ରୋଗୀର ଗୋଡ ବଦଳରେ ପେଟ ଅପରେସନ କରିଦେଲେ ଡାକ୍ତର, ହସପିଟାଲ ହେଲା ସିଲ୍
ଉତ୍ତରପ୍ରଦେଶ ଲଖମିପୁର ଖିରୀରେ ଏକ ହସପିଟାଲରେ ରୋଗୀର ଗୋଡ ବଦଳରେ ପେଟ ଅପରେସନ କରିଦେଲେ ଡାକ୍ତର । ଭିଡିଓ ଭାଇରଲ ହେବା ପରେ ସିଏମଓ ପକ୍ଷରୁ ହସପିଟାଲ ସିଲ୍ କରାଯାଇଛି ।
ଉତ୍ତରପ୍ରଦେଶ ଲଖମିପୁର ଖିରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଡ ଅପରେସନ ପାଇଁ ଡାକ୍ତରଖାନାରେ ଆଡମିଟ୍ ହୋଇଥିଲେ ଜଣେ ବ୍ୟକ୍ତି । କିନ୍ତୁ ଡାକ୍ତର ବ୍ୟକ୍ତିଙ୍କର ପେଟ ଅପରେସନ କରିଦେଇଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସିଏମଓ ପକ୍ଷରୁ ହସପିଟାଲକୁ ସିଲ୍ କରାଯାଇଛି ।
ଖବର ମୁତାବକ, ଲଖମିପୁର ଖିରୀ ନିଘାସନ ରୋଡ ସ୍ଥିତ ଆପୋଲୋ ହସପିଟାଲରେ ଜଣେ ବ୍ୟକ୍ତି ଗୋଡ ଅପରେସନ ପାଇଁ ଆଡମିଟ୍ ହୋଇଥିଲେ । ଆଡମିଟ୍ ହେବା ପରେ ଡାକ୍ତର ବ୍ୟକ୍ତିଙ୍କୁ ନେଇ ଅପରେସନ କରିଥିଲେ । ହେଲେ ଡାକ୍ତର ଗୋଡ ବଦଳରେ ଆଡମିଟ୍ ହୋଇଥିବା ବ୍ୟକ୍ତିଙ୍କ ପେଟ ଅପରେସନ କରିଦେଇଥିଲେ । ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସିଏମଓ ପକ୍ଷରୁ ହସପିଟାଲକୁ ସିଲ୍ କରିଦିଆଯାଇଛି ।
ସିଏମଓ ଡା. ସନ୍ତୋଷ ଗୁପ୍ତା କହିଛନ୍ତି, ସୋସିଆଲ ମିଡିଆରୁ ଏହା ବିଷୟରେ ସୂଚନା ମିଳିଥିଲା । ଯାଞ୍ଚ ପାଇଁ ଅଧିକାରୀମାନେ ସେହି ହସପିଟାଲକୁ ଯାଇଥିଲେ । ଆଉ ଘଟଣା ଜଣାପଡିବା ପରେ ହସପିଟାଲକୁ ସିଲ୍ କରାଯାଇଛି । ଅଧିକ ଯାଞ୍ଚ କରିବା ସହ ନିଷ୍କର୍ସ ମିଳିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
#WATCH | After a doctor allegedly operated on a patient’s stomach instead of leg in UP’s Lakhimpur Kheri, Dr Santosh Gupta, CMO, Lakhimpur Kheri says, “It was circulating in the media that a hospital in the city had conducted a wrong operation. We had sent officers there for an… pic.twitter.com/61ylUWSCyx
— ANI UP/Uttarakhand (@ANINewsUP) July 26, 2023
ତେବେ ହସପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ଏହା ମିଥ୍ୟା ଅଭିଯୋଗ ବୋଲି କୁହାଯାଇଛି । ହସପିଟାଲ ପକ୍ଷରୁ କୁହାଯାଇଛି କି, ବ୍ୟକ୍ତିଙ୍କର ସଠିକ୍ ଅପରେସନ ହୋଇଥିଲା । ଆଉ ଚିକିତ୍ସା ହୋଇଥିବା ଅର୍ଥ ମାଗିବା ଯୋଗୁଁ ରୋଗୀଙ୍କ ପରିଜନ ବ୍ୟାଙ୍କରୁପଇସା ଉଠାଇଲେ ଦେବେ ବୋଲି କହିଥିଲେ । ଏହା ପରେ ହଠାତ୍ ହସପିଟାଲକୁ କିଛି ଲୋକ ଆସି ଗଣ୍ଡଗୋଳ କରିବା ପରେ ସୋସିଆଲ ମିଡିଆରେ ମିଛ ଖବର ଭାଇରଲ କରିଥିଲେ ।