ଜନ୍ମରୁ ଗୋଡ଼ର ଆଣ୍ଠୁ ତଳୁକୁ ନାହିଁ, କି ହାତ ପାପୁଲି ବି ନାହିଁ; ହେଲେ ମନରେ ଅଛି ଅଦମ୍ୟ ଆତ୍ମବିଶ୍ୱାସ
ଯେଉଁ ମାନଙ୍କୁ ଦିବ୍ୟାଙ୍ଗ ଭାବରେ ଜନ୍ମ ଦେଇଛନ୍ତି ସେମାନଙ୍କ ପାଖରେ ଭରିଦେଇଛନ୍ତି ଅଦମ୍ୟ ଆତ୍ମବିଶ୍ୱାସ । ଏମିତି ଜଣେ ଦୃଢ଼ମନା ଝିଅଟିଏ ହେଉଛି ସୁଭଦ୍ରା । ପାଠ ପଢିବି ବଡ଼ ମଣିଷ ହେବି। ଚାକିର କରି ନିଜ ଗୋଡ଼ରେ ଛିଡା ହେବି । ସବୁଦିନ ଏମିତି କିଛି ସଙ୍କଳ୍ପ ନେଇ ନିଜ ସଂଘର୍ଷ ଜାରି ରହିଛନ୍ତି ସୁଭଦ୍ରା ।
କଟକ(କେନ୍ୟୁଜ୍): ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଦୁର୍ବଳତାକୁ ହିଁ ନିଜର ଶକ୍ତି ବନାଇ ଦେଇଛନ୍ତି। ସତରେ ଈଶ୍ୱରଙ୍କ ଲୀଳା ବଡ ବିଚିତ୍ର ,କାହାକୁ ସୁସ୍ଥ ଆଉ ସୁନ୍ଦର ଭାବରେ ଗଢି ତୋଳିଛନ୍ତି ତ ଆଉ କାହାକୁ ଦିବ୍ୟାଙ୍ଗ । ଯେଉଁ ମାନଙ୍କୁ ଦିବ୍ୟାଙ୍ଗ ଭାବରେ ଜନ୍ମ ଦେଇଛନ୍ତି ସେମାନଙ୍କ ପାଖରେ ଭରିଦେଇଛନ୍ତି ଅଦମ୍ୟ ଆତ୍ମବିଶ୍ୱାସ । ଏମିତି ଜଣେ ଦୃଢ଼ମନା ଝିଅଟିଏ ହେଉଛି ସୁଭଦ୍ରା ।
ପାଠ ପଢିବି ବଡ଼ ମଣିଷ ହେବି। ଚାକିର କରି ନିଜ ଗୋଡ଼ରେ ଛିଡା ହେବି । ସବୁଦିନ ଏମିତି କିଛି ସଙ୍କଳ୍ପ ନେଇ ନିଜ ସଂଘର୍ଷ ଜାରି ରହିଛନ୍ତି ସୁଭଦ୍ରା । ଜନ୍ମରୁ ଗୋଡ଼ର ଆଣ୍ଠୁ ତଳ କୁ ନାହିଁ , ହାତ ପାପୁଲି ବି ନାହିଁ । ହେଲେ ନିଜ କାମ କରିବା ପାଇଁ କାହା ଉପରେ ନିର୍ଭରଶୀଳ ନୁହନ୍ତି ସୁଭଦ୍ରା । କଟକ କନ୍ଦରପୁର ପଞ୍ଚାୟତର ବମ୍ବୁରି ଗ୍ରାମର ବାବୁଲି ଓ ବେବିଙ୍କ ଝିଅ ହେଉଛନ୍ତି ସୁଭଦ୍ରା । ଜନ୍ମରୁ ଦିବ୍ୟାଙ୍ଗ । ହାତ ଗୋଡ଼ ନ ଥିଲେ ବି ଭଲ ପାଠ ପଢିବା ସହ ଚିତ୍ର ଆଙ୍କିବାକୁ ଭଲ ପାଆନ୍ତି ସେ । ସୁଭଦ୍ରା ଏବେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଆସନ୍ତା ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବେ ।
ହାତଗୋଡ଼ ନ ଥାଇ ମଧ୍ୟ ଲେଖିବା, ଚିତ୍ର କରିବା, ନାଚିବା ଆଦି ବିଭିନ୍ନ କଳାରେ ସେ ପାରଙ୍ଗମ । ସୁଭଦ୍ରାଙ୍କ ବଡ଼ ଭଉଣୀ ତାଙ୍କୁ ପ୍ରତିଦିନ ସ୍କୁଲ ନେବା ଆଣିବା କରିଥାନ୍ତି । ତେବେ ଭଉଣୀଙ୍କ ବିବାହ ହୋଇଗଲା ପରେ ସମ୍ପୂର୍ଣ୍ଣ ବେସାହାରା ହୋଇପଡିବେ ସୁଭଦ୍ରା । ଯେହେତୁ ସୁଭଦ୍ରା ଧିରେ ଧିରେ ବଡ ହେଉଛନ୍ତି ତାଙ୍କ ମା ବି ନବା ଆଣିବା କରିପାରୁନାହାନ୍ତି । ଏମାନଙ୍କୁ ଛାଡିଦେଲେ ସୁଭଦ୍ରାଙ୍କୁ ସ୍କୁଲ ନେବା ଆଣିବାକୁ ଆଉ କେହି ନାହିଁ । କାରଣ ବାପା ଯଦି ତାଙ୍କୁ ସ୍କୁଲକୁ ନବା ଆଣିବା କରିବେ ତା ହେଲେ ସେ ଆଉ ମୂଲ ଲାଗିବାକୁ ଯାଇପାରିବେ ନାହିଁ । ରୋଜଗାର ବନ୍ଦ ହୋଇଯିବ । ଆଉ ରୋଜଗାର ବନ୍ଦ ହୋଇଗଲେ ଘର କେମିତି ଚଳିବ?
ଭଲ ପାଠ ପଢି ଭଲ ସରକାରୀ ଚାକିରି କରିବା ସୁଭଦ୍ରାଙ୍କ ଲକ୍ଷ୍ୟ । ହେଲେ ହାତ ଗୋଡ଼ ନ ଥିବାରୁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସୁଭଦ୍ରା । ସ୍କୁଲ ଯିବା ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ସୁଭଦ୍ରା ଓ ତାଙ୍କ ପରିବାର ଲୋକଙ୍କ କହିବା କଥା ଯଦି ସୁଭଦ୍ରାଙ୍କୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳିପାରନ୍ତା, ତାହାଲେ ସୁଭଦ୍ରା ଆଗକୁ ବଢିବା ସହ ନିଜ ଗୋଡରେ ନିଜେ ଛିଡା ହୋଇପାରନ୍ତେ । ଭଲ ଚାକିରିଟିଏ କରି ଆତ୍ମନିର୍ଭରଶୀଳ ହୋଇପାରନ୍ତେ ।
ଦିବ୍ୟାଙ୍ଗ ହେଲେ କେତେଯେ ସ୍ୱପ୍ନକୁ ମାରିବାକୁ ପଡେ, ତାହାର କେହି କଳ୍ପନା ବି କାରପାରିବେ ନାହିଁ । ଆଉ ଏଭଳି ଲୋକଙ୍କ ପାଇଁ ସରକାର କେତେ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି । କିନ୍ତୁ ପ୍ରକୃତ ଦିବ୍ୟାଙ୍ଗ ଲୋକଙ୍କ ପାଖରେ ତାହା କଣ ପହଞ୍ଚି ପାରୁଛି? ତେବେ ଦେଖାଯାଉ ସୁଭଦ୍ରାଙ୍କ ଗୁହାରୀ କେବେ ଶୁଣୁଛନ୍ତି ସରକାର।