Below header

ଏମିତି ବଦନାମ ହେଉଛି ସମ୍ବଲପୁର ସଦର ଡାକ୍ତରଖାନା

ଗୋଟିଏ ପରେ ଗୋଟିଏ କଳା କାରନାମା ପାଇଁ ବଦନାମ ମୁଣ୍ଡାଇ ଚାଲିଛି ସମ୍ବଲପୁର ସଦର ମେଡିକାଲ । ଦୁଇବର୍ଷ ପୂର୍ବରୁ ସମ୍ବଲପୁର ଏଠାରୁ ଶିଶୁ ଚୋରି ଘଟଣା ସାରା ରାଜ୍ୟରେ ଚର୍ଚା ସୃଷ୍ଟି କରିଥିଲା । ଏହାର ଠିକ୍ ଦୁଇ ମାସ ପୂର୍ବରୁ ସଦର ମେଡିକାଲରୁ ନକଲି ଡାକ୍ତର ଧରାପଡି ଜେଲ ଯାଇଥିଲେ । ଆଉ ଏବେ ପୁଣି ନକଲି ନର୍ସ ମେଡିସିନ୍ ଓାର୍ଡରେ ୫ ଜଣଙ୍କୁ ରୋଗୀଙ୍କୁ ଇଂଜେକ୍ସନ ଦେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସିସିଟିଭି ଭିଜୁଆଲରେ ଘଟଣା ସ୍ପଷ୍ଟ ହେବା ପରେ ନକଲି ନର୍ସ ସମ୍ବଲପୁର ଏନ୍ଗୁଆ ଲେନ୍‌ର ଲିଲି ଜାଲ୍‌ଙ୍କୁ ଟାଉନଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଖାଲି ଏତିକି ନୁହେଁ, ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ପରମାନନ୍ଦ ବିନେତ୍ ଓ ଡ୍ୟୁଟିରେ ଥିବା ନର୍ସ ରଜନୀ ସାହୁଙ୍କୁ ନିଲମ୍ବନ କରାଯାଇଛି ।
ତେବେ କିଏ ଏହି ନକଲି ନର୍ସ ? କାହିଁକି ସଦର ମେଡିକାଲକୁ ଯାଇ ରୋଗୀଙ୍କୁ ଇଂଜେକ୍ସନ ଦେଇଥିଲେ ? ଏହା ପଛରେ ତାର ଉଦ୍ଦେଶ୍ୟ କଣ ଥିଲା ? କାହିଁକି ସିକ୍ୟୁରିଟି ଗାର୍ଡ ତାଙ୍କୁ ଏଭଳି ବେଆଇନ୍‌ କାମରେ ସହଯୋଗ କରିଥିଲେ ? ଏସବୁ ପ୍ରଶ୍ନ ଏବେ ଉଠିଛି ଲୋକଙ୍କ ମନରେ । ଅନ୍ୟପକ୍ଷରେ ପୋଲିସ୍‌ ସ୍ପଷ୍ଟ କରୁ ନଥିଲେ ମଧ୍ୟ ଏଇ ନକଲି ନର୍ସଙ୍କ ରହସ୍ୟମୟ କାହାଣୀ ପାନଦୋକାନଠୁ ଆରମ୍ଭ କରି ଚା’ଖଟି ଯାଏ ସବୁଠି ଚର୍ଚାରେ ଅଛି ।

NURSE_1

ଗତ ଜାନୁଆରୀ ୨୦ ତାରିଖ । ସମୟ ରାତି ୧୨ଟା ୪୨ । ଜଣେ ଅଜଣା ଯୁବତୀ ସମ୍ବଲପୁର ସଦର ମେଡିକାଲର ମେଡିସିନ୍ ଓ୍ଵାର୍ଡରେ ପଶି ଜଣକ ପରେ ଜଣେ ପାଞ୍ଚ ଜଣ ରୋଗୀଙ୍କୁ ଦେଇ ଚାଲିଲେ ଇଂଜେକ୍ସନ । ଯୁବତୀଙ୍କ ସାଙ୍ଗରେ ସିକ୍ୟୁରିଟି ଗାର୍ଡ ଥିବାରୁ ରୋଗୀ ତାଙ୍କୁ ନର୍ସ ଭାବି ସନ୍ଦେହ କରିବାର କିଛି କାରଣ ନଥିଲା । ହେଲେ ରାହୁଲ ଖୁଣ୍ଟୁଲି ନାମକ ଜଣେ ରୋଗୀଙ୍କ ଇଂଜେକ୍ସନ ନେବାର ନଥିଲା । ସେଇଠି ଉପୁଜିଲା ସନ୍ଦେହ । ସନ୍ଦେହରୁ କଥା କଟାକଟି । ପୁଣି ଯୁବତୀଙ୍କ ମୁହଁରୁ ମଦର ଗନ୍ଧ, ସନ୍ଦେହକୁ ବଢ଼ାଇ ଦେଲା । ହେଲେ ସେତେବେଳେ ବା କହିବେ କାହାକୁ । ସକାଳ ହେବାମାତ୍ରେ ଅଭିଯୋଗ କଲେ ରାହୁଲ । ତଦନ୍ତ ପରେ ସିସିଟିଭି ଭିଜୁଆଲରୁ ଧରାହେଲେ ଯୁବତୀ ।
ଚର୍ଚା ହେଉଛି ଯୁବତୀ ଜଣକ ନର୍ସଙ୍କ ଜାଗାରେ ସବୁ ଦିନ ଏଭଳି କାମ କରୁଥିଲେ । କୁଆଡେ ନର୍ସ ଛୁଟିରେ ରହି ପାରିଶ୍ରମିକ ଦେଇ ତାଙ୍କୁ ନିଜ କାମରେ ନିୟୋଜିତ କରୁଥିଲେ । କିନ୍ତୁ ଏ ଯୁବତୀକୁ କେଉଁ ଲୋଭରେ ସହଯୋଗ କରୁଥିଲେ ସିକ୍ୟୁରିଟି ଗାର୍ଡ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଯୁବତୀ ଜଣକ ଏକ ଘରୋଇ ନର୍ସିଂ ହୋମରେ ନର୍ସ କାମ ଶିଖିଥିଲେ । ନିଜ ସ୍ୱାମୀଙ୍କ ଦେହ ଅସୁସ୍ଥ ହେବାରୁ କିଛି ଦିନ ପୂର୍ବରୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରିଥିବା ବେଳ ଜଣେ ନର୍ସଙ୍କ ସହିତ ତାର ପରିଚୟ ହୋଇଥିଲା । ସେହି ନର୍ସ ଅଜଣା ଯୁବତୀଙ୍କୁ ନିଜ କାମରେ ଲଗାଇ ଛୁଟିରେ ଯାଉଥିବା ଚର୍ଚା ହେଉଛି । ସେପଟେ ସଦର ମେଡିକାଲକୁ ଯିବା ଆସିବା ବଢିବାରୁ ସିକ୍ୟୁରିଟି ଗାର୍ଡ ସହ ସହ ମଧ୍ୟ ସମ୍ପର୍କ ଗଢି ଉଠିଥିବା ଲୋକେ କହୁଛନ୍ତି । ତେବେ ପ୍ରେମ ନା ପାଉଣା କେଉଁଥି ପାଇଁ ଏତେ ରୋଗୀଙ୍କ ଜୀବନ ସହ ଖେଳିଛନ୍ତି ଯୁବତୀ ଜଣକ ସେକଥା ପୋଲିସ୍‌ ତଦନତ ପରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.