Below header

ଖ୍ୟାତନାମ ଐତିହାସିକ ଓ ଲେଖକ ବାବାସାହେବ ପୁରନ୍ଦରେଙ୍କ ନିଧନ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଜଣାଶୁଣା ଖ୍ୟାତନାମ ଐତିହାସିକ ଓ ଲେଖକ ତଥା ପଦ୍ମ ବିଭୂଷଣ ସମ୍ମାନ ପ୍ରାପ୍ତ ବାବାସାହେବ ପୁରନ୍ଦରେଙ୍କର ଦେହାନ୍ତ ହୋଇଛି। ଆଜି ସକାଳେ ପୁଣେ ସ୍ଥିତ ‘ଦୀନନାଥ ମଙ୍ଗେସ୍କର୍‌ ହସ୍ପିଟାଲ୍‌’ରେ ଦେହାନ୍ତ ହୋଇଛି। ମୃତ୍ୟୁ‌ ବେଳକୁ ୯୯ ବର୍ଷ ବୟସ ହୋଇଥିଲା। ସୂଚନାନୁସାରେ, ପୁରନ୍ଦରେଙ୍କୁ ଶନିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଥିଲା। ସେବେଠାରୁ ତାଙ୍କ ଅବସ୍ଥାରେ ଉନ୍ନତି ହୋଇପାରି ନଥିଲା। ଆଜି ପୂର୍ବାହ୍ନ ୧୦.୩୦ରେ ପୁଣେର ବୈକୁଣ୍ଠ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ପୁରନ୍ଦରେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି, ବାବାସାହେବ ପୁରନ୍ଦରେଙ୍କ ନିଧନ ଇତିହାସ ଏବଂ ସଂସ୍କୃତି ଦୁନିଆ ପାଇଁ ଅପୂରଣୀୟ କ୍ଷତି।

ଖବର ମୁତାବକ, ବାବା ପୁରନ୍ଦରେ ତାଙ୍କ ଘରର ବାଥରୁମରେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଗତ ସପ୍ତାହେ ପୂର୍ବରୁ ନିମୋନିଆରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସାରା ଦେଶରେ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଥିଲେ। ରାଜକୀୟ ସମ୍ମାନରେ ବାବାସାହେବ ପୁରନ୍ଦରେଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମୁନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।

ଜଣେ ଲୋକପ୍ରିୟ ଐତିହାସିକ-ଲେଖକ ହେବା ବ୍ୟତୀତ ବାବାସାହେବ ପୁରନ୍ଦରେ ଜଣେ ଥିଏଟର କଳାକାର ମଧ୍ୟ ଥିଲେ । ସେ ଛତ୍ରପତି ଶିବାଜୀ ମହାରାଜାଙ୍କ ପାରଦର୍ଶିତା ପାଇଁ ଜଣାଶୁଣା । ଏହା ବ୍ୟତୀତ ସେ ଛତ୍ରପତିଙ୍କ ଜୀବନ ଏବଂ ନେତୃତ୍ୱ ଶୈଳୀ ଉପରେ ଏକ ଲୋକପ୍ରିୟ ନାଟକ- ଜାଣତା ରାଜାର ବି ନିର୍ଦ୍ଦେଶନା ଦେଇଥିଲେ। ପ୍ରାୟ ୫ଟି ଭାଷାରେ ଅଭିନୀତ ଉକ୍ତ ନାଟକରେ ୨୦୦ରୁ ଅଧିକ ଅଭିନେତା ଅଭିନୟ କରିଥିଲେ। ୨୦୧୫ରେ ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ ‘ମହାରାଷ୍ଟ୍ର ଭୂଷଣ ସମ୍ମାନ’ ଏବଂ ୨୦୧୯ରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ବିଭୂଷିତ କରାଯାଇଥିଲା। ତାଙ୍କ ଜନ୍ମ ୨୯ ଜୁଲାଇ ୧୯୨୨ରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.