Below header

କମାଲ ଦେଖାଇଲେ ଦୁଇ ଭାଇ, ଜାଣନ୍ତୁ ଦେଶର ସର୍ବ କନିଷ୍ଠ ସିଇଓ

ଦେଶର ସର୍ବକନିଷ୍ଠ ଆପ୍ ଡେଭଲପର୍‌ ଭାବେ ଏମାନେ ଲୋକଙ୍କ ହୃଦୟ ଜିତିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଅଣ୍ଡର ୩୦ ଲିଷ୍ଟରେ ସାମିଲ କରାଯାଇଛି ।

କୌଣସି କମ୍ପାନୀର ସିଇଓ କଥା କହିଲେ ବୟସ୍କ ବ୍ୟକ୍ତିଙ୍କ କଥା ମନକୁ ଆସିଥାଏ । କାରଣ ଛୋଟ କମ୍ପାନୀ ହେଉ କି ବଡ଼, ଏହାକୁ ସମ୍ଭାଳିବା ପାଇଁ ଅଭିଜ୍ଞତା ରହିବା ନିହାତି ଆବଶ୍ୟକ । କିନ୍ତୁ ଆଜି ଆମେ ଆପଣଙ୍କୁ ଦେଶର ସବୁଠାରୁ କୁନି ସିଇଓଙ୍କ ବିଷୟରେ କହିବାକୁ ଯାଉଛୁ । ମାତ୍ର ୧୪- ୧୫ ବର୍ଷ ବୟସରେ କମ୍ପାନୀର ଦାୟିତ୍ୱ ନେଇ ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ ।

ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଦୁଇ ଭାଇ ୧୪-୧୫ ବର୍ଷ ବୟସରେ ସାରା ଦେଶର ଲକ୍ଷ ଲକ୍ଷ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସାଧାରଣତଃ ଏ ବୟସର ପିଲାମାନେ ଭଲ ମାର୍କ ରଖି କେମିତି ପାସ୍ କରି ଡାକ୍ତର, ଇଞ୍ଜିନିୟର କିମ୍ବା ଅନ୍ୟ କୌଣସି ପ୍ରୋଫେସନରେ କ୍ୟାରିୟର ଗଢ଼ିବାକୁ ଚିନ୍ତା କରନ୍ତି । କିନ୍ତୁ ଦୁଇ ଭାଇ ପିଲାଦିନରୁ ବ୍ୟବସାୟୀ ହେବାର ସ୍ୱପ୍ନ ଦେଖିଥିଲେ । ଏବଂ ଭାରତର ସବୁଠାରୁ ଛୋଟ ସିଇଓ ପଦବୀ ହାସଲ କରି ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଏମାନେ । ଆପଣଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଥିବ ଯେ ଏ ପିଲାମାନେ କିଏ ଏବଂ ଏମାନେ ଅଳ୍ପ ବୟସରେ କିପରି ଏହି ପଦବୀକୁ ହାସଲ କଲେ । ତେବେ ଆସନ୍ତୁ ଏହି ଦୁଇ ପ୍ରତିଭାବାନ ଭାଇଙ୍କ ସଫଳତାର କାହାଣୀ ବିଷୟରେ ଜାଣିବା ।

ଏହି ଦୁଇ ଭାଇଙ୍କ ନାମ ହେଉଛି ଶ୍ରବଣ ଏବଂ ସଞ୍ଜୟ କୁମାରନ୍ । ଆପଣ ହୁଏତ ପୂର୍ବରୁ ଏମାନଙ୍କ ନାମ ଶୁଣି ନଥିବେ । କିନ୍ତୁ ଏବେ ଏମାନଙ୍କ ଚର୍ଚ୍ଚା ସାରା ଦେଶରେ ହେଉଛି । ଦେଶର ସର୍ବକନିଷ୍ଠ ଆପ୍ ଡେଭଲପର୍‌ ଭାବେ ଏମାନେ ଲୋକଙ୍କ ହୃଦୟ ଜିତିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଅଣ୍ଡର ୩୦ ଲିଷ୍ଟରେ ସାମିଲ କରାଯାଇଛି ।

୧୦ –୧୨ ବର୍ଷ ବୟସରେ ଶ୍ରବଣ ଏବଂ ସଞ୍ଜୟ ୨୦୧୧ ମସିହାରେ ଚେନ୍ନାଇରେ ଥିବା ନିଜ ଘରୁ ସେମାନଙ୍କ କମ୍ପାନୀ ଗୋଡାଇମେନ୍ସନ୍ ଆରମ୍ଭ କରିଥିଲେ । ସଞ୍ଜୟ ସିଇଓ ଭାବରେ କାର୍ଯ୍ୟ କରିଥିବାବେଳେ ଶ୍ରବଣ କମ୍ପାନୀର ଚେୟାରମ୍ୟାନ୍ ହୋଇଥିଲେ । କଥା ଟା ବିଶ୍ୱାସ ହେଉନଥିଲେ ବି ସତ । ଏତେ କମ ବୟସରେ ଜଣେ ସିଇଓ ଏବଂ ଅନ୍ୟ ଜଣେ କମ୍ପାନୀର ଚେୟାରମ୍ୟାନ୍ ହୋଇଥିଲେ । କମ୍ପାନୀ ଆରମ୍ଭ କରିବା ପରେ ଶ୍ରବଣ ଏବଂ ସଞ୍ଜୟ କିଛି ବର୍ଷ ମଧ୍ୟରେ ୭ ଟି ମୋବାଇଲ୍ ଆପ୍ କ୍ରିଏଟ୍‌ କରିଥିଲେ ଯାହା ୫୦ ରୁ ଅଧିକ ଦେଶରେ ପ୍ରସିଦ୍ଧ ହୋଇଥିଲା । ଅନେକ ୟୁଜର ଏହି ଆପଗୁଡ଼ିକ ବ୍ୟବହାର କରିଥିଲେ ।

ଉଭୟ ଭାଇ ପିଲାଦିନରୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ପ୍ରତି ବହୁତ ଆଗ୍ରହ ଦେଖାଉଥିଲେ । ତାଙ୍କ ବାପା କୁମାରନ୍ ସୁରେନ୍ଦ୍ରନ୍ ପିଲାଙ୍କର ପ୍ରତିଭା ଏବଂ ଆଗ୍ରହକୁ ଚିହ୍ନି ପାରିଥିଲେ ଏବଂ ତାଙ୍କୁ ଏଥିରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ । ଏହା ପରେ ଉଭୟ ଭାଇ ପିଲାଦିନରୁ କମ୍ପ୍ୟୁଟରରେ କାମ କରିବା ଆରମ୍ଭ କରିଥିଲେ। ଦୁଇ ଭାଇ ମାତ୍ର ୪ ବର୍ଷ ବୟସରେ PPT ତିଆରି କରିବା ଆରମ୍ଭ କରିଥିଲେ ।

କୁମାରନ୍ ବ୍ରଦର୍ସଙ୍କ ଦ୍ୱାରା ଡେଭଲପ୍‌ ହୋଇଥିବା ପ୍ରଥମ ଆପ୍ ହେଉଛି କ୍ୟାଚ୍ ମି କପ୍ । ଏହା ଏପରି ଏକ ଆପ୍‌ ଥିଲା ଯାହା ଭାରତର ପ୍ରସିଦ୍ଧ ଖେଳ ଚୋର-ପୋଲିସରୁ ନିଆଯାଇଥିଲା । ସେମାନଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଅନ୍ୟ ଆପଗୁଡ଼ିକରେ ପିଲାମାନଙ୍କ ପାଇଁ ଏଜୁକେସନ୍‌ ଆପ୍ – ଆଲ୍ଫାବେଟ୍‌ ବୋର୍ଡ ଏବଂ କଲର୍‌ ପ୍ୟାଲେଟ୍, ଏମର୍ଜେନ୍ସ ସର୍ଭିସ୍‌ ଆପ୍, ପ୍ରାର୍ଥନା ଆପ୍ ଏବଂ ଗେମିଂ ଆପ୍ – ସୁପରହିଟ୍ ଏବଂ କାର୍ ରେସିଂ ଆପ୍‌ ସାମିଲ ରହିଛି । ସେମାନେ ୧୫୦ଟି ଟେଷ୍ଟ୍ ଆପ୍ ମଧ୍ୟ ଡେଭଲପ୍‌ କରିଛନ୍ତି ।

ପରେ ଉଭୟ ପ୍ରତିଭାଶାଳୀ ଭାଇ ଆମେରିକାର ଟେକ୍ସାସ୍ ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଡିଗ୍ରୀ ହାସଲ କରିଥିଲେ। ସେମାନଙ୍କର ଲିଙ୍କଡିନ ପ୍ରୋଫାଇଲ ଅନୁଯାୟୀ ଶ୍ରବଣ ବର୍ତ୍ତମାନ ସାନ ଫ୍ରାନସିସ୍କୋରେ ସେଲ୍ସଫୋର୍ସ ପାଇଁ ଏକ ସଫ୍ଟୱେୟାର ଡେଭଲପର୍ ଭାବରେ କାର୍ଯ୍ୟ କରୁଥିବାବେଳେ ସଞ୍ଜୟ ମାଇକ୍ରୋସଫ୍ଟରେ ଏକ ସଫ୍ଟୱେୟାର ଇଞ୍ଜିନିୟର ଇଣ୍ଟର୍ଣ୍ଣ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.