ରାଜ୍ୟ

ମତ୍ସ୍ୟଜୀବୀଙ୍କ ଆରାଧ୍ୟ ଦେବୀ ଗଙ୍ଗାଦେବୀ ଠାକୁରାଣୀ, ମା’ଙ୍କୁ ସୁମରଣା କରି ସମୁଦ୍ରକୁ ଗଲେ ମାଛରେ ଭରିଦିଅନ୍ତି ଡଙ୍ଗା

ସଂସ୍କୃତି ଓ ଐତିହରେ ଭରା ଆମ ରାଜ୍ଯ ଓଡ଼ିଶା। ଆସ୍ଥା ଓ ଲୋକ ବିଶ୍ୱାସ ଏଠି ପଥରକୁ ସଜାଇ ଦିଏ ଦେବତା। ଆଉ ବିଶ୍ଵାସରେ ସେହି ଦେବତା ସାଜିଥିବା ପଥର ବି କୁହେ କଥା। ସେହିଭଳି ଏକ ଆସ୍ଥା ଓ ବିଶ୍ଵାସର ପୀଠ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଦେବୀ ନଦୀ ଧାରରେ ଅବସ୍ଥିତ ମା’ ଗଙ୍ଗାଦେବୀଙ୍କ ପୀଠ। ଘଞ୍ଚ ଝାଉଁବଣ ଘେରା ଓ କୁଳୁକୁଳୁ ନାଦ କରି ବହିଯାଇଥିବା ଦେବୀନଦୀର ପାଦ ଦେଶରେ ଅବସ୍ଥିତ ଏକ ବାଲିବନ୍ତ ଉପରେ କାହିଁ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଛନ୍ତି ମା’ ଗଙ୍ଗାଦେବୀ ଠାକୁରାଣୀ। ବିଶେଷ କରି ମତ୍ସ୍ୟଜୀବୀମାନଙ୍କର କୁଳ ଦେବୀ ହେଲେ ମା’ ଗଙ୍ଗାଦେବୀ। ଯେତେ ବିପଦ ଆପଦ ଅବା ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି ମା’ ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତି। ବିଶାଳ ସମୁଦ୍ରଗର୍ଭରେ ଡଙ୍ଗା ନେଇ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀମାନଙ୍କର ସାହା ଭରସା ହେଉଛନ୍ତି ମା’।

ମତ୍ସ୍ୟଜୀବୀ ମାନଙ୍କର ବିଶ୍ଵାସ ରହିଛି ମା’ଙ୍କ ଦୟା ହେଲେ ଜାଲରେ ଭରିଯାନ୍ତି ମାଛ। ଆଉ ଗରିବ ମତ୍ସ୍ୟଜୀବୀ ପରିବାରରେ ଚୁଲିଜଳେ। ମା’ ଗଙ୍ଗାଦେବୀଙ୍କୁ ଏଠାରେ ଚଣ୍ଡୀରୂପରେ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ନିକଟରେ ଆମିଷ ଭୋଗ ଲାଗିହୁଏ। ମା’ଙ୍କ ସେବା ପୂଜା କରିଥାନ୍ତି ମତ୍ସ୍ୟଜୀବୀ ପରିବାର। ଯେତେବେଳେ ଯେଉଁ ମତ୍ସ୍ୟଜୀବୀ ଡଙ୍ଗାଖୋଲି ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ବାହାରିଥାଏ ସେ ଏହି ମା’ ଗଙ୍ଗାଦେବୀ ରହିଥିବା ଦେବୀ ନଦୀ ଧାରଦେଇ ସମୁଦ୍ର ମଧ୍ୟକୁ ଯାଇଥାଏ। ସମୁଦ୍ର ମଧ୍ୟକୁ ଯିବା ସମୟରେ ମା’ ଗଙ୍ଗାଦେବୀଙ୍କୁ ସୁମରଣା କରି ଡଙ୍ଗାରେ ଥାଇ ମା’ଙ୍କ ଉଦ୍ଦେଶ୍ୟରେ ତିନି ଆଞ୍ଜୁଳା ପାଣି ଟେକିଦେଇ ମୁଣ୍ଡିଆ ମାରି ଯାଇଥାନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ମା’ଙ୍କୁ ଗୁହାରି କରି କହିଥାନ୍ତି ହେ ମା’ ମୁହାଣ ଚଣ୍ଡୀ ମା’ ଗଙ୍ଗାଦେବୀ, ଆମେ ଆମ ପେଟପାଇଁ କୁଳବେଉସା ଆଦରି ଅଥଳ ସମୁଦ୍ରକୁ ଯାଉଛୁ ହେ ମା’ ଆମେ ଆଉ ଆମ ପରିବାର ତୋତେ ଲାଗିଲା। ଏହିଭଳି ସୁମରଣା କରି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି। ମା’ଙ୍କୁ ସୁମରଣା କରି ଡଙ୍ଗା ଫିଟାଇଲେ କୌଣସି ବାଧା ବିଘ୍ନ ଆସିନଥାଏ ବୋଲି ମତ୍ସ୍ୟଜୀବୀମାନେ କୁହନ୍ତି।

ମା’ ଗଙ୍ଗାଦେବୀଙ୍କୁ ବିଶ୍ଵାସ କରୁଥିବା ମତ୍ସ୍ୟଜୀବୀମାନେ ଉପକୂଳ ଅଞ୍ଚଳରେ ବସବାସ କରିଥାନ୍ତି। ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ ଉପକୂଳ ଅଞ୍ଚଳବାସୀଙ୍କୁ ସାମ୍ନା କରିବାକୁ ପଡିଥାଏ। ବିଭିନ୍ନ ବାତ୍ୟାବନ୍ଯା ସମୟରେ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ ଗଙ୍ଗାଦେବୀଙ୍କ କୃପାରୁ ଏଠାକାର ମତ୍ସ୍ୟଜୀବୀଙ୍କର ବିଶେଷ କିଛି କ୍ଷତି ହୋଇନଥାଏ ବୋଲି ସେମାନେ କୁହନ୍ତି। ମା’ ସେମାନଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତି। ମା’ଙ୍କ ମହିମା ଅପାର, ଯେତେବେଳେ ସମୁଦ୍ର ଓ ନଦୀରେ ମାଛ ଧରୁଥିବା ସମୟରେ କୌଣସି ବିପଦ ଆସେ ସେତେବେଳେ ମତ୍ସ୍ୟଜୀବୀମାନେ ଗଙ୍ଗାଦେବୀଙ୍କ ନାମ ସୁମରଣା କରିବା ମାତ୍ରେ ସେ ବିପଦ ଟଳି ଯାଇଥାଏ। ମା’ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାନ୍ତି ମା’ ତାହାକୁ ପୂରଣ କରିଥାନ୍ତି। ମାନସିକ ପୂରଣ ହେଲାପରେ କେଉଁ ଭକ୍ତ ମା’ଙ୍କ ପାଖରେ ବୋଦା ବଳି ଦେଇଥାନ୍ତି ତ ଆଉ କିଏ ମାଛ ଭୋଗ ଲଗାଇଥାନ୍ତି। ଏତିକିରେ ହିଁ ସନ୍ତୁଷ୍ଟ ହୋଇଥାନ୍ତି ମା’।

WCW 11

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

24 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

32 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

47 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

53 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago