ଚିକିତ୍ସା ନାମରେ ଛୋଟ ଶିଶୁର ବେକକୁ ଗରମ ବାଲିରେ ମାଡିଦେଲେ ଦୁଇ ତାନ୍ତ୍ରିକ, ଗିରଫ କଲା ପୋଲିସ
ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ମଣିଷ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରୁଛି। ଏଥିପାଇଁ କାହା ଜୀବନ ମଧ୍ୟ ନେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାରତ ପାକିସ୍ତାନ ବର୍ଡରରେ ଥିବା ଶ୍ରୀଗଙ୍ଗାନଗର ଜିଲ୍ଲାରେ । ଏଠାରେ ଚିକିତ୍ସା ନାମରେ ଅନ୍ଧବିଶ୍ୱାସ ଯୋଗୁଁ ହୃଦୟ ବିଦାରଣ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦୁଇ ଜଣ ବାବା ଚିକିତ୍ସା ପାଇଁ ଛୋଟ ଶିଶୁର ବେକରେ ତତଲା ବାଲି ରଖିଦେଲେ। ଏବେ ପିଲାଟି ଚାଲିବାକୁ ମଧ୍ୟ ଅସମର୍ଥ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।
ସୁରତଗଢର ଜାତୀୟ ରାଜପଥ ୬୨ ନିକଟରେ ଏହି ଘଟଣା ଘଟିଛି ।ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ୨ ଜଣ ଭଣ୍ଡ ବାବା ଛୋଟ ପିଲାର ବେକକୁ ଗରମ ବାଲିରେ ଦବାଇଦେଇଥିଲେ। ପିଲାଟି ଚାଲିବାରେ ଅସମର୍ଥ ଥିବାରୁ ସେମାନେ ଚିକିତ୍ସା କରିବା ପାଇଁ ଏପରି କରିଥିଲେ।
ଘଟଣା ବିଷୟରେ ଜାଣିବା ପରେ ସରପଞ୍ଚ ଏବଂ ପୋଲିସ ସ୍ଥାନରେ ପହଞ୍ଚି ଭଣ୍ଡ ବାବାଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି। ଶ୍ରୀଗଙ୍ଗାନଗରେ ଏପରି ଅନ୍ଧବିଶ୍ୱାସରେ ଅନେକ ଘଟଣା ଘଟିଛି। ଦୁଇଦିନ ପୂର୍ବେଏଠାରେ ଚିକିତ୍ସା ନାମରେ ଦୁଇ ଯୁବତୀଙ୍କୁ ଚାମଚ ଏବଂ ଶାଢି ସାହାଯ୍ୟରେ ଟାଙ୍ଗିବା ଭଳି ଘଟଣା ସାମ୍ନାକୁ ଆସିଥିଲା।