Below header

ଏସୀୟ କ୍ରୀଡ଼ାରେ କମାଲ କରି ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଜାଭେଲିନ୍‌ରେ ଜିତିଲେ ରୌପ୍ୟ ପଦକ, ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ

ଏସୀୟ କ୍ରୀଡ଼ା ପୁରୁଷ ଜାଭେଲିନ୍‌ ଥ୍ରୋ’ରେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ଏବଂ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏସୀୟ କ୍ରୀଡ଼ା ପୁରୁଷ ଜାଭେଲିନ୍‌ ଥ୍ରୋ’ରେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ଏବଂ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୀ ବ୍ରହ୍ମଗିରି ଅଞ୍ଚଳର କିଶୋର ୮୭.୫୪ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ଦ୍ୱିତୀୟ ହୋଇଛନ୍ତି । ଏହା ସହିତ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ କ୍ରୀଡ଼ା ପାଇଁ ମଧ୍ୟ କିଶୋର ଯୋଗ୍ୟତା ଅର୍ଜନ କରିଛନ୍ତି । ଯାହା ରାଜ୍ୟ ପାଇଁ ଆଉ ଏକ ବଡ଼ ଗୌରବ ।
ଚୀନ୍‌ର ହାଙ୍ଗଝୌ ଠାରେ ଚାଲିଥିବା ଏସୀୟ କ୍ରୀଡ଼ା ଜାଭେଲିନ୍‌ ଥ୍ରୋ’ର ପ୍ରଥମ ଉଦ୍ୟମରେ ନୀରଜ ଚୋପ୍ରା ପ୍ରଥମ ଓ ଓଡ଼ିଶାର କିଶୋର ଜେନା ଦ୍ୱିତୀୟ ସ୍ଥାନରେ । ନୀରଜ ୮୨.୩୮ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗିଥିବା ବେଳେ କିଶୋର ୮୧.୨୬ ମିଟର ଦୂରକୁ ଫିଙ୍ଗିଥିଲେ । ଦ୍ୱିତୀୟ ଉଦ୍ୟମରେ ନୀରଜ ୮୪.୪୯ ଦୂରକୁ ଜାଭେଲିନ୍‌ ପକାଇଥିଲେ । ତେବେ ଦ୍ୱିତୀୟ ଉଦ୍ୟମରେ କିଶୋର ଭଲ କରି ପାରିନଥିଲେ । ତାଙ୍କ ଜାଭେଲିନ୍‌ ୭୯.୭୬ ମିଟର ଦୂରରେ ପଡ଼ିଥିଲା । ତାଙ୍କୁ ଫାଉଲ୍‌ ଡକା ଯାଇଥିଲା । ଯାହାକୁ ସେ ବିରୋଧ କରିଥିଲେ ।
ତେବେ ତୃତୀୟ ଥ୍ରୋରେ କିଶୋର ଜୋରଦାର ପ୍ରଦର୍ଶନ କରିଥିଲେ । ତାଙ୍କ ଜାଭେଲିନ୍‌ ପଡ଼ିଥିଲା ୮୬.୭୭ ମିଟର ଦୂରରେ । ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଅନ୍ୟପକ୍ଷରେ ଚାମ୍ପିଅନ୍‌ ନୀରଜ ଚୋପ୍ରାଙ୍କ ତୃତୀୟ ଥ୍ରୋ ଫାଉଲ ହୋଇ ଥିଲା । ତଥାପି ସେ ୮୪.୪୯ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗିଥିଲେ । ଫଳରେ କିଶୋର ଟପି ଯାଇଥିଲେ ନୀରଜଙ୍କୁ ।
ତେବେ ଚତୁର୍ଥ ଉଦ୍ୟମରେ ନୀରଜ ପୁଣି ତାଙ୍କ ଫର୍ମକୁ ଫେରି ଫିଙ୍ଗିଥିଲେ ୮୮.୮୮ ମିଟର ଦୂରକୁ । ପୁଣି ପ୍ରଥମ ସ୍ଥାନକୁ ଫେରି ଆସିଥିଲେ । ସେତେବେଳେ କିଶୋର ୮୭.୫୪ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ । ପଞ୍ଚମ ଉଦ୍ୟମରେ କିଶୋର ଫାଉଲ୍‌ କରିଥିବା ବେଳେ ନୀରଜ ୮୦.୮୦ ମିଟର ଦୂରକୁ ଫିଙ୍ଗିଥିଲେ ।
ଶେଷ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିଥିଲା ଦୁଇ ଭାରତୀୟଙ୍କ ମଧ୍ୟରେ । ନୀରଜ ଏବଂ କିଶୋର ସବୁ ଉଦ୍ୟମରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଶେଷରେ ନୀରଜ ୮୮.୮୮ ମିଟର ଏବଂ କିଶୋର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୮୭.୫୪ ମିଟର ପାଇଁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ।

FAMILY-2

ସାରା ରାଜ୍ୟରେ ଖୁସିର ଲହରୀ

କିଶୋରଙ୍କ ଏହି ସଫଳତାରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କ ପରିବାର ଠାରୁ ଆରମ୍ଭ କରି ଅନ୍ୟ କ୍ରୀଡ଼ାପ୍ରେମୀ ତଥା ଖେଲ ବୁଝୁନଥିବା ଲୋକେ ବି ଘରେ ବସି ଟିଭିରେ ତାଙ୍କ ଖେଳ ଦେଖୁଥିଲେ । ସେ ପଦକ ଜିତିବା ପରେ ସମସ୍ତେ ଖୁସିରେ ଝୁମି ଉଠିଥିଲେ । ପୂର୍ବରୁ ବିଶ୍‌ ଆଥଲେଟିକ୍ସରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଖୁବ୍‌ ବାହାବା ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କୁ ଭେଟି ତାଙ୍କୁ ଉତ୍ସାହିତ କରିବା ପାଇଁ ୫୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ଆଉ କିଶୋର ମଧ୍ୟ ରାଜ୍ୟର ଗୌରବ ବଢ଼ାଇଛନ୍ତି ସାରା ବିଶ୍ୱରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.