Below header

ଜନ୍ମରୁ ଦିବ୍ୟାଙ୍ଗ ହେଲେ ଦମ୍‌ଦାର ବୋଲିଂ କରି ଧୂଳି ଚଟାଇ ଦେଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍‌ଙ୍କୁ, ଜାଣନ୍ତୁ ଶଙ୍କର ସଜ୍ଜନଙ୍କ କାହାଣୀ

କଥାରେ ଅଛି ‘ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳେ’। ଯଦି ଜଣେ କିଛି କରିବାକୁ ପ୍ରାଣପଣେ ଉଦ୍ୟମ କରିବ ତେବେ ସ୍ୱୟଂ ଭଗବାନ ବି ତାକୁ ସାହାଯ୍ୟର ହାତ ବଢ଼ାଇଥାନ୍ତି। ଠିକ୍‌ ସେଭଳି ହୋଇଛି ଶଙ୍କର ସଜ୍ଜନଙ୍କ କ୍ଷେତ୍ରରେ। ଶଙ୍କର ସଜ୍ଜନ, ଜଣେ ଜଣାଶୁଣା କ୍ରିକେଟର। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଜଣେ ଦିବ୍ୟାଙ୍ଗ। ଜନ୍ମରୁ ହିଁ ଶରୀରର ଉପର ଭାଗ ଖରାପ। ହାତ ଦୁଇଟି ବଙ୍କା ହୋଇଯିବାରୁ ସେ କୌଣସି ଜିନିଷ ଠିକ୍‌ ଭାବେ ଧରିପାରନ୍ତିନି ମଧ୍ୟ। କିନ୍ତୁ ସେ ଖେଳୁଛନ୍ତି କ୍ରିକେଟ୍‌।

ପିଲାବେଳୁ ପରିବାର ଲୋକେ ଭାବିଥିଲେ ଶଙ୍କର କିଛି କରିପାରିବେ ନାହିଁ। କିନ୍ତୁ ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଥିଲେ ସେ। କେବଳ ପରିବାର ନୁହେଁ ସାଙ୍ଗସାଥୀଙ୍କ କଥାକୁ ମଧ୍ୟ ଭ୍ରୁକ୍ଷେପ ନ କରି ସେ କ୍ରିକେଟ୍‌ ଖେଳିଥିଲେ। ପ୍ରଥମେ ପ୍ରଥମେ ତ ବଲକୁ ଠିକ୍‌ ଭାବେ ଧରି ପାରୁନଥିଲେ। କିନ୍ତୁ କୁହନ୍ତି ନା ଅଭ୍ୟାସ ସବୁ ଅସାଧ୍ୟକୁ ସାଧ୍ୟ କରେ। ତାହା ହିଁ ଘଟିଥିଲା ଶଙ୍କରଙ୍କ ପାଇଁ। ପ୍ରଥମେ ବଲକୁ ଧରିପାରୁଥିବା ଶଙ୍କର ବଲ ଧରି ବୋଲିଂ କଲେ, ତା ପୁଣି ବଡ଼ ବଡ଼ କ୍ରିକେଟରଙ୍କ ଭଳି।

ତାଙ୍କର ଏହି ପ୍ରତିଭାକୁ ଚିହ୍ନିପାରିଥିଲେ ଭାରତୀୟ କ୍ରିକେଟର ଅନୀଲ କୁମ୍ବଲେ। ୨୦୧୫ ମସିହାରେ କୁମ୍ବଲେ ଏକ ସ୍ପିନ୍‌ ଷ୍ଟାର କ୍ୟାମ୍ପର ଆୟୋଜନ କରିଥିଲେ। ଏଥିରେ ଶଙ୍କର ଭାଗ ନେଇଥିଲେ ଓ ଚମତ୍କାର ବୋଲିଂ କରି ଖୁବ୍‌ ପ୍ରଶଂସା ସାଉଁଣ୍ଟିଥିଲେ। କୁମ୍ବଲେ ମଧ୍ୟ ଶଙ୍କରଙ୍କ ପ୍ରତିଭା ଦେଖି ଅଭିଭୂତ ହୋଇପଡ଼ିଥିଲେ। ସେବେଠୁ ଚର୍ଚ୍ଚାରେ ରହିଆସିଛନ୍ତି ଶଙ୍କର ସଜ୍ଜନ। ସେ ଆଫଗାନିସ୍ତାନ ବିପକ୍ଷରେ ବି ଧୂଆଁଧାର ବୋଲିଂ କରି ଲାଇମ୍‌ ଲାଇଟ୍‌କୁ ଆସିଥିଲେ।

୨୧ ବର୍ଷୀୟ ଶଙ୍କର କର୍ଣ୍ଣାଟକର ବିଜାପୁରରେ ରହନ୍ତି। ପିଲାବେଳୁ ମା’ଙ୍କୁ ହରାଇବା ପରେ କକାଙ୍କ ସହାୟତାରେ ସେ ଏତେ ବାଟ ଆସିପାରିଛନ୍ତି ସେ। ଶଙ୍କରଙ୍କ ପ୍ରିୟ ଖେଳାଳି ହେଉଛନ୍ତି ଅନୀଲ କୁମ୍ବଲେ ଓ ରାଶିଦ ଖାନ୍‌। ତେବେ ବିଜାପୁରର ଏକ ସେକେଣ୍ଡ ଡିଭିଜନ୍‌ କ୍ଲବ୍‌ରେ ଏବେ କ୍ରିକେଟ୍‌ ଖେଳୁଛନ୍ତି ଶଙ୍କର। ଏଥିସହ ପାର୍ଟ ଟାଇମ୍‌ ଚାକିରି କରି ଘର ଚଲାଉଛନ୍ତି। ତେବେ ଏଭଳି ଉଦୀୟମାନ ପ୍ରତିଭାଙ୍କୁ ଯଦି ଆଉ ଟିକେ ସମର୍ଥନ ମିଳନ୍ତା ତେବେ ସେ ନିହାତି ଦେଶ ପାଇଁ ଗର୍ବ ଆଣିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.