Below header

ଓଡ଼ିଶାରେ କରୋନା ଭାଇରସର ୩ଟି ୟୁକେ ଷ୍ଟ୍ରେନ୍ ଚିହ୍ନଟ, କୌଣସି ଦକ୍ଷିଣ ଆଫ୍ରିକା କି ବ୍ରାଜିଲିଆନ ଷ୍ଟ୍ରେନ୍ ନାହିଁ

କେନ୍ୟୁଜ୍(ବ୍ୟୁରୋ):  ସଂକ୍ରମଣ ବଢୁଥିବା ସମୟରେ, ଓଡ଼ିଶାରେ କରୋନା ଭାଇରସର ୩ଟି ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ଆସିଛି। ଆମ ରାଜ୍ୟରେ କିନ୍ତୁ କୌଣସି ଦକ୍ଷିଣ ଆଫ୍ରିକା କି ବ୍ରାଜିଲିଆନ ଷ୍ଟ୍ରେନ୍ ନାହିଁ। ବିଭିନ୍ନ ରାଜ୍ୟରୁ ୧୦ ହଜାର ୭୮୭ ପଜଟିଭ୍ ସାମ୍ପଲର ଜିନୋମ୍ ସିକ୍ୱେନ୍‌ସିଂ କରାଯାଇଥିଲା। ସେଥିରୁ ୧୮ଟି ରାଜ୍ୟରୁ ୭୭୧ ଉଦ୍‌ବେଗଜନକ ନୂଆ ଷ୍ଟ୍ରେନ୍ ମିଳିଛି।

ସେହି ୭୭୧ଟି ନୂଆ ଷ୍ଟ୍ରେନ୍‌ରୁ ୟୁକେ ଷ୍ଟ୍ରେନ୍ ସଂଖ୍ୟା ୭୩୬, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ୩୪ ଓ ବ୍ରାଜିଲିଆନ ଷ୍ଟ୍ରେନ ସଂଖ୍ୟା ୧ ରହିଛି । ୧୮ଟି ରାଜ୍ୟରେ ୟୁକେ ଷ୍ଟ୍ରେନ, ୭ଟି ରାଜ୍ୟରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଓ ଗୋଟିଏ ରାଜ୍ୟ ମହାରାଷ୍ଟ୍ରରେ ବ୍ରାଜିଲିଆନ ଷ୍ଟ୍ରେନ ଦେଖିବାକୁ ମିଳିଛି। ପଞ୍ଜାବରେ ସବୁଠାରୁ ଅଧିକ ୩୩୬ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଏହି ଷ୍ଟ୍ରେନ ସଂଖ୍ୟା ତେଲେଙ୍ଗାନାରେ ୮୭, ଦିଲ୍ଲୀରେ ୬୫, ମହାରାଷ୍ଟ୍ରରେ ୫୬ ଓ ଓଡ଼ିଶାରେ ୩ ରହିଛି।

ଭାଇରସର ମ୍ୟୁଟେନସ ଯୋଗୁଁ ନୂଆ ଷ୍ଟ୍ରେନ ଦେଖିବାକୁ ମିଳୁଛି। କିନ୍ତୁ ଏହି ମ୍ୟୁଟେସନ ସାଧାରଣ ପ୍ରକ୍ରିୟା। ଏଥିରେ ବିଚଳିତ ହେବାର ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି। ଦେଶରେ ସଂକ୍ରମଣ ବଢୁଛି। ନୂଆ ଷ୍ଟ୍ରେନ ସହ ସଂକ୍ରମଣ ବଢିବାର କୌଣସି ସିଧା ଲିଙ୍କ୍ ଥିବା ଜଣାପଡି ନାହିଁ ବୋଲି କୁହାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.