Below header

ନୂଆଦିଲ୍ଲୀ ବାଣିଜ୍ୟ ମେଳାରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଝଲକ

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶା ପାଭିଲିୟନ ।

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶା ପାଭିଲିୟନ । ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ, ଆଦିବାସୀ ଜନଜୀବନ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ହାତ ତିଆରି ଜିନିଷ ତଥା କୃଷି ଏବଂ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ଏଥିରେ ସ୍ଥାନ ପାଇଛି ।ଓଡ଼ିଶାର କଳା କାରିଗରୀ ସହ ବିକାଶର ଚିତ୍ର ଓଡ଼ିଶା ପାଭିଲିୟନରେ ପ୍ରତିଫଳିତ ହେଉଛି । ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘ବୋଇତ’ ଓଡ଼ିଶା ପାଭିଲିୟନକୁ ବେଶ୍ ସମୃଦ୍ଧ କରିଛି ।

ଏହାରି ସମ୍ମୁଖରେ ନୂଆଦିଲ୍ଲୀର ‘ସତ୍ୟଯୁଗ ଦର୍ଶନ ସଙ୍ଗୀତ କଳା’ ଅନୁଷ୍ଠାନର କଳାକାରମାନଙ୍କ ନୃତ୍ୟ ପରିବେଷଣ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ବାଣିଜ୍ୟ ମାଧ୍ୟମରେ ଏକତାର ଗୀତ ଗାଇ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ପାଭିଲିୟନର ମଧ୍ୟଭାଗରେ ଥିବା ବୋଇତରେ ବିଭିନ୍ନ ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହୋଇଛି । ପାରମ୍ପରିକ ବୋଇତର କଳାକୃତି ଏବଂ ତା’ ଉପରେ ବସିଥିବା ସାଧବାଣୀମାନଙ୍କ ଦୃଶ୍ୟ ନୂଆଦିଲ୍ଲୀରେ ପର୍ଯ୍ୟଟକମାନଙ୍କୁ ଏକ ନୂଆ ଅନୁଭବ ଦେଉଛି ।

ଅହିଂସା ଉପାୟରେ ପ୍ରସ୍ତୁତ ଓଡ଼ିଶାର ‘କରୁଣା ସିଲ୍କ’ ଏଥର ଓଡ଼ିଶା ପାଭିଲିୟନର ଏକ ଆକର୍ଷଣୀୟ ବିଷୟ ହୋଇଛି । ଓଡ଼ିଶାରୁ ଯାଇଥିବା ପାରମ୍ପରିକ ହସ୍ତତନ୍ତ ବୁଣାକାରମାନେ ସେଠାରେ ବସି କରୁଣା
ସିଲ୍କରେ ଶ୍ରୀଜଗନ୍ନାଥଙ୍କ ଖଣ୍ଡୁଆ ପାଟ ବୁଣୁଥିବା ଦୃଶ୍ୟକୁ ବେଶ୍ ଆଗ୍ରହର ସହ ଦେଖୁଛନ୍ତି ଦେଶବିଦେଶର ପର୍ଯ୍ୟଟକ । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ଓଡ଼ିଶା ପାଭିଲିୟନକୁ ପ୍ରସ୍ତୁତ
କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.