ବିକାଶ ଠାରୁ ବହୁ ଦୂରରେ ଭେରୁବଣିଆ ଗ୍ରାମ, ଆଜି ଯାଏ ମିଳିପାରୁନି ମୌଳିକ ସୁବିଧା

ଗାଁର ବିକାଶ ହେଲେ ସହରର ବିକାଶ ହେବ,ଏଭଳି କିଛି ଚିନ୍ତାଧାରା ନେଇ ସରକାର ଗ୍ରାମାଞ୍ଚଳର ବିକାଶ କରୁଥିବା କଥା କହୁଥିବା ବେଳେ, ଏବେବି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ଭେରୁବଣିଆ ଗ୍ରାମ । କେବେ ଏହି ଗ୍ରାମରେ ବିକାଶ ସୂର୍ଯ୍ୟ ଉଦୟ ହେଉଛି ତାହାକୁ ହିଁ ଅପେକ୍ଷା ।

କାମାକ୍ଷାନଗର(କେନ୍ୟୁଜ୍): ମନୁଷ୍ୟ ବଞ୍ଚିବା ପାଇଁ ହେଲେ ମୈାଳିକ ଅଧିକାର ଭାବରେ ଖାଦ୍ୟ,ବସ୍ତ୍ର,ବାସଗୃହ ଓ ନିତିଦିନିଆ ରାସ୍ତା ଖଣ୍ଡେ ନିହାତି ରହିବା ଦରକାର।କିନ୍ତୁ ଆଜିବି ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ମନୁଷ୍ୟ ସମାଜ ପାଖରେ ମୌଳିକ ସୁବିଧା ପହଞ୍ଚି ପାରିଲା ନାହିଁ । ପ୍ରତ୍ୟେକ ୫ବର୍ଷରେ ଥରେ ନିର୍ବାଚନ ହେଉଛି ନେତା ବଦଳୁଛନ୍ତି, ତା ସହିତ ଅଫିସର ମଧ୍ୟ ବଦଳୁଛନ୍ତି କିନ୍ତୁ ଲୋକମାନଙ୍କ ମୈାଳିକ ସମସ୍ୟା ଗୁଡିକ ବଦଳିପାରୁନି।

ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ଭେରୁବଣିଆ ବାସିନ୍ଦା ଦୈନନ୍ଦିନ ମାୈଳିକ ସୁବିଧାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହିଛନ୍ତି । ଆଜି ବି ବିକାଶର ସୂର୍ଯ୍ୟ ଉଦୟକୁ ଅପେକ୍ଷା କରିଛନ୍ତି । ଭେରୁବଣିଆ ଠାରୁ ମୁଖ୍ୟ ଗ୍ରାମ କୁହାଯାଉଥିବା ରଙ୍ଗଥଳୀକୁ ଗମନାଗମନ ପାଇଁ ୨ କିଲୋମିଟର ରାସ୍ତାଟି ସମ୍ପୂର୍ଣ୍ଣ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଏକ ନାଳ ପାର ହୋଇ ଯିବାକୁ ପଡିଥାଏ । ଲଗାଣ ବର୍ଷା ହେଲେ ଉକ୍ତ ସାହିର ୧୮ ଗୋଟି ପରିବାର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ରୁ ବଞ୍ଚିତ ହୁଅନ୍ତି। ପ୍ରତ୍ୟେକ ପରିବାରକୁ ବସୁଧା ଯୋଜନାରେ ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର ଅର୍ଥ ବ୍ୟୟ ବରାଦ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭେରୁବଣିଆକୁ ତାହା ସମ୍ଭବ ହୋଇନାହିଁ।

ଦୀର୍ଘ ବର୍ଷ ହେବ ଏକ ଖୋଲା କୂଅ ସରକାରୀ ଅର୍ଥ ବିନିଯୋଗ କରି ଖୋଳା ଯାଇଥିଲେ ମଧ୍ୟ ତାହା ବର୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଅନେକ ସମୟରେ ଛୋଟ ପିଲା, ବୃଦ୍ଧ ଲୋକ, ଗୃହ ପାଳିତ ଗୋରୁଗାଈ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ସାହି ବାସିନ୍ଦା କହିଛନ୍ତି । ପାଖରେ ଥିବା ନାଳ ଉପରେ ବର୍ଷ ସାରା ପାନୀୟ ଜଳ ପାଇ ନିର୍ଭରଶୀଳ ଅଟନ୍ତି ସାହି ବାସିନ୍ଦାମାନେ ।

ସେହିପରି ଭାବରେ ଚଳିତ ବର୍ଷ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇଥିବା ଗାଁର ଲୋକମାନେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଥିବା ଉପକରଣ ଇଟା,ବାଲି, ସିମେଣ୍ଟ,ଛଡ ନେବା ପାଇଁ ରଙ୍ଗଥଳୀ ଠାରୁ ଭେରୁବଣିଆ ପର୍ଯ୍ୟନ୍ତ ରାସ୍ତା ନଥିବା ଓ ନାଳ ପାଣି ବାଧକ ସାଜିଛି । ତିନି ମାସ ମଧ୍ୟରେ ଆବାସ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ସରକାର ବୋନସ ସୁବିଧା ଯୋଗାଇଦେବା ପାଇଁ ନିର୍ଧାରଣ କରିଥିଲେ ମଧ୍ୟ ଭେରୁବଣିଆ ପାଇଁ ତାହା ସାତସପନ ପାଲଟିଛି ।

school

ଗାଁରେ କୋମଳମତି ଶିଶୁଙ୍କ ପାଇଁ ଥିବା ଅଙ୍ଗନବାଡ଼ି କେନ୍ଦ୍ର କଥା ନକହିବା ଭଲ। ଗାଁ ଠାରୁ ଦୂର ଜଙ୍ଗଲ ଭିତରେ ଭଙ୍ଗା ଚାଳିଆ ଭିତରେ ଶିଶୁଙ୍କ ଭବିଷ୍ୟତ ।ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବିକାଶ ଦେଖି ନଥିବା ଗାଁ ହେଲା ଭେରୁବଣିଆ।ଦେହ ଖରାପ ହେଲେ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରେ ନାହିଁ। ବହୁ କଷ୍ଟରେ ରୋଗୀକୁ କାନ୍ଧ କିମ୍ବା ଭାରାରେ ବୁହାଇ ନାଳ ପାର ହେଲା ପରେ ୨କିମି ଚାଲିବା ପରେ ଆମ୍ବୁଲାନ୍ସ ଆସିଥାଏ ।

ଏହି ଖବର ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଏହାକୁ ଗୁରୁତ୍ୱର ସହିତ ନେବା ସାଙ୍ଗକୁ କହିଛି ବିଡ଼ିଓଙ୍କ ସହିତ ଆଲୋଚନା କରିବେ ଆଉ ଗାଁକୁ ଯାଇ ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ । ଗାଁର ବିକାଶ ହେଲେ ସହରର ବିକାଶ ହେବ,ଏଭଳି କିଛି ଚିନ୍ତାଧାରା ନେଇ ସରକାର ଗ୍ରାମାଞ୍ଚଳର ବିକାଶ କରୁଥିବା କଥା କହୁଥିବା ବେଳେ, ଏବେବି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି ଭେରୁବଣିଆ ଗ୍ରାମ। କିନ୍ତୁ କେତେ ବିକାଶ ହୋଇଛି ଗାଁ ଏଥିରୁ ଅନୁମାନ କରାଯାଏ । କେବେ ଏହି ଗ୍ରାମରେ ବିକାଶ ସୂର୍ଯ୍ୟ ଉଦୟ ହେଉଛି ତାହାକୁ ହିଁ ଅପେକ୍ଷା।