ପଞ୍ଚାୟତ ଓ ପୌରାଞ୍ଚଳ ୧୦୦% ପ୍ରସ୍ତୁତ ଥିବା ନେଇ ଦେବେ ପ୍ରମାଣ ପତ୍ର, ଅଧିକାରୀ ଅବହେଳ କରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ): ଖରା ଦିନରେ ପାନୀୟ ଜଳ ଯୋଗାଣ ପାଇଁ କେତେ ପ୍ରସ୍ତୁତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ।  ସମସ୍ତ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣପତ୍ର ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣର ସମୀକ୍ଷା କରିଥିଲେ। ଚଳିତ ବର୍ଷ ଶୀଘ୍ର ଗ୍ରୀଷ୍ମ ଋତୁ ଆସିଛି। ଏ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ଗରମ ହେବା ସମ୍ଭାବନା। ତେଣୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ ଅଂଚଳ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ନବୀନ।

ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନ ସମ୍ପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ଅଧିକାରୀ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ତଦାରଖ କରିବେ। ଅଧିକାରୀ ଅବହେଳ କରୁଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସବୁ ପରିବାର ଏବଂ ୨୦୨୨ ସୁଦ୍ଧା ସହରାଞ୍ଚଳର ସବୁ ପରିବାରକୁ ପାଇପ ଯୋଗେ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟର ୬୫ଟି ପୌରାଞ୍ଚଳର ୩୩୫ଟି ସ୍ଥାନରେ ପାନୀୟ ଜଳର ସମସ୍ୟା ଥିବା ବେଳେ ଏଗୁଡିକୁ ୧୧୭ଟି ଟ୍ୟାଙ୍କର ଓ ୧୩୮୦ଟି ପିଭିସି ଟ୍ୟାଙ୍କ ଜରିଆରେ ପାଣି ଯୋଗାଇ ଦିଆଯାଉଛି। ସେପଟେ ଗ୍ରାମାଞ୍ଚଳରେ ସବୁ ପାଇପ ପାଣି ଓ ଟ୍ୟୁବୱେଲ ଗୁଡିକୁ ଯାଞ୍ଚ କରାଯାଇ ପ୍ରତିକାର ବ୍ୟବସ୍ଥା କରାଯାଉଛି । ପାନୀୟ ଜଳର ସମସ୍ୟା ଥିବା ୧୧ଟି ପୌରାଞ୍ଚଳ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.