Below header

ମା’ଙ୍କ ପାଦରେ ଆଘାତ ନଲାଗିବା ପାଇଁ ଭିନ୍ନ ଢଙ୍ଗରେ ପାଳନ କରାଯାଏ ଦୁର୍ଗାପୂଜା, ରାସ୍ତାରେ ବିଛାଯାଏ ନୂଆ ଶାଢୀ

ମା’ଙ୍କୁ ପାଛୋଟି ଆଣିବା ପାଇଁ ଗାଁ ଲୋକମାନେ ରାସ୍ତାରେ ନୂଆ ଶାଢି ବିଛାନ୍ତି । ଏଭଳି ଭିନ୍ନ ଦୃଶ୍ୟ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମିର୍ଜାପୁର ଗାଁରେ ଦେଖିବାକୁ ମିଳିଛି । ଶହ ଶହ ବର୍ଷ ଧରି ଏଠାରେ ଚାଲି ଆସିଛି ଦୁର୍ଗାପୂଜା । ରାସ୍ତାରେ ନୂଆ ଶାଢି ବିଛାଯାଇ ମାଙ୍କୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥାଏ ।

ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା । ଦୁଷ୍ଟ ମାନଙ୍କୁ ସଂହାର କରିବା ପାଇଁ ମା’ ପୃଥିବୀକୁ ଓହ୍ଲାଇ ଆସିଛନ୍ତି । ମା’ଙ୍କ ଆଗମନରେ କାଶତଣ୍ଡୀ ଫୁଟି ମା’ଙ୍କୁ ସ୍ୱାଗତ ଜଣାଉଛି । ମାଙ୍କ ପୂଜା ତ ସବୁସ୍ଥାନରେ ପାଳନ କରାଯାଏ କିନ୍ତୁ ଆଜି ଆମେ ଆପଣଙ୍କୁ ମା’ଙ୍କ ନିଆରା ଢଙ୍ଗରେ ପାଳନ ହେଉଥିବା ଦୁର୍ଗା ପୂଜା ବିଷୟରେ ଜଣାଇବୁ । ନିଆରା ଢଙ୍ଗରେ ପୂଜା ହେଉଛି କହିବାର କାରଣ ଏଠାରେ ମା’ଙ୍କ ସ୍ୱଗତ ପାଇଁ ଗାଁ ଲୋକେ କିଛି ଭିନ୍ନ କରିଥାନ୍ତି । ମା’ଙ୍କୁ ପାଛୋଟି ଆଣିବା ପାଇଁ ଗାଁ ଲୋକମାନେ ରାସ୍ତାରେ ନୂଆ ଶାଢି ବିଛାନ୍ତି । ଏଭଳି ଭିନ୍ନ ଦୃଶ୍ୟ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମିର୍ଜାପୁର ଗାଁରେ ଦେଖିବାକୁ ମିଳିଛି । ଶହ ଶହ ବର୍ଷ ଧରି ଏଠାରେ ଚାଲି ଆସିଛି ଦୁର୍ଗାପୂଜା । ରାସ୍ତାରେ ନୂଆ ଶାଢି ବିଛାଯାଇ ମାଙ୍କୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥାଏ । ମାଙ୍କ ପାଦରେ କଣ୍ଟା ନଫୁଟି ଯାଉ କି ଆଘାତ ନଲାଗୁ ଏଥିପାଇଁ ଏଭଳି ନିଆରା ଢଙ୍ଗରେ ମା’ଙ୍କ ପୂଜା କରାଯାଇଥାଏ । ଯାହାକୁ ଦେଖିବା ପାଇଁ ଆଖାପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ଏଭଳି ନିଆରା ଶାରଦୀୟ ଦୁର୍ଗାପୂଜା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ନିକଟ ମିର୍ଜାପୁର ଗାଁରେ ଧୁମଧାମରେ ଅନୁଷ୍ଠିତ ହୋଇଛି । ମହାମାୟାଙ୍କ ପୂଜା ପାଇଁ ନିକଟସ୍ଥ ନଦୀରୁ କଳସ ଅଣାଯାଇ ପରମ୍ପରା ଅନୁଯାୟୀ ପୂଜା ଆରମ୍ଭ କରାଯାଏ । ପରମ୍ପରା ଅନୁଯାୟୀ ଏକ କଦଳୀ ଗଛକୁ ନୂତନ ବସ୍ତ୍ର ପରିଧାନ କରାଯାଇ ସମସ୍ତ ଦେବାଦେବୀଙ୍କୁ ଆବାହନ କରାଯାଇଥାଏ । ପରେ ଘଣ୍ଟଘଣ୍ଟା ଓ ସଙ୍କୀର୍ତନରେ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଥାଏ । ଏହି ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଥାଏ ଏକ ନିଆରା ପରମ୍ପରା । ନଦୀ ପଠାରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ରାସ୍ତାରେ ନୂତନ ଶାଢି ବିଛାଯାଇ ମାଙ୍କୁ ସ୍ୱାଗତ କରାଯାଇଥାଏ । ମାଙ୍କର ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି ସ୍ଥାନୀୟ ବାସିନ୍ଦା ।

ଦେଢ ଶହରୁ ଊର୍ଦ୍ଧ୍ୱ ବର୍ଷ ହେବ ମିର୍ଜାପୁର ଗାଁର ୫୦ରୁ ଅଧିକ ବୁଣାକାର ପରିବାର ଏହି ପରମ୍ପରାକୁ ବଜାୟ ରଖି ଆସିଛନ୍ତି । ଚଳିତ ବର୍ଷ ଏହି ପୂଜା ୧୫୭ବର୍ଷରେ ପଦାର୍ପଣ କରିଛି । ମାଙ୍କର ସୁନ୍ଦର ଓ ଆକର୍ଷଣୀୟ ମୃଣ୍ମୟୀ ମୂର୍ତି ସାଙ୍ଗକୁ ବ୍ରାହ୍ମଣ ପଣ୍ଡିତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହେଉଛି । ଗ୍ରାମର ସ୍ଥାନୀୟ ସାର୍ବଜନୀନ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମହାଆଡମ୍ବରରେ ଏହି ପୂଜାକୁ ପାଳନ କରାଯାଉଛି । ମାଙ୍କ ପ୍ରତି ଅଞ୍ଚଳବାସୀଙ୍କ ଗଭୀର ବିଶ୍ୱାସ ରହିଥିବାରୁ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଦୀର୍ଘ ବର୍ଷର ଏହି ପରମ୍ପରାକୁ ମିର୍ଜାପୁରବାସୀ ବଜାୟ ରଖି ଆସିଥିବା ବେଳେ ସମସ୍ତେ ଗୋଟିଏ ସୂତ୍ରରେ ବାନ୍ଧି ହୋଇ ଉତ୍ସବ ପାଳନ କରନ୍ତି । ମା’ଙ୍କୁ ଆଘାତ ନଲାଗିବା ପାଇଁ ନୂଆ ନୂଆ ଶାଢୀ ରାସ୍ତାରେ ବିଛାଇ ମା’ଙ୍କୁ ପାଛୋଟି ଅଣାଯାଏ । ଏଭଳି ନିଆରା ଢଙ୍ଗର ପୂଜା ପାଇଁ ଏଠାରେ ଭକ୍ତଙ୍କ ସୁଅ ଛୁଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.