ଏଣିକି ସନ୍ଧ୍ୟା ସମୟରେ ଟ୍ୱିନ୍ ସିଟିକୁ ଟ୍ରକ ମନା : କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି

ସଂଧ୍ୟାରେ ଭୁବନେଶ୍ବର ଓ କଟକକୁ ଟ୍ରକ ମନା। ସଂଧ୍ୟା ୫ଟାରୁ ସାଢ଼େ ୭ଟା ମଧ୍ୟରେ ରହିବ କଟକଣା। ୬ ଚକିଆ କିମ୍ବା ତଦୁର୍ଦ୍ଧ ଚକିଆ ଗାଡ଼ି ଚକିଆ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।

କଟକ/ ଭୁବନେଶ୍ବର (କେନ୍ୟୁଜ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସଂଧ୍ୟାରେ ଭୁବନେଶ୍ବର ଓ କଟକ ମଧ୍ୟକୁ ଟ୍ରକ ମନା। ୬ ଚକିଆ କିମ୍ବା ତଦୁର୍ଦ୍ଧ ଚକିଆ ଗାଡ଼ି ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାତପଥ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟରେ ଭୁବନେଶ୍ବର କଟକ କମିଶନରେଟ ପୋଲିସ ଏହି ନିଷ୍ପତ୍ତି ନେଇଛି। ଜନସାଧାରଣଙ୍କ ସୁରକ୍ଷା ଓ ସୁଗମନାଗମନ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ୍‌ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୋଲିସ୍ କମିସନରେଟ୍ ଭୁବନେଶ୍ବର-କଟକ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୪(୧) ଅନୁସାରେ ଏହି ନିୟମ ଲାଗୁ କରାଯାଇଛି।

ନୂଆ ନିଷ୍ପତ୍ତି ମୁତାବକ, ଏଣିକ ସନ୍ଧ୍ୟା ୫ଟାରୁ ୭.୩୦ ପର୍ଯ୍ୟନ୍ତ ସହର ମଧ୍ୟକୁ ୬ ଚକିଆ ଯାନ ପ୍ରବେଶ କରିପାରିବ ନାହିଁ । କସମୋପଲିସ ଛକରୁ ହଂସପାଳ, ଶିଖରପୁରରୁ ମଧୁପାଟଣା, ପିତାପଲ୍ଲୀ ଛକ ପଟୁ ଭୁବନେଶ୍ୱର ଆଡ଼କୁ ଓ ମଙ୍ଗୁଳି ଛକପଟୁ କଟକ ସହର ପର୍ଯ୍ୟନ୍ତ ବେଶି ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ତେଣୁ ଟ୍ୱିନ୍ ସିଟିକୁ ଟ୍ରକ, ଟ୍ରେଲର ଓ ହାଇୱା ପ୍ରବେଶ ନିଷେଧ କରାଯାଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଟ୍ୱିନ ସିଟିରେ ସକାଳ ୯ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । କିନ୍ତୁ ସେହି ଗାଡ଼ିଗୁଡ଼ିକୁ କମିଶନରେଟ ପୋଲିସ କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ନେବାକୁ ପଡ଼ିବ ବୋଲି କୁହାଯାଇଛି। ତେଣୁ ଭାରି ଯାନ ଉପରେ କଟକଣା ଲାଗୁ କରାଯିବା ସହ ଏନେଇ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.