Below header

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୭ ଜୀବନ୍ତ ଦଗ୍ଧ

ହିମାଚଳ ପ୍ରଦେଶର ଉନ୍ନା ସ୍ଥିତ ବାଥୁ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୩ ବର୍ଷର ପିଲା ମଧ୍ୟ ରହିଥିବା ଖବର ମିଳିଛି।ଆଉ କିଛି ଲୋକ କାରଖାନା ଭିତରେ ଫଶିଥିବା ଅନୁମାନ କରାଯାଉଛି । ମୃତ୍ୟ ସଂଖ୍ୟା ମଧ୍ୟ ବଢିପାରେ ।

ମିଳିଥିବା ସୂଚନା ଅନୁସାରେ, ଅବୈଧ ଭାବେ ଚାଲୁଥିବା ବାଣ କାରଖାନରେ ମଙ୍ଗଳବାର ସକାଳେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଫଳରେ ବାଣ କାରଖାନାରେ କାର୍ଯ୍ୟରତ କିଛି ଶ୍ରମିକ ଜୀବନ୍ତ ଜଳିଯାଇଛନ୍ତି । ପୋଲିସ ଅଧିକ୍ଷକ ଅର୍ଜିତ ସେନ୍‌ ଠାକୁର କହିଛନ୍ତି, ଅବାଧ ଭାବେ ଚାଲିଥିବା ବାଣ କାରଖାନାରେ ବିସ୍ଫୋରଣ ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ମିଳିବା ପରେ ଜିଲ୍ଲାପାଳ ରାଘବ ଶର୍ମା ଏବଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ବିସ୍ଫୋରଣ ହୋଇଥିବା ସ୍ଥାନରେ ପୂର୍ବରୁ ଓଜନ କଣ୍ଟା କାମ ହେଉଥିଲା । ତେବେ ତାହା ବର୍ଷେ ହେଲା ବନ୍ଦ ରହିଥିଲା । ଅନୁମତି ନଥାଇ ସେଠାରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା । ଏ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ କେହି ସୁରାକ୍‌ ପାଇନଥିଲେ ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଶୋକ ପ୍ରକାଶ କରିବା ସହିତ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରାଜକୋଷରୁ ୨ ଲକ୍ଷ ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.