Below header

ହୋପ୍‌ ଆଇଲ୍ୟାଣ୍ଡ: ଏଠାକାର ଲୋକ ସର୍ବପ୍ରଥମେ ସାମ୍ନା କରନ୍ତି ବାତ୍ୟାକୁ, କିନ୍ତୁ ଆଜି ଯାଏଁ କେହି ମରିନାହାନ୍ତି

ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯାହାର ରହସ୍ୟ ଆଜି ଯାଏଁ କୌଣସି ବୈଜ୍ଞାନିକ ଭେଦ କରିପାରିନାହାନ୍ତି। ସେଭଳି ଏକ ସ୍ଥାନ ହେଉଛି ଆନ୍ଧ୍ର ପ୍ରଦେଶର ହୋପ୍‌ ଆଇଲ୍ୟାଣ୍ଡ। ସମୁଦ୍ର ମଝିରେ ଥିବା ଏହି ଦ୍ୱୀପରେ ପ୍ରାୟ ୫୦ଟି ପରିବାର ବାସ କରନ୍ତି। ଏହି ଦ୍ୱୀପ ପ୍ରାକୃତିକ ବ୍ରେକ୍‌ ଓ୍ଵାଟର ଭଳି କାମ କରିଥାଏ ଓ ପଶ୍ଚିମବଙ୍ଗର ଖାଡ଼ିରେ ଆସୁଥିବା ଘୂର୍ଣ୍ଣିଝଡ଼ରୁ କାକିନାଡ଼ା ସହରକୁ ରକ୍ଷା କରିଥାଏ।

ଖାଡ଼ିରେ ସୃଷ୍ଟି ହେଉଥିବା ବାତ୍ୟା ପ୍ରଥମେ ଏହି ଦ୍ୱୀପରେ ହିଁ ମାଡ଼ ହୁଏ। କିନ୍ତୁ ଆଜି ଯାଏଁ ବାତ୍ୟା ଯୋଗୁ କାହାର ବି ପ୍ରାଣ ଯାଇନି ବୋଲି କୁହନ୍ତି ଏଠାକାର ବାସିନ୍ଦା। ଏଣୁ ମତ୍ସ୍ୟଜୀବୀ ମାନଙ୍କୁ ସ୍ଥାନାନ୍ତର ହେବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ସେମାନେ ଏଠାରୁ ଯାଆନ୍ତି ନାହିଁ। ଅନ୍ୟପଟେ ଏହି ଦ୍ୱୀପରେ ବାସ କରୁଥିବା ଲୋକ ଏବେ ବି ସରକାରୀ ସୁବିଧା ଯଥା:ସ୍ୱାସ୍ଥ୍ୟ ସେବା, ବିଶୁଦ୍ଧ ପାଣି, ରାସନ ଆଦି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଜରୁରୀ ଜିନିଷ ପାଇଁ ଏଠାକାର ବାସିନ୍ଦାଙ୍କୁ ୪୫ରୁ ୧ ଘଣ୍ଟାର ରାସ୍ତା ଅତିକ୍ରମ କରି ଯିବାକୁ ପଡ଼ିଥାଏ।

ବାତ୍ୟା ଯୋଗୁ ପ୍ରତିବର୍ଷ ଏଠାକାର ଲୋକଙ୍କ ଘର କ୍ଷତିଗ୍ରସ୍ତ ହୁଏ, ଏଣୁ ସେମାନେ ସ୍ଥାୟୀ ଘର ତିଆରି କରିନଥାନ୍ତି। ଅସ୍ଥାୟୀ ଭାବେ କୁଡ଼ିଆ କରି ଏଠାକାର ଲୋକ ବାସ କରିଥାନ୍ତି। ଗତ କିଛି ବର୍ଷ ହେବ ଏହି ଦ୍ୱୀପରେ ପିଲାଙ୍କ ପାଇଁ ଏକ ସ୍କୁଲ ଖୋଲିଛି। ମାତ୍ର ସେ ସ୍କୁଲରେ ମାତ୍ର ୨୦-୨୫ ଜଣ ପିଲା ପଢ଼ୁଛନ୍ତି। ସେହିପରି ଗତବର୍ଷ ଏହି ହୋପ୍‌ ଦ୍ୱୀପରେ ମତଦାନ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏଠାକାର ଲୋକମାନେ ସୌର ଶକ୍ତିରୁ ନିର୍ଗତ ବିଜୁଳି ଆଲୋକ ବ୍ୟବହାର କରିଥାନ୍ତି। ଏଠାରେ କାହାର ଘରେ ବି ଟିଭି ଫ୍ରିଜ୍‌ ନାହିଁ। ତଥାପି ଏଠାକର ଲୋକ ଏହି ଦ୍ୱୀପକୁ ଛାଡ଼ି ଯିବାକୁ ନାରାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.