ପୁରୀ ଜିଲ୍ଲା ଅଲାରପୁର ପରମେଶ୍ୱର ଧାମରେ ସାଧୁ ସନ୍ଥଙ୍କ ମେଳା ଓ ଗୀତା ଘୃତ ମହାଯଜ୍ଞ

ଶୁଭୁଛି ଓଁକାର ଧ୍ୱନି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ଉଚ୍ଚାରଣରେ ଲାଗି ପଡ଼ିଛନ୍ତି ଭକ୍ତ । ସମସ୍ତଙ୍କ ତୁଣ୍ଡରେ ହରିନାମ । ସୃଷ୍ଟି ହେଉଛି ଏକ ଆଧ୍ଯାତ୍ମିକ ପରିବେଶ । ଆଉ କେଉଁଠି ନୁହେଁ ବରଂ ପୁରୀ ଜିଲ୍ଲା ପିପିଲି ବ୍ଲକ ଅଲାରପୁର ଗାଁରେ ଥିବା ପରମେଶ୍ୱର ଧାମରେ ଅନୁଷ୍ଠିତ ହୋଇଛି ଗୀତା ମହାଯଜ୍ଞ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଗୀତା ଘୃତ ମହାଯଜ୍ଞ ଦେଖିବାକୁ ମିଳିଥିଲା ଏଠାରେ । ଭଗବାନଙ୍କ ନାମ ଉଚ୍ଚାରଣ ଯେଉଁଠି ହେବ ସେଠାକୁ ତ ନିଶ୍ଚିତ ଭାବେ ସାଧୁ ସନ୍ଥଙ୍କ ଆଗମନ ଦେଖିବାକୁ ମିଳିବ । ତେଣୁ ଏଭଳି ଏକ ପରିବେଶରେ ଯୋଗ ଦେବା ପାଇଁ ରାଜସ୍ଥାନ କୋଟ ପୁତଲି ମହାମଣ୍ଡଳେଶ୍ୱର ଘନ୍ଯଶାମ ଦାସ ମହାରାଜ ଏବଂ ମହାମଣ୍ଡଳେଶ୍ୱର ଜୟପୂୁର ମଠର ବାଲେଶ୍ୱର ଦାସଙ୍କ ସହିତ ଅନ୍ଯ ସାଧୁସନ୍ଥ ଯୋଗ ଦେଇଥିଲେ। ମନୁଷ୍ଯ ଜୀବନରେ ସନାତନ ଧର୍ମ କୁ ନେଇ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ମହାଯଜ୍ଞରେ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ବେଦ ମନ୍ତ୍ର ସହିତ ଗାୟତ୍ରୀ ଜପ କରାଯାଇଥିଲା । ଯୋଗ ଦେଇଥିଲେ ରାଜ୍ଯର କୋଣ ଅନୁକୋଣର ବ୍ରାହ୍ମଣ ପଣ୍ଡିତ । ସଂଧ୍ଯାରେ ପୂର୍ଣ୍ଣହୁତି କରାଯାଇଥିଲା । ଏଥିପାଇଁ ବହୂ ଦୂରରୁ ଭକ୍ତଙ୍କ ସମାଗମ ହୋଇଥିଲା। କର୍ମମୟ ଜୀବନରେ ମନୁଷ୍ଯ ଏତେ ବ୍ଯସ୍ତ ଯେ ଭଗବାନଙ୍କ ନାମ ସ୍ମରଣ କରିବା ପାଇଁ ସମୟ ମିଳି ନ ଥାଏ । ତେଣୁ ଏପରି ଏକ କାଯ୍ଯକ୍ରମ ଦ୍ୱାରା ଭଗବାନଙ୍କ ନାମ ଉଚ୍ଚାରଣ ସହିତ ସାଧୁ ସନ୍ଥଙ୍କ ଆର୍ଶିବାଦ ପାଇଥିବାରୁ ଭକ୍ତମାନେ ମଧ୍ଯ ବେଶ ଖୁସି ଜାହିର କରିଥିଲେ ।ଗୋଟିଏ ସ୍ଥାନରେ ଭଗବାନ ଙ୍କ ନାମ ଉଚ୍ଚାରଣ ସହିତ ସାଧୁସନ୍ଥଙ୍କ ଦର୍ଶନ ଭକ୍ତମାନଙ୍କ ପାଇଁ ବେଶ ଲାଭଦାୟକ ହୋଇଥିଲା । ତିନି ଦିନ ଧରି ଚାଲିଥବା ଗୀତା ଯଜ୍ଞର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ କାଦମ୍ବିନୀର ପ୍ରତିଷ୍ଠାତା ଡ଼ଃ ଇତି ସାମନ୍ତ । ବାର୍ଷିକ ପତ୍ରିକା ଅଲାରବାଣୀକୁ ଲୋକାର୍ପଣ କରିବା ସହିତ ବ୍ରାହ୍ମଣ ପଣ୍ଡିତଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ଦେଇ ସମ୍ମାନୀତ କରିଥିଲେ ।