Below header

ଓଡ଼ିଶାକୁ ଆସିଗଲାଣି ଆଉ ଏକ ମାରାତ୍ମକ ନିଶା, କୋକେନ୍‌

ନିକଟରେ ଭୁବନେଶ୍ୱରରେ ଧରା ପଡ଼ିଛି ନିଶା ଦ୍ରବ୍ୟ କୋକେନ୍‌ । ଏମିତିରେ ତ ସବୁଦିନେ ଗଞ୍ଜେଇ ଏବଂ ବ୍ରାଉନ୍‌ ସୁଗାର ଜବତ ହେଉଛି । ହେଲେ ପ୍ରଥମ ଥର ଧରାପଡ଼ିଛି କୋକେନ୍‌ । ତେବେ ଏଇ କୋକେନ୍‌ କଣ ଆସନ୍ତୁ ଜାଣିବା ।

କୋକେନ୍‌ ହେଉଛି ଏକ ଶକ୍ତିଶାଳୀ ଓ ବିପଜ୍ଜନକ ନିଶା ଦ୍ରବ୍ୟ। ଏହାକୁ ସେବନ କଲେ କୋକେନ୍‌ ସିଧାସଳଖ ମସ୍ତିଷ୍କକୁ ପ୍ରଭାବିତ କରେ । ସେବନ କରିଥିବା ମଣିଷ ବେଶ୍‌ କିଛି ସମୟ ପାଇଁ ନିଜ ଆୟତ୍ତରେ ରହେ ନାହିଁ । ମସ୍ତିଷ୍କ ଆହୁରି ଦ୍ରୁତ ଗତିରେ କାମ କରେ । ସେତେବେଳେ ଲାଗିବ ଯେମିତି ମୁଁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମଣିଷ ଏବଂ ଯେକୌଣସି କାମ କରି ପାରିବି । ଅବଶ୍ୟ ଦେହର ଯନ୍ତ୍ରଣାକୁ ମଧ୍ୟ ଏହା କିଛି ସମୟ ପାଇଁ ଭୁଲାଇ ଦିଏ ।

ତେବେ ଏହାର ଏକ ବହୁତ ଖରାପ ଗୁଣ ହେଉଛି କୋକେନ୍‌ର ପ୍ରଭାବ କମି ଆସିଲେ ନିଜକୁ ପୂର୍ବ ସ୍ଥିତିରେ ରଖିବା ପାଇଁ ଆଉ ଟିକେ ସେବନ କରିବାକୁ ଇଚ୍ଛା ହୁଏ । ଯଦି ଏଭଳି ଭାବେ ଆଉ ଟିକେ ଟିକେ କୋକେନ୍‌ ସେବନ କରାଯାଏ ତେବେ ତା ଦ୍ୱାରା ବଶୀଭୂତ ହୋଇ ମଣିଷ ପୂରାପୂରି ନିଶାର କବଳକୁ ଚାଲିଯାଏ ।
ଭାରତରେ କୋକେନ୍‌କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହାକୁ ରଖିବା ଅବା ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ । ଏଥିରୁ ଅଳ୍ପ ମାତ୍ରାରେ ପାଖରେ ରଖିଥିଲେ ମଧ୍ୟ ଆପଣ ଅପରାଧୀ ଭାବରେ ଗଣାଯିବେ । ଅବଶ୍ୟ ଏହାର ଦାମ୍‌ ଏତେ ଯେ ଏହାକୁ କେବଳ ଧନୀ ବର୍ଗର ଲୋକେ ହିଁ କିଣି ପାରନ୍ତି । ଧନୀ ଲୋକଙ୍କ ଭିତରେ କୋକେନ୍‌ ସେବନ କରିବା ଏକ ଷ୍ଟାଟସ୍‌ ସିମ୍ବଲ ବୋଲି ଧରାଯାଏ । ତେଣୁ ଆମ ଦେଶକୁ କୋକେନ୍‌ କେବଳ ଚୋରାରେ ବେଆଇନ୍‌ ଭାବେ ହିଁ ଆସିଥାଏ ।
କୋକେନ୍‌ କିନ୍ତୁ ଉଭୟ ଶରୀର ଓ ମସ୍ତିଷ୍କ ପାଇଁ ବହୁତ କ୍ଷତିକାରକ । ଅଧିକ ମାତ୍ରାରେ ସେବନ ଦ୍ୱାରା ଜୀବନ ଚାଲିଯିବାର ଆଶଙ୍କା ରହିଥାଏ । ଏମିତିକି ଦୁର୍ବଳ ଓ ରୋଗଗ୍ରସ୍ତ ଲୋକ ଅଳ୍ପ ମାତ୍ରାରେ ଏହାକୁ ସେବନ କଲେ ମଧ୍ୟ ମୃତ୍ୟୁର ଆଶଙ୍କା ରହିଛି ।

କୋକା ଗଛର ପତ୍ରରୁ କୋକେନ୍‌ ପ୍ରସ୍ତୁତ ହୁଏ । କୋକେନ୍‌ର ପ୍ରଭାବ ୫ରୁ ୯୦ ମିନିଟ୍‌ ପର୍ଯ୍ୟନ୍ତ ରହେ । ସେତେବେଳେ ହାର୍ଟବିଟ୍‌ ବଢ଼ିଯାଏ ଝାଳ ବହେ ଏବଂ ଆଖି ବାହାରକୁ ବାହାରି ପଡ଼ିଲା ଭଳି ଲାଗେ । କୋକେନ୍‌ ସେବନକାରୀଙ୍କର ହାର୍ଟ ଆଟାକ, ଅଚାନକ ହୃଦ୍‌ଯନ୍ତ୍ର ବନ୍ଦ ହୋଇଯିବା ଭଳି ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ଚୋରାରେ ଆସୁଥିବା କୋକେନ୍‌ରେ ବିଭିନ୍ନ ବିଷାକ୍ତ ପଦାର୍ଥ ମିଶା ଯାଉଥିବାରୁ ଏହା ଆହୁରି ଘାତକ ହୋଇଯାଏ । ଏକ ସର୍ଭେ ଅନୁସାରେ ପ୍ରତି ୧ ଲକ୍ଷ ଲୋକଙ୍କ ଭିତରେ ୭.୩ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଉଛି ।
ବିଶ୍ୱ ବଜାରରେ କୋକେନ୍‌ର ମୂଲ୍ୟ ବହୁତ ବେଶି । ପ୍ରତି ଗ୍ରାମ୍‌ର ମୂଲ୍ୟ ୫ ହଜାର ଟଙ୍କା । ତେବେ ଏହା ବିକ୍ରି ହେଉଛି ୮ରୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଛି ।
ଯାହା ଇତିହାସ କହେ, ବହୁ ବର୍ଷ ପୂର୍ବରୁ ଦକ୍ଷିଣ ଆମେରିକାରେ ଆଦିବାସୀମାନେ ଏହାକୁ ଶକ୍ତି ବର୍ଦ୍ଧକ ଭାବେ ବ୍ୟବହାର କରୁଥିଲେ । ପ୍ରଥମେ ସେମାନେ କୋକା ଗଛର ପତ୍ରକୁ ଚୋବାଇ ଖାଉଥିଲେ । ଏହାପରେ ତାର ପତ୍ରକୁ ସିଝାଇ ତାର ପାଣିକୁ ପିଉଥିଲେ । ତେବେ ପରବର୍ତ୍ତୀ ସମୟରେ ଏହାର ପାଉଡର ପ୍ରସ୍ତୁତ ହେଲା ଏବ ଡାକ୍ତରମାନେ ଏହାକୁ ବିଭିନ୍ନ ରୋଗରୁ ଭଲ ହେବା ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦେଲେ । ସେ ଦାନ୍ତ ଡାକ୍ତର ହୁଅନ୍ତୁ କି ଆଖି ଡାକ୍ତର ସମସ୍ତେ ଏହାକୁ ବ୍ୟବହାର କରିବା ଲାଗି କହିଲେ । ପୁଣି ରୁପିକୁ ଦୂର କରିବା ପାଇଁ କୋକେନ୍‌କୁ ସାମ୍ପୋରେ ମିଶାଗଲା । ଏମିତିକି କିଛି ଚା’ କମ୍ପାନୀ ସେମାନଙ୍କ ଚା’ରେ ମଧ୍ୟ କୋକେନ୍‌ ମିଶାଇଲେ । ଏଭଳି ଭାବେ ଏହାର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ବଢ଼ିଗଲା । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଆପଣମାନେ ପିଉଥିବା କୋକାକୋଲା କୋଲଡ୍‌ ଡ୍ରିଙ୍କସ ପୂର୍ବରୁ ଏହି କୋକେନ୍‌ରୁ ହିଁ ତିଆରି ହେଉଥିଲା । ଏଥିରେ ଅଳ୍ପ ମାତ୍ରାରେ କୋକେନ୍‌ ମିଶାଯିବା ଫଳରେ ଟିକେ ନିଶା ହୁଏ । ଦେହରେ ସ୍ପୂର୍ତ୍ତି ଆସିଯାଏ । ସେଇଥି ପାଇଁ ଏହାର ନାଁ ରଖା ଯାଇଥିଲା କୋକାକୋଲା । ତେବେ ୧୯୦୬ ମସିହା ପରେ କୋକାକୋଲାରେ ଆଉ କୋକେନ୍‌ ମିିଶାଗଲା ନାହିଁ । ସେହିପରି କିଛି ଦେଶରେ ଶ୍ରମିକ ତଥା ଗୋଲାମମାନଙ୍କ ଠାରୁ ଅଧିକ କାମ ଆଦାୟ କରିବା ପାଇଁ କୋକେନ୍‌ ଦିଆଗଲା । ଏଭଳି ଭାବେ ଏହାର ଦୁରୁପଯୋଗ ହେଲା । ସେଥିପାଇଁ ୧୯୨୨ ମସିହା ପରେ ଏହାକୁ ବେଆଇନ୍‌ ଡ୍ରଗ୍‌ ଭାବେ ବ୍ୟାନ୍‌ କରି ଦିଆଗଲା । ତେବେ ଏହାପରେ ଡ୍ରଗ୍‌ ମାଫିଆମାନେ ସକ୍ରିୟ ହୋଇ ଏହାକୁ ନେଇ ବେପାର ଆରମ୍ଭ କରିଦେଲେ । ବିଶେଷ କରି ଯୁବ ପିଢ଼ିଙ୍କ ମଧ୍ୟରେ କୋକେନ୍‌ ସେବନ ଠିକ ହେରୋଇନ୍‌ ଭଳି ବ୍ୟାପିଗଲା । ଯାହା ଏବେ ଓଡ଼ିଶାକୁ କବଳିତା କରିବା ଆରମ୍ଭ କରିଛି ।

ସମୁଦ୍ର ରାସ୍ତା କିମ୍ବା ବିଭିନ୍ନ ରାଜ୍ୟର ସୀମା ଦେଇ ଏହା ରାଜ୍ୟ ଭିତରକୁ ଆସୁଛି । ଭାରତ କେବେ ଠାରୁ ବେଆଇନ୍‌ ଡ୍ରଗ୍‌ କାରବାରର ପେଣ୍ଠସ୍ଥଳୀ ପାଲଟି ସାରିଛି । ଯାହାକୁ ଏବେଠାରୁ ରୋକା ନଗଲେ ଆଗକୁ ଆମ ରାଜ୍ୟରେ ଏହି ବିପଜ୍ଜନକ ନିଶା କୋକେନ୍‌ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଠିକ୍‌ ବ୍ରାଉନ୍‌ ସୁଗାର ଭଳି । ନାର୍କୋଟିକ୍‌ କଣ୍ଟୋ୍ରଲ ବ୍ୟୁରୋ ଏନ୍‌ବିସି ତଥ୍ୟ ଅନୁଯାୟୀ ଭାରତରେ ୧୦ ଲକ୍ଷ ସାତ ହଜାର ଲୋକ କୋକେନ୍‌ ସେବନ କରୁଥିବା ଏକ ସର୍ଭେରୁ ଜାଣି ପାରିଛି । ଆମ ଦେଶରେ ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ଓ କର୍ଣ୍ଣାଟକରେ କୋକେନ୍‌ ଅଧିକ ସେବନ ହୁଏ । ୨୦୧୭ରେ ବେଆଇନ୍‌ ଡ୍ରଗ ବ୍ୟବହାର କରୁଥିବା ସାଢ଼େ ୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କେବଳ ଭାରତରେ ମରିଛନ୍ତି ୨୨ ହଜାର ଲୋକ ।

ତେଣୁ ଏହି ନିଶାକୁ ସାବଧାନ୍‌ । ନିଜ ପିଲାଙ୍କୁ ଭଲ ଭାବେ ଜଗନ୍ତୁ । କାରଣ ବାହାରେ ଡ୍ରଗ୍‌ ମାଫିଆଙ୍କର ରାଜ୍‌ ଚାଲିଛି । ସେମାନେ ପ୍ରଥମେ ଫୁସୁଲାଇ ଯୁବକମାନଙ୍କୁ ନିଜ ବଶୀଭୂତ କରନ୍ତୁ ଓ ପରେ ସେମାନଙ୍କୁ ଏଭଳି ଡ୍ରଗ୍‌ସ ଦ୍ୱାରା ଶିକାର ବନାଇଥାନ୍ତି ।

ବ୍ୟୁରୋ ରିପୋର୍ଟ, କେନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.