Below header

ଆସନ୍ତାକାଲି ୧୨ ଘଣ୍ଟା ଠପ୍‌ ହୋଇଯିବ ସାରା ଦେଶ, ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ । କାଲି ପୂରିବ ଚାରି ମାସ । ପ୍ରତିବାଦରେ ଦେଶବ୍ୟାପୀ ବନ୍ଦ ପାଳନ କରିବେ ଚାଷୀ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସକାଳ ୬ରୁ ସନ୍ଧ୍ୟା ୬ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିବେ ଚାଷୀ । ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଅପିଲ୍‌ କରିଛନ୍ତି । ରାସ୍ତାରୋକ କରିବେ । ବନ୍ଦ ରହିବ ଗାଡ଼ିମୋଟର ଓ ରେଳ ଚଳାଚଳ । ଖୋଲିବନି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନବଜାର । ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯିବ ।

ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ବନ୍ଦ ପାଳନ ହେବନି । ଭାରତ ବନ୍ଦକୁ ସଫଳ କରିବା ସହ କୃଷକଙ୍କ ସମ୍ମାନକୁ ବଜାୟ ରଖିବା ପାଇଁ ନିବେଦନ କରିଛି ସଂଯୁକ୍ତ ଭାରତୀୟ କିଷାନ ମୋର୍ଚ୍ଚା । ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ ।କୃଷକ ସଂଗଠନର ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ ଘୋଷଣା କରିଛନ୍ତି । ଫଳରେ ପ୍ରଭାବିତ ହୋଇପାରେ ସାଧାରଣ ଜୀବନ ଯାତ୍ରା ।

ନୂଆ କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବର ୨୬ରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ । ଆନ୍ଦୋଳନକୁ କାଲି ଚାରି ମାସ ପୂରିବ । ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଚଳାଇଛନ୍ତି । ପୂର୍ବରୁ ୧୦ଟି ପର୍ଯ୍ୟାୟରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ଆଲୋଚନା ହୋଇଥିଲେ ବି କିଛି ନିଷ୍ପର୍ଷ ବାହାରି ପାରିନି । ଡିସେମ୍ବର ୮ ତାରିଖରେ ବି ଚାଷୀ ଭାରତ ବନ୍ଦ କରିଥିଲେ । ପରେ ଚକାଜାମ୍‌ ଓ ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବି କରିଥିଲେ କୃଷକ ସଂଗଠନ ।

ଭାରତ ବନ୍ଦକୁ ଦୃଷ୍ଟିରେ ରଖି  ଆସନ୍ତାକାଲି ରାଜ୍ୟରେ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ ।ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ସେହିପରି ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ନେଇ ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.