ ସ୍ୱର ସଂସଦରେ ଉଠାଇବାକୁ ପଣ କରିଛନ୍ତି ସୁଭାଷ।

ବେଶଭୁଷା ଏବଂ କଥାବାର୍ତ୍ତାରେ ଅତି ସାଦାସିଧା ମଣିଷ ସୁଭାଷ ସିଂ। କଟକ କାଳିଗଳି ଘରେ ରୁହନ୍ତି । ସକାଳେ ଆମ ପ୍ରତିନିଧି ତାଙ୍କ ଘରେ ପହଞ୍ଚିବା ବେଳେ ସୁଭାଷ ସିଂ ଚିରାଚରିତ ଭାବେ ଚୁଡାଭଜା ଓ ମିକ୍ସଚର ମିଶାଇ ସକାଳ ଜଳଖିଆ କରୁଥାନ୍ତି। କେନ୍ଦ୍ରାପଡା ରାଜକନିକାର ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ତାଙ୍କର ଜନ୍ମ ୧୯୫୯ ମସିହା ଅଗଷ୍ଟ ୧୫ ତାରିଖରେ। ବୋଧହୁଏ ନେତାଜୀ ସୁଭାଷ ବୋଷଙ୍କୁ ସ୍ମରଣ କରି ବାପା ମା ନାମ ଦେଇଥିଲେ ସୁଭାଷ । କେନ୍ଦ୍ରାପଡା କଲେଜରୁ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି କରିବା ପରେ କଟକ ସହରକୁ ନିଜର କର୍ମକ୍ଷେତ୍ର ଭାବେ ବାଛିଥିଲେ ସୁଭାଷ ସିଂ। କମ୍ୟୁନିଷ୍ଟ ଚିନ୍ତାଧାରାରେ ନିଜକୁ ସାମିଲ କରି ସିପିଆଇ(ଏମ)ର ସମ୍ପାଦକ ଭାବେ କଟକ ସହରରେ କାର୍ଯ୍ୟ ଆରମ୍ଭ କରିଥିଲେ । କଟକ ସହରର ସାହି ବସ୍ତି ପାଣି ପବନ ସହ ନିଜକୁ ଜଡିତ କରି ଦେଇଛନ୍ତି ସେ। ବସ୍ତି ବାସିନ୍ଦା, ଦିନ ମଜୁରିଆଙ୍କ ନେତାରୁ ତାଙ୍କର ସଂସଦ ଭବନ ଯାତ୍ରା ବେଶ୍‌ ହୃଦସ୍ପର୍ଶୀ ।

କଟକ ସହରରେ କର୍ମମୟ ଜୀବନ ଆରମ୍ଭ କରିଥିବା ସୁଭାଷ ସିଂ ହାଇକୋର୍ଟ ସାମନା କାଳୀଗଳିର ସ୍ୱର୍ଗତ ଡାକ୍ତର ନିର୍ମଳ ଚନ୍ଦ୍ର ଦାସଙ୍କ ଝିଅ ଡାକ୍ତର ନିବେଦିତା ଦାସଙ୍କୁ ବିବାହ କରିଥିଲେ । ଏହା ପରେ ଠିକଣା ବଦଳି ଯାଇଥିଲା ସୁଭାଷଙ୍କର। କଟକ ସହରର ସ୍ଥାୟୀ ବାସିନ୍ଦା ହୋଇ ଯାଇଥିଲେ ସୁଭାଷ। ପତ୍ନୀ ନିବେଦିତା ଦାସ ସରକାରୀ ଚାକିରି କରିଥିଲେ ମଧ୍ୟ ସୁଭାଷଙ୍କର କଟକରେ ରହିବା ନିଶା ଯୋଗୁଁ ତାଙ୍କୁ ଚାକିରି ଛାଡିବାକୁ ପଡିଥିଲା। ହୋମିଓପାଥି ଡାକ୍ତର ନିବେଦିତା ଦାସ ପ୍ରତିଦିନ ନିଜ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଥାନ୍ତି। ସ୍ୱାମୀଙ୍କ ସମାଜସେବାରୁ ପ୍ରେରଣା ପାଇ ଏବେ ବିନା ପାରିଶ୍ରମିକରେ ରୋଗୀ ଦେଖୁଛନ୍ତି।
କଟକ ସହରରୁ ଭୁବନେଶ୍ୱରକୁ ସରକାରୀ ଅଫିସ ଉଠିଯିବାର ପ୍ରତିବାଦ ହେଉ ଅବା କେଉଁ ବସ୍ତି ଉଚ୍ଛେଦ, ସବୁ ସମୟରେ ଲଢେଇର ଆଗରେ ଥାନ୍ତି ସୁଭାଷ ସିଂ। କଟକ ବଞ୍ଚାଅ କମିଟି କରି ଖଟିଖିଆଙ୍କ ପାଇଁ ଲଢେଇ କରୁଥିଲେ । ୨୦୧୦ ମସିହା ଜୁଲାଇ ୪ ତାରିଖର ଘଟଣା। ଏସ୍‌ସିବି ମେଡିକାଲ କଲେଜର ନୂତନ ହଷ୍ଟେଲ ନିର୍ମାଣ ପାଇଁ ଜୟ ମଙ୍ଗଳା ବସ୍ତି ଉଚ୍ଛେଦ ଚାଲିଥାଏ। ଏହାର ପ୍ରତିବାଦର ନେତୃତ୍ୱ ନେଉଥାନ୍ତି ସୁଭାଷ ସିଂ। ପୋଲିସର ଲାଠି ମାଡ଼ରେ ଗୁରୁତର ହେଲେ । ଦୀର୍ଘଦିନ ଧରି ହସପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେ । କିନ୍ତୁ ବସ୍ତିବାସିନ୍ଦା ଓ କଟକବାସୀଙ୍କ ପାଇଁ ତାଙ୍କର ଲଢେଇ ଜାରି ରହିଲା।

ନିର୍ମାଣ ଶ୍ରମିକ ସଂଗଠନ କରି ନିର୍ମାଣ ଶ୍ରମିକମାନଙ୍କର ଅଧିକାର ପାଇଁ ଲଢେଇ କଲେ। ଗରିବମାନଙ୍କ ପାଇଁ ତାଙ୍କର ନିଷ୍ଠାପର ସେବା ଓ ସଂଗ୍ରାମରେ ପ୍ରଭାବିତ ହୋଇଥିଲେ । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ।୨୦୧୨ ମସିହାରେ ଏହି ସିପିଆଇ(ଏମ) ନେତାଙ୍କୁ ନିଜ ଦଳରେ ସାମିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୪ ନିର୍ବାଚନ ପରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲେ । ରାଜ୍ୟ ସଭାକୁ ଯିବା ପରେ ମଧ୍ୟ ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ତାଙ୍କ ଲଢ଼େଇ ଓ ଦାବି ଉପସ୍ଥାପନ ଜାରି ରହିବ ବୋଲି ସୁଭାଷ କହିଛନ୍ତି ।
ସୁଭାଷଙ୍କ ନାମରେ ଥିବା ୧୧ଟି ମାମଲା କେବଳ ଲୋକଙ୍କ ପାଇଁ କରିଥିବା ଧର୍ମଘଟ ଓ ଆନ୍ଦୋଳନ ପାଇଁ ହିଁ ରୁଜୁ ହୋଇଛି। ରାସ୍ତାକଡ ଉଠା ଦୋକାନୀ ସଂଘ ଠାରୁ ଆରମ୍ଭ କରି ଫୁଲ ଦୋକାନୀ ସଂଘ ପର୍ଯ୍ୟନ୍ତ କଟକ ସହରର ସମସ୍ତ ସଂଘର ସଭାପତି ଥିଲେ ସୁଭାଷ ସିଂ। ପ୍ରତ୍ୟେକ ଦିନ ପ୍ରଶାସନ ବିରୋଧରେ କରୁଥିଲେ ଆନ୍ଦୋଳନ, ଧର୍ମଘଟ ଓ ଶୋଭାଯାତ୍ରା। କଟକ ଅଟୋ ସଂଘରୁ ଓଡିଶା ଅଟୋ ମହାସଂଘ ସଭାପତି ବନିଥିଲେ ସେ। ସବୁବେଳେ ତାଙ୍କର ଚିନ୍ତା ଥିଲା ଏହିଭଳି ଲୋକଙ୍କର ଉନ୍ନତି କିଭଳି ହେବ। ସେଥିପାଇଁ ରାଜ୍ୟସଭା ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ହେବା ପରେ ସବୁବର୍ଗରୁ ଶୁଭେଚ୍ଛାର ସୁଅ ଛୁଟିଛି ସୁଭାଷଙ୍କ ପାଖକୁ।

ଦୀର୍ଘ ୨୦ ବର୍ଷ ତଳେ ଓଡିଶାରେ ଅଙ୍ଗଦାନ କଥା କେହି ଚିନ୍ତା କରି ନଥିବା ବେଳେ ସୁଭାଷ ସିଂ ଓ ତାଙ୍କ ପତ୍ନୀ ମୃତ୍ୟୁ ପରେ ନିଜ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇ ଚୁକ୍ତି କରି ସାରିଛନ୍ତି । ଏଭଳି ଜଣେ ଦରଦୀ ନେତା ରାଜ୍ୟସଭାକୁ ଗଲେ ସେଠାରେ ଓଡିଶାର ସ୍ୱର ଆହୁରି ଶାଣିତ ହେବ ବୋଲି ଆଶା କରାଯାଉଛି।

କଟକରୁ ବିଭୂତି ସାହୁ, କେ ନ୍ୟୁଜ୍‌ ଓଡ଼ିଶା

 

 

 

 

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

5 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

22 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

35 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

44 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

47 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago