ସିନେମାଘର ପରେ ଏବେ ଓଟିଟିରେ ଆସୁଛି ଚଳିତ ବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘କାନ୍ତାରା’, ଜାଣନ୍ତୁ କେବେ ହେବ ରିଲିଜ୍

ଫିଲ୍ମ ପ୍ରତି ସୌଖୀନ ଥିବା ଲୋକଙ୍କ ପାଇଁ ଖୁସି ଖବର। ସାଉଥ୍ ଆକ୍ଟର ରିଷଭ ସେଟ୍ଟୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାନ୍ତାରା’ ବଡ଼ ପରଦାରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ବର୍ତ୍ତମାନ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେବାକୁ ଯାଉଛି। ଏବେ ଫ୍ୟାନମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାହିଁକି ନା, ଆଉ ଦିନକ ପରେ ଅର୍ଥାତ୍ ୯ ଡିସେମ୍ବରରେ ଏହି ଫିଲ୍ମ ନେଟ୍ଫ୍ଲିକ୍ସରେ ଷ୍ଟ୍ରିମ୍ ହେବ।
ଏହି ଫିଲ୍ମ ଚଳିତ ବର୍ଷରେ ଅଧିକ ଆୟ କରିଥିବା ସମସ୍ତ ଫିଲ୍ମକୁ ଜୋର୍ଦାର ଟକ୍କର ଦେଇଛି। ନୂଆ ନୂଆ ରିଲିଜ୍ ପରେ ମଧ୍ୟ ଏହି ଫିଲ୍ମ ସିନେମାଘରେ ହାଉସ୍ଫୁଲ ରହିଥିଲା। କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଏହା ଆଶାଠାରୁ ଅଧିକ ଆୟ କରି ସାରିଛି। ଫିଲ୍ମ ଓ୍ଵାର୍ଲ୍ଡ ଓ୍ଵାଇଡ୍ ବକ୍ସ ଅଫିସ୍ରେ ୪୦୦.୯୦ କୋଟି ଟଙ୍କାରୁ ଅଧିକ ବିଜନେସ୍ କରିଛି। ଫିଲ୍ମ ୩୦ ସେପ୍ଟେମ୍ବରରେ ସିନେମାଘରେ ରିଲିଜ୍ ହୋଇଥିଲା। ୧୫୦ ମିନିଟ୍ର ଏହି ଫିଲ୍ମକୁ ପ୍ରଥମେ କେବଳ କନ୍ନଡ଼ରେ ରିଲିଜ୍ କରାଯାଇଥିଲା।
ନେଟ୍ଫ୍ଲିକ୍ସ ସୋସିଆଲ ମିଡିଆରେ ନିଜର ଅଫିସିଆଲ ଆକାଉଣ୍ଟରୁ ଏକ ଭିଡିଓ ଜାରି କରି ଫିଲ୍ମର ଓଟିଟି ରିଲିଜ୍ ଡେଟ୍ ବିଷୟରେ ଘୋଷଣା କରିଛି। ରିଲିଜ୍ ଡେଟ୍ ସହିତ ଏହା ମଧ୍ୟ କୁହାଯାଇଛି ଯେ ହିନ୍ଦୀ ବେଲ୍ଟର ଦର୍ଶକମାନଙ୍କ ପାଇଁ ଫିଲ୍ମକୁ ହିନ୍ଦୀ ଭାଷାରେ ବି ରିଲିଜ୍ କରାଯାଉଛି। ଫିଲ୍ମକୁ ହିନ୍ଦୀରେ ରିଲିଜ୍ କରିବା ପୂର୍ବରୁ ନିର୍ଦ୍ଦେଶକ ରିଷଭ୍ ସେଟ୍ଟୀ ଅନେକ ସହରରେ ବୁଲି ଫିଲ୍ମ ପ୍ରଦର୍ଶନ କରିଛନ୍ତି। କହି ରଖୁଛୁ, ଗତ ମାସରେ ଖବର ଆସିଥିଲା କି, ଏହି ଫିଲ୍ମ ୨୪ ନଭେମ୍ବରରେ ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବାର ଅଛି। କିନ୍ତୁ ସେଭିଳି କିଛି ହୋଇ ନ ଥିଲା।
କ’ଣ ରହିଛି ଫିଲ୍ମର କାହାଣୀ
ଫିଲ୍ମ କାନ୍ତାରାରେ ରୀତିନୀତି ଏବଂ ପରମ୍ପରାଗୁଡ଼ିକୁ ଅତି ସୁନ୍ଦର ଭାବରେ ଦର୍ଶାଯାଇଛି, ଯାହାକି ପିଢ଼ି ପରେ ପିଢ଼ି ଚାଲି ଆସୁଛି। ଫିଲ୍ମରେ ଜଳ, ଜଙ୍ଗଲ ଏବଂ ଭୂମିର ଲଢ଼େଇ ଦେଖାଯାଇଛି। ଏଥିରେ ଦର୍ଶାଯାଇଛି କି, କେଉଁଭଳି ଭାବେ ଗାଁ ଲୋକେ ନିଜର ଭୂମି ଏବଂ ପରମ୍ପରାକୁ ସଂରକ୍ଷିତ କରିବାକୁ ଚାହୁଁଛନ୍ତି। ସେପଟେ ଫରେଷ୍ଟ ବିଭାଗରେ ମଧ୍ୟ ଜଙ୍ଗଲକୁ ନେଇ ସମାନ ଲଢ଼େଇ ଚାଲିଛି।