ଗୋଟେ ମା’ ଜୀବନରେ ପୁଅର ସ୍ଥାନ ଆଉ କେହି ନେଇପାରିବେ ନାହିଁ: ୟୁକ୍ରେନ ଯୁଦ୍ଧରେ ନିୟୋଜିତ ସୈନ୍ୟଙ୍କ ମା’ମାନଙ୍କୁ ଭେଟି ଏମିତି କହିଲେ ପୁଟିନ୍

କେନ୍ୟୁଜ୍: ୟୁକ୍ରେନ ଯୁଦ୍ଧରେ ନିୟୋଜିତ ସୈନ୍ୟଙ୍କ ମା’ ମାନଙ୍କୁ ଭେଟିଲେ ପୁଟିନ୍ । ନିଜ ବାସଭବନରେ ମା’ ମାନଙ୍କୁ ଭେଟିଛନ୍ତି ରୁଷ ରାଷ୍ଟ୍ରପତି । ସେମାନଙ୍କ ମଧ୍ୟରେ ପ୍ରାଣ ହରାଇଥିବା କିଛି ସୈନ୍ୟଙ୍କ ମା’ ଥିଲେ । ଏହି ସାକ୍ଷାତ ସମୟରେ ପୁଟିନ କହିଥିଲେ କି ପୁଅମାନଙ୍କୁ ହରାଇବାର ଦୁଃଖ ଠାରୁ ବଡ଼ ଦୁଃଖ ଆଉ କିଛି ନୁହେଁ । ବିଶେଷକରି ମା’ ମାନଙ୍କ ଜୀବନରେ ପୁଅର ସ୍ଥାନ ଆଉ କେହି ନେଇପାରିବେ ନାହିଁ । ଏଥିପାଇଁ ମା’ ମାନଙ୍କ ଆଗରେ ଆମେ ଋଣୀ ବୋଲି କହିଥିଲେ ପୁଟିନ୍ ।
ବିନା ତାଲିମ ଓ ପୁରୁଣା କାଳିଆ ଅସ୍ତ୍ରଶସ୍ତ୍ରରେ ସେମାନଙ୍କ ପୁଅ ମାନଙ୍କୁ ଯୁଦ୍ଧକୁ ପଠାଇ ଦିଆଯାଇଛି ବୋଲି କିଛି ମହିଳା ଅଭିଯୋଗ କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ମହିଳାଙ୍କୁ ଡାକି ଭେଟିଥିଲେ ପୁଟିନ୍ । କିଛି ମହିଳା ମୁଣ୍ଡରେ ସ୍କାର୍ଫ ବାନ୍ଧିଥିଲେ । ଯୁଦ୍ଧର ସ୍ଥିତି ସମ୍ପର୍କରେ ସେମାନଙ୍କୁ ଜଣାଇବାକୁ ଚାହିଁଥିଲେ ପୁଟିନ୍ । ଟିଭି ଓ ଇଣ୍ଟରନେଟରେ ଆସୁଥିବା ଯୁଦ୍ଧ ସମ୍ପର୍କୀତ ଭୁଲ ତଥ୍ୟ ଉପରେ ବିଶ୍ୱାସ ନ କରିବାକୁ ପୁଟିନ୍ କହିଥିଲେ । ଯୁଦ୍ଧକୁ ନେଇ ରୁଷରେ ବିରାଧ ପ୍ରଦର୍ଶନ ବଢ଼ିବାରେ ଲାଗିଛି । ୟୁକ୍ରେନ ଯୁଦ୍ଧକୁ ଆହୁରି ୩ ଲକ୍ଷ ସୈନ୍ୟ ପଠାଯିବ ବୋଲି ପୁଟିନ ଗତ ସେପ୍ଟେମ୍ବରରେ ଘୋଷଣା କରିଥିଲେ । ଏହାପରେ ବିରୋଧ ପ୍ରଦର୍ଶନ ଜୋର ଧରିଥିଲା ।