ସାଢେ ୧୧ଟାରେ ୪୩ ଡିଗ୍ରୀ ଟପିଲା ରାଜଧାନୀ, ୪୪.୧ ଡିଗ୍ରୀ ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ
ସତ ହେଲା ପାଣିପାଗ ବିଭାଗର ଆକଳନ। ଆଉ କେଇ ଘଣ୍ଟାପରେ ୪୫ ଛୁଇଁଗଲା ଭଳି ଲାଗିଛି । ଦିନ ସାଢେ ୧୧ଟା ସୁଦ୍ଧା ୪୩ ଡିଗ୍ରୀ ଟପିଛି ରାଜଧାନୀ ତାପମାତ୍ରା। ୪୩.୬ ଡିଗ୍ରୀରେ ସିଝୁଛି ଭୁବନେଶ୍ବର । ସେହିପରି ଦିନ ସାଢେ ୧୧ଟା ସୁଦ୍ଧା ୪୪.୧ ଡଗ୍ରୀ ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଭୁବନେଶ୍ବର (କେନ୍ୟୁଜ): ସତ ହେଲା ପାଣିପାଗ ବିଭାଗର ଆକଳନ । ଆଉ କେଇ ଘଣ୍ଟାପରେ ୪୫ ଛୁଇଁଗଲା ଭଳି ଲାଗିଛି । ୧୫ ଦିନ ହେଲା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଂଶୁଘାତ ଭୟରେ ଅନେକ ଘରୁ ବାହାରୁ ନାହାନ୍ତି । ଯେଉଁମାନେ ବାଧ୍ୟ ହୋଇ ଘରୁ ବାହାରୁଛନ୍ତି, ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇଯାଉଛି । ଏହାରି ଭିତରେ ଦିନ ସାଢେ ୧୧ଟା ସୁଦ୍ଧା ୪୩ ଡିଗ୍ରୀ ଟପିଛି ରାଜଧାନୀ ତାପମାତ୍ରା । ୪୩.୬ ଡିଗ୍ରୀରେ ସିଝୁଛି ଭୁବନେଶ୍ବର । ସେହିପରି ଦିନ ସାଢେ ୧୧ଟା ସୁଦ୍ଧା ୪୪.୧ ଡଗ୍ରୀ ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ାରେ ୪୨.୫, କେନ୍ଦୁଝରରେ ୪୧.୪ ଓ ଚାନ୍ଦବାଲିରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ସହରକୁ ରେଡ୍ ଆଲର୍ଟ ଜାରି କରଯାଇଛି । ଆହୁରି ୨ ଦିନ ଅସହ୍ୟ ହେବ ଗରମ । ଏଭଳି ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ତାତିରେ ଦେହ ହାତ ପୋଡ଼ି ହେଲା ଭଳି ଲାଗୁଛି । ରାଜ୍ୟରେ ଏବେ ପ୍ରତିଦିନ ଅଧିକାଂଶ ସ୍ଥାନରେ ପାରଦ ୪୦ ଉପରେ ରହୁଛି । ଆଜି ଉଭୟ କଟକ, ଭୁବନେଶ୍ବର ଓ ବାଲେଶ୍ବର ସହର ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।