ଏଥର ଭାଇ ହାତରେ ବାନ୍ଧନ୍ତୁ ସଢ଼େଇ ରାକ୍ଷୀ, ରହିଛି ଖୁବ୍‌ ଟ୍ରେଣ୍ଡିଂରେ

କଣ ଆଶ୍ଚର୍ଯ୍ୟ ହେଉଛନ୍ତି କି କେମିତି ସଢ଼େଇରେ ତିଆରି ହେଉଛି ରାକ୍ଷୀ । ଯଦି ଆପଣଙ୍କୁ ଏ ରାକ୍ଷୀର ଦରକାର ତାହେଲେ ଆପଣଙ୍କୁ ଯିବାକୁ ହେବ ଚିତ୍ତରଞ୍ଜନ ଭାଇଙ୍କ ଦୋକାନକୁ ।

କଟକ (କେନ୍ୟୁଜ୍‌) : ଏଥର ଭାଇ ହାତରେ ବାନ୍ଧନ୍ତୁ ସଢ଼େଇ ରାକ୍ଷୀ । ବଜାରରେ ବିଭିନ୍ନ ଡିଜାଇନର ଭିନ୍ନ ଭିନ୍ନ ରାକ୍ଷୀ ବିକ୍ରି ହେଉଥିବାବେଳେ ଏବେ ଟ୍ରେଣ୍ଡିଂରେ ରହିଛି ନଡିଆ ସଢ଼େଇ ରାକ୍ଷୀ । କଣ ଆଶ୍ଚର୍ଯ୍ୟ ହେଉଛନ୍ତି କି କେମିତି ସଢ଼େଇରେ ତିଆରି ହେଉଛି ରାକ୍ଷୀ । ଯଦି ଆପଣଙ୍କୁ ଏ ରାକ୍ଷୀର ଦରକାର ତାହେଲେ ଆପଣଙ୍କୁ ଯିବାକୁ ହେବ ଚିତ୍ତରଞ୍ଜନ ଭାଇଙ୍କ ଦୋକାନକୁ । କଟକ କନ୍ଦରପୁର ଅଞ୍ଚଳର ବାସିନ୍ଦା ଚିତ୍ତରଞ୍ଜନ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଇଁ ନଡ଼ିଆ ସଢ଼େଇରେ ରାକ୍ଷୀ ତିଆରି କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଗତ ବର୍ଷ ବିଭିନ୍ନ ମଞ୍ଜିକୁ ବ୍ୟବହାର କରି ରାକ୍ଷୀ ତିଆରି କରି ବିକ୍ରି କରିଥିଲେ ଚିତ୍ତରଞ୍ଜନ। ଯେଉଁ ରାକ୍ଷୀକୁ ଯଦି ମାଟିରେ ପୋତି ଦିଆଯାଏ ତାହାଲେ ସେ ରାକ୍ଷୀରୁ ଗଛ ହୋଇ ପାରିଥିଲା। ଗତ ବର୍ଷ ଏହି ଏକୋ ଫେଣ୍ଡଲି ରାକ୍ଷୀ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଚିତ୍ତରଞ୍ଜନ।

ବଜାରରେ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅନେକ କିସମର ରାକ୍ଷୀ ବିକ୍ରି ହେଉଥିବା ବେଳେ ଚିତ୍ତରଞ୍ଜନ ଯାହାଙ୍କୁ ସମସ୍ତେ ଶ୍ରଦ୍ଧାରେ କାହ୍ନୁ ବୋଲି ଡାକନ୍ତି ନିଜ ହାତରେ ନଡ଼ିଆ ସଢ଼େଇରେ ବିଭିନ୍ନ ରକମର ରାକ୍ଷୀ ତିଆରି କରୁଛନ୍ତି । ରାକ୍ଷୀ ପୂର୍ଣ୍ଣିମା ପାଇଁ ସଢ଼େଇରେ ସେ କିଛି ଭିନ୍ନ ଧରଣର ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ସଢ଼େଇ କୁ କାଟି ସେଥିରେ ବିଭିନ୍ନ ଷ୍ଟାଇଲ ର ଷ୍ଟୋନ ଓ ଚୁମୁକି ବସାଇ ଏହି ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରିଥାନ୍ତି । ଶେଷରେ ଏଥିରେ ରଙ୍ଗ ଦେଇ ପ୍ୟାକିଙ୍ଗ କରି ବିକ୍ରି କରିଥାନ୍ତି । ୨୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ସଢ଼େଇ ରେ ରାକ୍ଷୀ ତିଆରି କରି ବିକିଥାନ୍ତି କାହ୍ନୁ। ଆଉ ଇଏ ସଢ଼େଇ ତିଆରି ରାକ୍ଷୀ ର ବଜାର ରେ ବେଶ ଚାହିଦା ମଧ୍ୟ ରହିଛି।

ଖାଲି ସେତିକି ନୁହେଁ ରାସ୍ତାରେ ପଡ଼ିଥିବା ଅଦରକାରୀ ବସ୍ତୁକୁ ଗୋଟାଇ ଆଣି ଏଥରେ କାହ୍ନୁ ଭରି ପାରନ୍ତି ଆକର୍ଷଣ। ନଡ଼ିଆ ସଢ଼େଇ , କାଚ ବୋତଲ ତାଙ୍କ ହାତରେ ସତେ ଯେମିତି ଜୀବନ୍ତ ହୋଇ ପଡନ୍ତି । କାହ୍ନୁ ସଢ଼େଇକୁ ବ୍ୟବହାର କରି ଫୁଲଦାନୀ, ପେନ ଷ୍ଟାଣ୍ଡ , କାର୍ଟୁନ ,ପଶୁପକ୍ଷୀ, ଠାକୁର ଙ୍କ ପ୍ରତିମୂର୍ତ୍ତି , ଚାବି ରିଙ୍ଗ ଭଳି ଅନେକ ଜିନିଷ ତିଆରି କରି ବିକ୍ରି କରିଥାନ୍ତି । କାହ୍ନୁ ପେଷାରେ ଜଣେ ଚିତ୍ରଶିଳ୍ପୀ । କାହ୍ନୁ ଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ହୋଇ ନ ଥିବାରୁ ଆରୀ ରେ ସଢ଼େଇ କୁ କାଟି ଏହି ରାକ୍ଷୀ ଓ ବିଭିନ୍ନ ସୁନ୍ଦର ସୁନ୍ଦର ଜିନିଷ ତିଆରି କରିଥାନ୍ତି । ଯଦି କାହ୍ନୁ ଙ୍କୁ କିଛି ସରକାରୀ ପ୍ରୋତ୍ସାହନ ମିଳନ୍ତା ତାହାଲେ କାହ୍ନୁ ସଢ଼େଇ ରେ ଆହୁରି ନୂତନ ଓ ଭିନ୍ନ ଭିନ୍ନ ଜିନିଷ ତିଆରି କରି ପାରନ୍ତେ ବୋଲି କାହ୍ନୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.