ଦିଲ୍ଲୀ-NCR ପରେ ଅହମ୍ମଦାବାଦର ୭ ସ୍କୁଲକୁ ବୋମା ଧମକ, ବିଦେଶୀରୁ ପଠାଯାଇଛି ଇମେଲ୍
ଦିଲ୍ଲୀ-ଏନ୍ସିଆର୍ ପରେ ଏବେ ଅହମ୍ମଦାବାଦ । ଅହମ୍ମଦାବାଦର ପାଖାପାଖି ୭ଟି ସ୍କୁଲକୁ ଆସିଛି ଧମକପୂର୍ଣ୍ଣ ଇମେଲ୍ । ଏହି ଇମେଲ ଜରିଆରେ ସ୍କୁଲଗୁଡ଼ିକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏଭଳି ଇମେଲ୍ ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ ।

ଦିଲ୍ଲୀ-ଏନ୍ସିଆର୍ ପରେ ଏବେ ଅହମ୍ମଦାବାଦ । ଅହମ୍ମଦାବାଦର ପାଖାପାଖି ୭ଟି ସ୍କୁଲକୁ ଆସିଛି ଧମକପୂର୍ଣ୍ଣ ଇମେଲ୍ । ଏହି ଇମେଲ ଜରିଆରେ ସ୍କୁଲଗୁଡ଼ିକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏଭଳି ଇମେଲ୍ ମିଳିବା ପରେ ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଟିମ୍ ବୋମା ନିଷ୍କ୍ରିୟକାରୀ ଦଳ ସହିତ ସ୍କୁଲରେ ପହଞ୍ଚି ତଦନ୍ତ କରୁଛି ।
ଯେଉଁ ସ୍କୁଲଗୁଡ଼ିକୁ ବୋମା ଧମକ ମିଳିଛି, ସେଥିରେ ବୋପଲସ୍ଥିତ ଡିପିଏସ୍, ଆନନ୍ଦ ନିକେତନ ସମେତ ୭ଟି ସ୍କୁଲ ରହିଛି । ଅହମ୍ମଦାବାଦର ସ୍କୁଲଗୁଡ଼ିକୁ ଦିଲ୍ଲୀ ଢାଞ୍ଚାରେ ଇମେଲ୍ ପଠାଯାଇଛି । ଯେଉଁ ଡୋମେନ୍ରୁ ଇମେଲ୍ ପଠାଯାଇଛି, ତାହା ବିଦେଶର ବୋଲି ଜଣାପଡ଼ିଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ଯଦିଓ ସ୍କୁଲ ଛୁଟି ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । କିନ୍ତୁ ଆସନ୍ତାକାଲି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଥିବାରୁ ପୋଲିସ ବର୍ତ୍ତମାନ ଆଲର୍ଟ ମୋଡ୍ରେ ରହିଛି ।
କହି ରଖୁଛୁ, କିଛି ଦିନ ତଳେ ଦିଲ୍ଲୀ-ଏନ୍ସିଆର୍ର ୨୦୦ରୁ ଅଧିକ ସ୍କୁଲକୁ ଏହିଭଳି ବୋମା ଧମକ ମିଳିଥିଲା । ଏହି ଧମପୂର୍ଣ୍ଣ ଇମେଲ୍ ପଠାଇବା ପାଇଁ ରୁଷୀୟ ମେଲିଙ୍ଗ୍ ସର୍ଭିସ୍ Mail.ru ବ୍ୟବହାର କରାଯାଇଥିଲା । ଇମେଲ୍ର ସଠିକ୍ ସୋର୍ସ ଜାଣିବା ପାଇଁ ଦିଲ୍ଲୀ ପୋଲିସ ଇଣ୍ଟରପୋଲ ଜରିଆରେ ରୁଷୀୟ ମେଲିଙ୍ଗ୍ ସର୍ଭିସ୍ ସହ ଯୋଗାଯୋଗ କରିଥିଲା । ପୋଲିସ ସିବିଆଇକୁ ମଧ୍ୟ ଚିଠି ଲେଖି ଇଣ୍ଟରପୋଲ ଚ୍ୟାନେଲ ମାଧ୍ୟମରେ ଧମକପୂର୍ଣ୍ଣ ଇମେଲ୍ ବିଷୟରେ ସୂଚନା ଉପଲବ୍ଧ କରାଇବାକୁ ଦାବି କରିଥିଲା ।
ଏହି ଘଟଣାରେ ଦିଲ୍ଲୀ ପୋଲିସ ମାମଲା ମଧ୍ୟ ରୁଜୁ କରିଥିଲା । ଏଫ୍ଆଇଆର୍ରେ କୁହାଯାଇଥିଲା ଯେ ବଡ଼ ଧରଣର ଆତଙ୍କ ସୃଷ୍ଟି କରିବା ଏବଂ ଜାତୀୟ ରାଜଧାନୀରେ ସାର୍ବଜନିକ ବ୍ୟବସ୍ଥାକୁ ବିଗାଡ଼ିବା ଉଦ୍ଦେଶ୍ୟରେ ସ୍କୁଲଗୁଡ଼ିକୁ ବୋମା ଗୁଜବ ଥିବା ଇମେଲ୍ ପଠାଯାଇଥିଲା । କହି ରଖୁଛୁ ଯେ ଦିଲ୍ଲୀ-ଏନ୍ସିଆର୍ର ୨୦୦ରୁ ଅଧିକ ସ୍କୁଲକୁୁ ମେ’ ୧ ତାରିଖ ସକାଳେ ଇମେଲ ମାଧ୍ୟମରେ ମିଥ୍ୟା ବୋମା ଧମକ ମିଳିଥିଲା ।