Below header

ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗଜପତି ଜିଲ୍ଲା ମୋହନ ବ୍ଲକ ଅଡବା ନମ୍ବର ୩ସ୍ଥିତ ଭୀମାକାଳୁଆ ମନ୍ଦିର ନିକଟସ୍ଥ ରାସ୍ତାକଡରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଅଡ଼ବାଅଂଚଳର ଭାସ୍କର ନାମକ ଜଣେ ବ୍ୟକ୍ତି ଆଜି ସନ୍ଧ୍ୟାବେଳେ ସେହିବାଟ ଦେଇ ଫେରୁଥିବା ସମୟରେ ରାସ୍ତାକଡ଼ରେ ନବଜାତ ଶିଶୁର କାନ୍ଦ ଶୁଣିଥିଲେ । ଏହାପରେ ସେ ବହୁତ ଖୋଜଖୋଜି ପରେ ରାସ୍ତା କଡରେ ଥିବା ବୁଦା ନିକଟରେ ଏକ ନବଜାତ ଶିଶୁକନ୍ୟା କାନ୍ଦୁଥିବାର ଦେଖିଥିଲେ ।

ଶିଶୁକନ୍ୟାଟିକୁ ପିମ୍ପୁଡି ଘେରି ରହିଥିବା ବେଳେ ଭାସ୍କର ନିଜ ପତ୍ନୀଙ୍କ ସହାୟତାରେ ତାକୁ ଉଦ୍ଧାର କରି ଅଡବା ଡାକ୍ତରଖାନାକୁ ଆଣିଥିଲେ । ଅଧିକ ଚିକିତ୍ସା ପାଇଁ ଶିଶୁକନ୍ୟାଟିକୁ ଆମ୍ବୁଲାନ୍ସ ଯୋଗେ ମୋହନାଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ନବଜାତ ଶିଶୁକନ୍ୟା ହୋଇଥିବାରୁ ତାକୁ ରେଡିଏଣ୍ଟ ହିଟରରେ ରଖାଯାଇ ଚିକିତ୍ସା କରାଯାଉଛି । କୌଣସି ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେଇ ରାସ୍ତାକଡ଼ରେ ଫିଙ୍ଗିଦେଇ ଯାଇଥିବା ଅନୁମାନ କରାଯାଇଥିବା ବେଳେ ଶିଶୁଟିର ସ୍ୱାସ୍ଥ୍ୟ ବର୍ତ୍ତମାନ ଠିକଥିବା ଡାକ୍ତର ନାମିତ ପଣ୍ଡା କହିଛନ୍ତି । ଚିକିତ୍ସା ପରେ ପୋଲିସ୍କୁ ଖବର ଦିଆଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ସହ ଯୋଗାଯୋଗ କରିବାରୁ ଶିଶୁଟିର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ସହ ଥାଇଥାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.