Below header

ଭାରତୀୟ ସେନାର ପ୍ରଥମ ଓଡ଼ିଆ ଭାଇସ୍‌-ଚିଫ୍‌ ହେବେ ସଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି

ପୁନେ :  ସେନାବାହିନୀର ସଦର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିବା ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ-ଚିଫ୍‌ । ସେ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ସେନାର ଏହି ପଦବୀ ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି । ଭାରତୀୟ ସେନାର ସର୍ବୋଚ୍ଚ ପଦବୀ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ପରେ ଦ୍ୱିତୀୟ ସର୍ବୋଚ୍ଚ ପଦବୀରେ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଚଣ୍ଡୀ ପ୍ରସାଦ ମହାନ୍ତି ନିଯୁକ୍ତ ହେବେ ।

ଚଳିତ ବର୍ଷ ଜାନୁଆରୀ ୩୧ରେ ଲେଫ୍‌ଟନାଣ୍ଟ ଜେନେରାଲ୍‌ ଏସ୍‌କେ ସାଇନି ଭାଇସ୍‌ ଚିଫ୍‌ ପଦରୁ ଅବସର ନେଉଥିବାରୁ ଲେଫ୍‌ଟନାଣ୍ଟ ଜେନେରାଲ୍‌ ମହାନ୍ତି ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ପଦରେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି । ଏବେ ସେ ସଦର୍ଣ୍ଣ କମାଣ୍ଡ ଜେନେରାଲ୍‌ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଦାୟିତ୍ୱରେ ଅଛନ୍ତି । ଏହା ପୂର୍ବରୁ  ସେ ଉତ୍ତର ଭାରତ ଅଞ୍ଚଳର ଜେନେରାଲ୍‌ ଅଫିସର କମାଣ୍ଡିଂ ଦାୟିତ୍ୱରେ ଥିଲେ ।

ଲେଫ୍‌ଟନାଣ୍ଟ ଜେନେରାଲ୍‌ ମହାନ୍ତି, ଓଡ଼ିଶା ଜଗତସିଂହପୁର ଜିଲ୍ଲା ଜୟବଡ଼ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ପ୍ରଥମ ଓଡ଼ିଆ ଭାବେ ଡେରାଡୁନ୍‌ ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରୀ କଲେଜରେ (ଆର୍‌ଆଇଏମ୍‌ସି) ପଢ଼ିବା ପାଇଁ ସୁଯୋଗ ପାଇଥିଲେ । ଲେଫ୍‌ଟନାଣ୍ଟ ଜେନେରାଲ୍‌ ମହାନ୍ତିଙ୍କ ପିତା ସରକାରୀ ଚାକିରି କରିଥିବା ବେଳେ ତାଙ୍କ ମାତା ଜଗତସିଂହପୁର ଏସ୍‌ଭିଏମ୍‌ କଲେଜରେ ଓଡ଼ିଆ ବିଭାଗର ପ୍ରଫେସର ଥିଲେ ।

ସେ ଷଷ୍ଠ ଶ୍ରେଣୀ ଯାଏ ବଗସାହି ୟୁପି ସ୍କୁଲରେ ପଢ଼ିଛନ୍ତି । ଆର୍‌ଆଇଏମ୍‌ସି ରେ ଶିକ୍ଷା ସମାପ୍ତ କରିବା ପରେ ସେ ନେସ୍‌ନାଲ୍‌ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରେ ଯୋଗ ଦେଲେ ଓ ପରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍‌ଟନାଣ୍ଟ ଭାବେ ଅବସ୍ଥାପିତ ହୋଇଥିଲେ । ତାଙ୍କର ଚାଇନା ଓ ପାକିସ୍ତାନ ସୀମାରେ କାମ କରିବାର ଅଭିଜ୍ଞତା ରହିଛି । ସେ କଙ୍ଗୋରେ ବହୁରାଷ୍ଟ୍ରୀୟ ୟୁଏନ୍‌ ବ୍ରିଗେଡ୍‌ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି ।

ଲେଫ୍‌ଟନାଣ୍ଟ ଜେନେରାଲ୍‌ ମହାନ୍ତି ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷ କାର୍ଯ୍ୟ କରିବା ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ଅତି ବିଶିଷ୍ଟ ସେବା ମେଡାଲ୍‌, ସେନା ମଡେଲ, ବିଦେଶ ସେବା ମେଡାଲ,ହାଇ ଅଲ୍‌ଟିଚୁଡ୍‌ ସେବା ମେଡାଲ୍‌ ଭଳି ବହୁ ମେଡାଲ୍‌ ଗ୍ରହଣ କରିଛନ୍ତି । ତେବେ ପ୍ରତିବର୍ଷ ଡିସେମ୍ବର ମାସରେ ଲେଫ୍‌ଟନାଣ୍ଟ‌ ଜେନେରାଲ୍‌ ମହାନ୍ତି ତାଙ୍କ ଗାଁକୁ ଆସିଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.