Below header

କେରଳରେ ବନ୍ୟାର କରାଳ ରୂପ : ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ପ୍ରଳୟଙ୍କରୀ ବନ୍ୟା

କେରଳ (କେ ନ୍ୟୁଜ୍) : କେରଳ ଦେଖିଲା ଶତାବ୍ଦୀର ସବୁଠୁ ବିଧ୍ୱସ୍ତକାରୀ ବିପର୍ୟ୍ୟୟ । କରାଳ ରୂପ ନେଇଛି ବର୍ଷା ଓ ତାପରବର୍ତ୍ତୀ ବନ୍ୟା । ବର୍ତ୍ତମାନ ସୁଦ୍ଧା ପ୍ରଳୟଙ୍କାରୀ ବନ୍ୟାରେ ୩୨୪ଜଣଙ୍କର ଜୀବନ ନେଲାଣି । ବନ୍ୟା ଓ ଭୂସ୍ଖଳନରେ ଅନେକ ନିଖୋଜ ଅଛନ୍ତି । ହଜାର ହଜାର ପରିବାରର ଲକ୍ଷ ଲକ୍ଷ ଲୋକ ବେଘର । ୨ ଲକ୍ଷରୁ ଅଧିକ ବିପନ୍ନଙ୍କୁ ୧୫ଶହରୁ ଅଧିକ ଆଶ୍ରୟ ସ୍ଥଳୀରେ ରଖାଯାଇଛି । ଆଜି କେରଳରେ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । କେରଳକୁ ୫ ଶହ କୋଟି ଟଙ୍କାର ଜରୁରିକାଳୀନ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ପ୍ରତି ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ପ୍ରଦାନ କରାଯିବ । କେରଳରେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ଭୟଙ୍କର ବନ୍ୟା । ଗତ ୧୦ ଦିନର ଲଗାଣ ବର୍ଷା ଓ ବନ୍ୟାରେ କେରଳ ବୁଡ଼ି ଯାଇଛି । ବହୁ ସହର ଜଳାର୍ଣ୍ଣବ । ସହର ଭିତରେ ଯେଉଁଠି ରାସ୍ତାରେ ଗାଡି ଚାଲୁଥିଲା, ସେଠି ଏବେ ଡଙ୍ଗା ଚାଲୁଛି । ସେପଟେ ଆହୁରି ଗୋଟିଏ ଦିନ କେରଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ୧୪ଟି ଜିଲ୍ଲାରୁ ୧୨ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି ହୋଇଛି । ବନ୍ୟାରେ ବେଶୀ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛି ପଲକଡ୍‌, ମଲ୍ଲାପୁରମ୍‌, କୋଝିକୋଡ, ଇଦୁକି, ତ୍ରିଶୂର, କନ୍ନୁର ଓ ଏର୍ଣ୍ଣାକୁଲମ୍‌ ଜିଲ୍ଲା । ଏନ୍‌ଡିଆର୍‌ଏଫ୍‌, ସ୍ଥଳ ଓ ନୌସେନାର ୩୫ରୁ ଅଧିକ ଟିମ୍‌ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.