Below header

ଭୁବନେଶ୍ୱର ଆସିଥିବା ଜଣେ ଆଦିବାସୀ ଯୁବକଙ୍କୁ ଏମିତି ଲୁଟିଲା ଲୁଟେରା, ଜାଣିଲେ ଆଖିରେ ଲୁହ ରହିବନି

ସରଳ ଆଦିବାସୀ ଯୁବକଙ୍କୁ ଲିପ୍ଟ ଦେବା ବାହାନାରେ ଲୁଟିନେଲା ଚୋର ।

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଥାନା ଭିତରୁ କାନ୍ଦି କାନ୍ଦି ବାହାରି ଆସୁଥାନ୍ତି ଜଣେ ଯୁବକ ହାତରେ ଖଣ୍ଡେ କାଗଜ ଧରିଥାନ୍ତି ।
କହୁଥାନ୍ତି ବ୍ୟାଗ୍ ଟା ମୋର ନେଇଗଲା । ସେଥିରେ ମୋର ଟଙ୍କା ସାର୍ଟିଫିକେଟ ସବୁଥିଲା । ଦୁଇ ଦିନ ହେଲା ଖାଇନି ପେଟରେ ଦାନ ନାହିଁ । ଏମିତି କିଛି କହି କାନ୍ଦି ପକାଉ ଥାନ୍ତି ଯୁବକ ଜଣକ । ପୁଣି ଲୁହ ସବୁ ନିଜ ସାର୍ଟରେ ପୋଛି ପକାଉଥାନ୍ତି । ଯାହା ଜଣା ପଡୁଥିଲା ନିରୀହ ସରଳ ଯୁବକ ଜଣଙ୍କ ବୋଧେ ଲୁଟ୍ ର ଶୀକାର ହୋଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଅନେକ ସମୟରେ ଛିନତାଇ,ରାହାଜାନି ଭଳି ଘଟଣାର ସାମ୍ନା କରିଥାନ୍ତି ଅନେକ ଲୋକ। ଅପାତତଃ ରାଜଧାନୀ ଭୁବନେଶ୍ୱରକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ସରଳ ଲୋକ ମାନେ ଅଧିକାଂଶ ସମୟରେ ଏଭଳି ଲୁଟର ଶିକାର ହୋଇଥାନ୍ତି । ଏସବୁ ଲୁଟ୍ ତରାଜ କରିବାର ସୂତ୍ର କିଏ କେଉଁ ପ୍ରକାର ଆପଣେଇଥାନ୍ତି । କିଏ ନିଶା ଦେଇ ଲୁଟ୍ କରିଥାଏ ତ କିଏ ପୁଣି ଚଞ୍ଚକତାର ସହିତ ରାଜଧାନୀ କୁ ଆସୁଥିବା ନିରୀହ ସରଳ ବିଶ୍ୱାସୀ ଲୋକଙ୍କ ଠାରୁ ଲୁଟ୍ କରିଥାଏ ।
ଏସବୁ ଘଟଣା ଭିତରୁ ଅନେକ ଘଟଣା ଲୋକଲୋଚନକୁ ଆସିପାରେନାହିଁ । କାହିଁକି ନା ଏମାନେ ଯେହେତୁ ବାହାର ଜିଲ୍ଲରୁ ଆସିଥାନ୍ତି ତେଣୁ ଏମାନେ ଏଠାରେ ରହି ମାମଲା ରୁଜୁ କରି ଲଢ଼ିବା ସମ୍ଭବ ହୋଇନଥାଏ । ପୋଲିସ ମାମଲା ରୁଜୁ କରି ସାମୁୟିକ ଭାବରେ ଛାନଭିନ୍ କରି ଚୁପ ହୋଇ ବସିଯାଆନ୍ତି ।

ତେବେ ଆଜି ଖଣ୍ଡଗିରି ଥାନା ଅଞ୍ଚଳରେ ଏମିତି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣମାନଙ୍କ ଆଖି ବି ଲୁହରେ ଭରିଯିବ । ଯୁବକ ଜଣଙ୍କ ନାମ ସିନେ ତାରିଙ୍ଗି । ଘର କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ନରଣପାଟଣାରେ । ସିନେଙ୍କ ପରିବାର କହିଲେ ବାପା ବହୁ ବର୍ଷ ତଳୁ ଆଖି ବୁଜି ସାରିଛନ୍ତି । ବିଧବା ମାଆ, ସ୍ତ୍ରୀ ସହିତ ଛୋଟ ପୁଅ ଝିଅ ଦୁଇଟି । ଘରେ ସବୁବେଳେ ଅଭାବ ଅନାଟନକୁ ଆଖିଆଗରେ ରଖି ସିନେ ଏୟାଠୁ ତାଠୁ ଧାର କରଜ କରି ଟଙ୍କା ଚାରି ହଜାର ହାତରେ ଧରି ବାହାରି ଆସିଥିଲେ ରାଜଧାନୀ ଭୁବନେଶ୍ୱରକୁ କେଉଁଠି ଟିକେ କାହା ପାଖରେ ଚାକିରି କରି ପରିବାର ମୁହଁରେ ଦାନା ଗଣ୍ଡେ ଯୋଗାଇ ପାରିବ । କିନ୍ତୁ ସିନେ ତାରିଙ୍ଗିର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା ।

ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଓହ୍ଲାଇ ଯେତେବେଳେ ବାହାରକୁ ଅସିଲେ ସିନେ କେହି ଜଣେ ଅଜଣା ଲୋକ ପାଖରେ ଆଣି ବାଇକ ଲଗାଇ ପଚାରିଲା କୁଆଡେ ଯିବ? ସିନେ କହିଲେ କଳ୍ପନା ଛକ ଯିବି । ତାପରେ ସେହି ସୈତାନ ନିଷ୍ଠୁର ହୃଦୟ ଲୋକଟି ସିନେଙ୍କୁ ଲିପ୍ଟ ଦେବା ବାହାନାରେ ଗାଡ଼ିରେ ବସିବାକୁ କହିଲା । ସିନେ ଗାଡିରେ ବସିଲା ପରେ ତାଙ୍କୁ କଳ୍ପନାରୁ ବୁଲାଇ ଫେରାଇ ଆଣିଲା । ଆଉ ଅଧା ବାଟରେ ସିନେ କୁ ଗାଡି ଚଳାଇବାକୁ କହି ନିଜେ ଗାଡ଼ିରେ ବସିଲା । ମଝିରେ ସିନେଙ୍କୁ କହିଲା ବ୍ୟାଗ ମୋତେ ଦିଅ ତୁମେ ଗାଡି ଚଲାଅ । ସିନେ ସରଳ ବିଶ୍ୱାସରେ ଗାଡି ଚଲେଇଲେ । ବାଟରେ ଟ୍ରାଫିକ୍ ପଡିଲା । ଫାୟାର ଷ୍ଟେସନର ଟିକେ ପୂର୍ବରୁ ସିନେ କୁ ଦୁର୍ବୁତ୍ତ ଜଣକ କହିଲା ତୁମେ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଯାଅ ନଚେତ ବିନା ହେଲମେଟରେ ଫାଇନ ଦେବାକୁ ପଡିବ।

ସିନେ ଓହ୍ଲାଇ ଚାଲି ଚାଲି ଆଗକୁ ଯିବା ଭିତରେ ସୈତାନ ଲୁଟେରା ବ୍ୟାଗ୍ ଧରି ଫେରାର ହୋଇଗଲା । ଗରିବ ସିନେ ବିଚରା ଆସି ଖଣ୍ଡଗିରି ଥାନାରେ ଏତଲା ଦେଲେ । ପୋଲିସ ଯେଉଁଠାରୁ ଚୋରି ହୋଇଥିଲା ସେ ସ୍ଥାନକୁ ଗାଡ଼ିରେ ନେଲା ସିନେଙ୍କୁ ସ୍ପଟ ଭିଜିଟ ପାଇଁ । ତାପରେ ସିନେ ତାରିଙ୍ଗି ପାଇଁ ବ୍ୟବସ୍ଥା ହେଲା ଘରକୁ ଫେରିଯିବାକୁ ।

ଏଠାରେ ଆମେ କହି ରଖୁଛୁ କି ଯେଉଁ ଲୁଟେରା ଏଭଳି ନିରୀହ ସରଳ ଲୋକମାନଙ୍କୁ ଟାର୍ଗେଟ କରୁଛନ୍ତି, ସେମାନଙ୍କ ଠାରୁ ଚଞ୍ଚକତାର ସହିତ ଲୁଟ କରୁଛନ୍ତି, ଥରେ ଯଦି ଆମର ଏହି ଭିଡିଓକୁ କେଉଁଠି ଦେଖନ୍ତି, ତାହାହେଲେ ଥରେ ନିଶ୍ଚିତ ଭାବିଦେଖିବେ କି, ଏଭଳି ସରଳ ଲୋକ କେତେ କଷ୍ଟ ଯନ୍ତ୍ରଣାରେ ବଞ୍ଚୁଛନ୍ତି । ଆଉ ଏଭଳି ଗରିବ, ନୀରିହ ଲୋକଙ୍କ ଠାରୁ ଲୁଟ କରି ଚମ୍ପଟ ମାରିବା କେତେ ଦୂର ଠିକ୍? ଆଉ ଯେଉଁମାନେ କୌଣସି ନୂଆ ସ୍ଥାନକୁ ବାହାରୁ ଆସୁଛନ୍ତି ସେମାନେ ଅଜଣା ଲୋକଙ୍କ ଠାରୁ ଲିପ୍ଟ ନିଅନ୍ତୁନାହିଁ କି କୌଣସି ପ୍ରକାର ସମ୍ପର୍କ ସ୍ଥାପନ କରନ୍ତୁନି । ନହେଲେ ଏମିତି ଲୁଟର ଶିକାର ହେବେ। ତେବେ ତୁରନ୍ତ ଉଚିତ୍ ତଦନ୍ତ କରି ଲୁଟେରାକୁ କାବୁ କରିବାକୁ ଯୁବକ ଜଣଙ୍କ ଅନୁରୋଧ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.