Below header

ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌-ଟ୍ରକ୍‌ ଧକ୍କା, ଜିଅନ୍ତା ଜଳି ଡ୍ରାଇଭର ମୃତ

ରାଜସ୍ଥାନର ହନୁମାନଗଡ଼ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ଜଣେ ଡ୍ରାଇଭର ଜିଅନ୍ତା ଜଳିଯାଇଥିଲେ ।

ରାଜସ୍ଥାନର ହନୁମାନଗଡ଼ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା । ଫଳରେ ଜଣେ ଡ୍ରାଇଭର ଜିଅନ୍ତା ଜଳିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏଥିରେ ଅନ୍ୟ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଲିଭାଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କ୍ରେନ୍‌ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଟ୍ରକ୍‌କୁ ଅଲଗା କରି ଦିଆଯାଇଛି । ଏହି ଦୁର୍ଘଟଣା ଟାଉନ ଥାନା ଅଧୀନ ଭାରତମାଲା ରୋଡ୍‌ରେ ବୁଧବାର ମଧ୍ୟାହ୍ନ ୧୨ଟା ବେଳେ ଘଟିଥିଲା ।

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ ଭୁଲ୍‌ ପାର୍ଶ୍ୱରୁ ଟ୍ରକ୍‌ ଆସିବା କାରଣରୁ ଏହି ଦୁର୍ଘଟଣା ଘଟିିଛି । ଥାନା ଅଧିକାରୀ ରାମଚନ୍ଦ୍ର କସଓ୍ଵା କହିଛନ୍ତି ଯେ ମୃତକଙ୍କୁ ଚିହ୍ନଟ କରାଯାଇଛି ଏବଂ ଦୁର୍ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମିଳିଥିବା ସୂଚନା ମୁତାବକ, ଏକ ଟ୍ରକ୍‌ ପିଲିବଙ୍ଗାରୁ ହନୁମାନଗଡ଼ ଆସୁଥିବା ବେଳେ ଅନ୍ୟ ଟ୍ରକ୍‌ଟି ହନୁମାନଗଡ଼ରୁ ପିଲିବଙ୍ଗା ଆଡ଼କୁ ଯାଉଥିଲା ।

ଏହି ଦୁର୍ଘଟଣା ପରେ ରାସ୍ତାରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ଲାଗି ରହିଥିଲା । କ୍ରେନ୍‌ ସାହାଯ୍ୟରେ ଉଭୟ ଟ୍ରକ୍‌କୁ ରାସ୍ତା ଉପରୁ ହଟାଯିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ପୋଲିସ କହିଛି ଯେ ଗୋଟିଏ ଟ୍ରକ୍‌ ଖାଲି ଥିବା ବେଳେ ଅନ୍ୟଟି ଟାଇଲ୍ସ ବୋଝେଇ କରି ଯାଉଥିଲା । ଏହି ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.