Below header

କଥା କହିପାରିବେନି କିନ୍ତୁ ମନ ବୁଝିବେ ଏହି ଦମ୍ପତି, ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ନନ୍ଦିତା ଓ ମନୋଜ୍‌

ବେଦିରେ ପଡୁଛି ହାତଗଣ୍ଠି । ହୋମ ନିଆଁକୁ ସାକ୍ଷୀ ରଖି ନନ୍ଦିତାଙ୍କ ମଥାରେ ସିନ୍ଦୁର ଦେଉଛନ୍ତି ମନୋଜ୍‌ । ଆଉ ସାଥି କରିନେଉଛନ୍ତି ସାତ ଜନ୍ମ ପାଇଁ ।

ଭଦ୍ରକ (କେନ୍ୟୁଜ) : ବେଦିରେ ପଡୁଛି ହାତଗଣ୍ଠି । ହୋମ ନିଆଁକୁ ସାକ୍ଷୀ ରଖି ନନ୍ଦିତାଙ୍କ ମଥାରେ ସିନ୍ଦୁର ଦେଉଛନ୍ତି ମନୋଜ୍‌ । ଆଉ ସାଥି କରିନେଉଛନ୍ତି ସାତ ଜନ୍ମ ପାଇଁ । ଜନ୍ମ ଜନ୍ମ ପାଇଁ ସାଥି ହୋଇଗଲେ ନନ୍ଦିତା ଆଉ ମନୋଜ୍‌ । ବାହାଘର ହେଉଛି ମନ୍ତ୍ର ଉଚ୍ଛାରଣ ଚାଲିଛି, ଶଙ୍ଖ ହୁଳହୁଳି ପଡୁଛି । ଆଉ ବେଦିରେ ବସି ବାହା ହେଉଛନ୍ତି ନନ୍ଦିତା ଆଉ ମନୋଜ୍‌ । ବେଦି ପାଖରେ ଥିବା ଲୋକ ବି ଭାରି ଖୁସି ହେଉଛନ୍ତି । ଆଉ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଥିଲା ୟାକୁ ହିଁ କୁହନ୍ତି ଭଗବାନଙ୍କ ଯୋଡି । ଦେଖୁନାହାଁନ୍ତି କେମିତି ଜନ୍ମରୁ କଥାକହି ପାରୁନଥିବା ଦୁଇ ମୁକ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇ ଉଦାହରଣ ସାଜିଛନ୍ତି ।

ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଭଦ୍ରକ ସହର ନିକଟସ୍ଥ ପୂଜାରୀ ସାହି ଦଧିବାବନ ମନ୍ଦିର ପରିସରରେ । ଯାହା ଏବେ ଭାରି ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାଇ ଯାଜପୁର ବରହଟା ଗାଁର ହରିହର ପତିଙ୍କ ପୁଅ ମନୋଜ ପତି ଜନ୍ମରୁ କଥା କହି ପାରନ୍ତି ନାହିଁ । ସେ ଯାଜପୁରରେ ଏକ ବେକେରି ଫ୍ୟାକ୍ଟ୍ରୀରେ କାମ କରି ପରିବାର ଚଳାନ୍ତି । ଏତିକି ବେଳେ ତାଙ୍କର ଜଣେ ଭିନ୍ନକ୍ଷମ ସାଙ୍ଗ, ସେ ବି କଥା କହିପାରନ୍ତି ନାହିଁ, ମନୋଜଙ୍କ ପାଇଁ ବିବାହ ପ୍ରସ୍ତାବ ନେଇ ଭଦ୍ରକ ପୂଜାରୀ ସାହିର ବିଶ୍ଵନାଥ ଦାସଙ୍କ ଘରକୁ ଆସିଥିଲେ । ଏବଂ ବିଶ୍ଵନାଥଙ୍କ ମୁକ ଝିଅ ନନ୍ଦିତା ଦାସଙ୍କସହ ବିବାହ ପ୍ରସ୍ତାବ ତାଙ୍କ ସାଙ୍ଗ ସହିତ ଦେଇଥିଲେ । ପରେ ସବୁ ଦେଖାଶୁଣା ପରେ ବିବାହ ସ୍ଥିର ହୋଇ ଥିଲା ।

ବିଶ୍ୱନାଥଙ୍କର ମଧ୍ୟ ତିନି ପୁଅ ଝିଅ ମୁକ । ତେଣୁ ନିଜର ମୁକ ଝିଅକୁ ଅନ୍ୟ ଜଣେ ମୁକ ପୁଅ ସହିତ ବିବାହ ଦେବାକୁ ସେ ଉଚିତ ମନେ କଲେ । ପ୍ରସ୍ତାବଟି ଉପଯୁକ୍ତ ଲାଗିଲା ତେଣୁ ବ୍ରାହ୍ମଣ ଡାକି ବିବାହ କାର୍ଯ୍ୟ କରିଥିଲେ । ଏହି ବିବାହ ଉଭୟ ପରିବାରଙ୍କ ସହମତିରେ ଦଧିବାବନ ମନ୍ଦିର ପରିସରରେ ହୋଇଥିଲା । ସେଠାରେ ଏହି ମୁକ ଦମ୍ପତି ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସବୁଠୁ ଖାସ୍‌ କଥା ହେଉଛି ଉଭୟ ଙ୍କ ମଧ୍ୟରେ ହୋଇଥିବା ଏହି ନିଆରା ବିବାହକୁ ଦେଖିବାକୁ ସେଠାରେ ଭିଡ ମଧ୍ୟ ଲାଗିଥିଲା । ବରପକ୍ଷରୁ ଟଙ୍କାଟିଏ ବି ଦାବି କରିନଥିଲେ କିନ୍ତୁ କନ୍ୟା ପକ୍ଷରୁ ଝିଅର ବିଦାୟ ବେଳେ ଆବଶକୀୟ ଜିନିଷ ପତ୍ର ପ୍ରଦାନ କରିଥିଲେ । ସେପଟେ ଉଭୟ ଦମ୍ପତି ମୁକ ହୋଇଥିବା ବେଳେ ଉଭୟଙ୍କ ପରିବାର ବେଶ ଖୁସି ଅଛନ୍ତି ।ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ମତ ରଖିଛନ୍ତି ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା । କଥା କହିପାରୁନଥିବା ନନ୍ଦିତା ଆଉ ମନୋଜ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ଏବେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଆମ କେନ୍ୟୁଜ ତରଫରୁ ବି ନନ୍ଦିତା ଆଉ ମନୋଜଙ୍କୁ ଖୁବ୍‌ ଅଭିନନ୍ଦନ ଆଉ ଶୁଭେଚ୍ଛା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.