Below header

ଟ୍ରେନ୍‌ ଉପରେ ପଡ଼ିଛି କି ଶନିଦଶା, ନା ରହୁଛି ଅବହେଳା ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା

ବାହାନଗା ଦୁର୍ଘଟଣା କେମିତି ଘଟିଲା ଏବେ ତାର ତଦନ୍ତ କରୁଛି ସିବିଆଇ । ତାହା ଯାନ୍ତ୍ରିକ ତ୍ରୁଟି କିମ୍ବା ମନୁଷ୍ୟକୃତ ତାହା ତ ପରେ ସ୍ପଷ୍ଟ ହେବ । ହେଲେ ତା ପୂର୍ବରୁ ଆଉ ଗୋଟିଏ ଗୋଟିଏ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଅଧିକ ହେଲାଣି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଆମ ଦେଶରେ ଯାତ୍ରୀ ପରିବହନର ସବୁଠାରୁ ବଡ଼ ନେଟଓ୍ଵାର୍କ ହେଉଛି ଟ୍ରେନ୍‌ । ଅଧିକ ଲୋକ ଶସ୍ତା ଏବଂ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ସବୁଠୁ ବଡ଼ ମାଧ୍ୟମ । ହେଲେ ଏବେ ଟ୍ରେନ୍‌ରେ ସୁରକ୍ଷିତ ଯାତ୍ରା ନେଇ ଉଠିଛି ପ୍ରଶ୍ନ । ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଦର୍ଶାଇଛି । ବାହାନଗା ଦୁର୍ଘଟଣା କେମିତି ଘଟିଲା ଏବେ ତାର ତଦନ୍ତ କରୁଛି ସିବିଆଇ । ତାହା ଯାନ୍ତ୍ରିକ ତ୍ରୁଟି କିମ୍ବା ମନୁଷ୍ୟକୃତ ତାହା ତ ପରେ ସ୍ପଷ୍ଟ ହେବ । ହେଲେ ତା ପୂର୍ବରୁ ଆଉ ଗୋଟିଏ ଗୋଟିଏ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଅଧିକ ହେଲାଣି ।

ଗତ ଜୁନ୍‌ ୨ ତାରିଖ ଦିନ ଘଟିଥିଲା କରମଣ୍ଡଳ ଦୁର୍ଘଟଣା । ଏଥିରେ ଗୋଟିଏ ନୁହେଁ ତିନି ତିନିଟି ଟ୍ରେନ୍‌ ସଂପୃକ୍ତ ଥିଲେ । କରମଣ୍ଡଳ ସହ ଯଶୋବନ୍ତପୁର-ହାଓଡ଼ା ଏବଂ ଗୋଟିଏ ମାଲବାହୀ ଟ୍ରେନ୍‌ ମଧ୍ୟରେ ଏକା ସାଙ୍ଗରେ ଏକା ସମୟରେ ପୁଣି ଗୋଟିଏ ଜାଗାରେ ପିଟି ହୋଇ ଯାଇଥିଲେ । ଯାହାର ପରିଣାମ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ଏବଂ ହଜାରେ ଅଧିକ ଆହତ ।

ଏହି ଦୁର୍ଘଟଣା ପରେ ସପ୍ତାହେ ନପୂରୁଣୁ ଯାଜପୁର ଯୋଡ଼ ନିକଟରେ ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ୍‌ର ଓ୍ଵାଗନ ଗଡ଼ି ଯାଇ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ବରଗଡ଼ ଚୂନଭାଟି ଠାରେ ଏକ ପ୍ରାଇଭେଟ୍‌ ମାଲଗାଡ଼ି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ସୋର ନିକଟରେ ଏକ କୋଇଲା ବୋଝେଇ ଓ୍ଵାଗନରେ ନିଆଁ ଲାଗିଥିଲା । ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି ଆଠଗଡ଼ରେ । ଇଏତ ଗଲା କେବଳ ଓଡ଼ିଶା କଥା । ଗତକାଲି ପଶ୍ଚିମବଙ୍ଗର ଖଡ଼ଗପୁର ଠାରେ ମେଦିନୀପୁର-ହାଓଡ଼ା ପ୍ୟାସେଞ୍ଜର ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଥିଲା । ଅବଶ୍ୟ ସୌଭାଗ୍ୟକୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ତେବେ ଏଠି କହି ରଖୁଛୁ କି ଭାରତରେ ଦୈନିକ ୨୨ ହଜାର ୫୯୩ଟି ଟ୍ରେନ୍‌ ଚଳାଚଳ କରିଥାଏ । ସେଥିମଧ୍ୟରୁ ୧୩ ହଜାର ୪୫୨ଟି ହେଉଛି ପ୍ୟାସେଞ୍ଜର ଟ୍ରେନ୍‌ । ଦିନକୁ ୨ କୋଟି ୪୦ ଲକ୍ଷ ଯାତ୍ରୀ ଏହିସବୁ ଟ୍ରେନ୍‌ରେ ଯାତାୟାତ କରିଥାନ୍ତି । ଏଥିରେ ସବୁ ବେଳେ ଛୋଟମୋଟ କିଛି ଦୁର୍ଘଟଣା ଘଟିଥାଏ । ତେବେ ବାହାନଗା ଦୁର୍ଘଟଣା ପରେ ଯେକୌଣସି ଘଟଣା ବଡ଼ ଲାଗୁଛି । ତେଣୁ ଲୋକେ ଆଲୋଚନା କରୁଛନ୍ତି ରେଳର ବେଳା ଖରାପ । ତାକୁ ଶନିଦଶା ପଡ଼ିଛି ।

ଅବଶ୍ୟ ଏହା ସତ ଯେ ସଠିକ୍‌ ଢଙ୍ଗରେ ଟ୍ରେନ୍‌ ଚଳାଚଳ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆହୁରି ଅନେକ କାମ ବାକି ଅଛି । ଏବେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳରେ ବିଳମ୍ବରେ ପହଞ୍ଚଲେ ଚଳିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଗକୁ ଯୋଜନା ଏମିତି ହେବା ଦରକାର ଯାହାଫଳରେ ଉଭୟ ଠିକଣା ଭାବରେ ହୋଇ ପାରିବ । ସୁରକ୍ଷା ଏବଂ ସମୟାନୁବର୍ତ୍ତିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.