Below header

ସହୀଦ ପୀଠ କଳାମାଟିଆ, ଗହ୍ମା ପୂର୍ଣ୍ଣିମାରେ ରକ୍ତରଂଜିତ ହୋଇଥିଲା ଏହି ମାଟି

ଯାଜପୁର : ବରୀ ମାଟି ବୀର ମାଟି । ଗହ୍ମା ପୂର୍ଣ୍ଣମୀ ଆସିଲେ କଳାମାଟିଆ ଗ୍ରାମବାସୀଙ୍କ ଲୋମ ଟାଙ୍କୁରି ଉଠେ । ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ । ସେଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ । ଏଥିସହ ବହୁ ଆନ୍ଦୋଳନକାରୀ ଆହତ ହେବା ସହ ଗିରଫ ମଧ୍ୟ ହୋଇଥିଲେ । ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି । ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ଗୋପବନ୍ଧୁ ଚୈାଧୁରୀ ଓ ରମା ଦେବୀଙ୍କ ନେତୃତ୍ୱରେ ବରୀ ଅଂଚଳର ସଂଗଠିତ ସଂଗ୍ରାମୀମାନେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ସେମାନଙ୍କ ପାଇଁ ବରୀ ମାଟି ଆଜି ଗର୍ବିତ

ତାଙ୍କର ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ ମନେରଖିବା ପାଇଁ କଳାମାଟିଆଠାରେ ସ୍ଥାପନ କରାଯାଇଛି ସହିଦ ସ୍ମୃତିସ୍ତମ୍ଭ । ପ୍ରତିବର୍ଷ ଗହ୍ମା ପୂର୍ଣ୍ଣମୀର ଦିନକୁ ଗୁଳିକାଣ୍ଡର ସ୍ମାରକୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଏଠାରେ ସହୀଦ ହୋଇଥିବା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଂଜଳି ଜ୍ଞାପନ ସହ ବିବିଧ କାର୍ଯ୍ୟକ୍ରମ କରାଯାଇଥାଏ । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ କେବଳ ବିଧି ରକ୍ଷା କରାଯାଇ ଶ୍ରଦ୍ଧାଂଜଳି ଅର୍ପଣ କରାଯିବ । ଏହି ପୀଠର ଉନ୍ନତି କରିବା ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଛି । ଏହି ପୀଠକୁ ଜାତୀୟ ସ୍ମାରକୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି । ମାତ୍ର ଏ ଆଶା କେବଳ ଆଶାରେ ହିଁ ରହିଯାଇଛି । ଆଜିର ଦିନରେ ଏହି ବୀର ସହିଦ ମାନଙ୍କୁ ଶତ ଶତ ସଲାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.