Below header

ପରିସ୍ରା ବାହାନାରେ କୋର୍ଟରୁ ସରପଞ୍ଚଙ୍କ ଫେରାର ଉଦ୍ୟମ, ସିନେମା ଷ୍ଟାଇଲରେ ଧରିଲା ପୋଲିସ

ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ହୋଇଥିବା ସରପଞ୍ଚଙ୍କ ପୋଲିସ ହେପାଜତରୁ ଫେରାର ଉଦ୍ୟମ । ପୁଣି ତାଙ୍କ ନାମରେ ରୁଜୁ ହେଲା ଆଉ ଏକ ମାମଲା ।

ବଲାଙ୍ଗୀର (କେନ୍ୟୁଜ): ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ହୋଇଥିବା ସରପଞ୍ଚଙ୍କ ପୋଲିସ ହେପାଜତରୁ ଫେରାର ଉଦ୍ୟମ । ପୁଣି ତାଙ୍କ ନାମରେ ରୁଜୁ ହେଲା ଆଉ ଏକ ମାମଲା । କୋର୍ଟରେ ହାଜର ହେବା ପରେ ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା ଏହାପରେ କୋର୍ଟରୁ ଫେରାର ଉଦ୍ୟମ କରିଥିଲେ । ହେଲେ ମାଡ଼ିବସିଲା ପୋଲିସ । ପରିସ୍ରା ଯିବା ବାହାନାରେ କୋର୍ଟରୁ ଫେରାର ଉଦ୍ୟମ କରିଥିଲେ ବେଲପଡା ବ୍ଲକ ଧୂମାଭଟା ସରପଞ୍ଚ ବନମାଳୀ ନାଏକ । ପୋଲିସ ବନମାଳୀଙ୍କୁ କାବୁ କରି ଜେଲକୁ ପଠାଇଛି ।

ସୂଚନା ଅନୁଯାୟୀ ବୀଣାପାଣି କଲେଜରେ ଛାତ୍ରଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସରପଞ୍ଚ ଉସକାଇବା, ଚାନ୍ଦା ମାଗିବା ଏବଂ କଲେଜ ପରିସରରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗତ ମାର୍ଚ୍ଚ ୧୧ ତାରିଖରେ ପୋଲିସ ଗିରଫ କରିଥିଲା । ବିବାହ ପାଇଁ ଗତ ମାର୍ଚ୍ଚ ୨୦ ତାରିଖରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତାଙ୍କୁ ଏକ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଗତକାଲି ଅନ୍ତରୀଣ ଜାମିନ ଅବଧି ସରିବା ପରେ ଅଦାଲତରେ ହାଜର ହୋଇଥିଲେ । କୋର୍ଟ ଜାମିନ ନାମଞ୍ଜୁର କରିବାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ପୁଣି ଗୋଡ଼ାଇ ଧରିବାରେ ସଫଳ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ଗତ ପଞ୍ଚାୟତ ନିର୍ବାଚନରେ ସେ ସରପଞ୍ଚ ଭାବରେ ବିଜୟୀ ହୋଇଥିଲେ । ତେବେ ତାଙ୍କର ଅଭିନବ ଲୋକସେବା ପାଇଁ ସେ ବେଶ ଚର୍ଚ୍ଚାରେ ମଧ୍ୟ ଥିଲେ । ତେବେ ଗତ ବର୍ଷ ୨୫ ନଭେମ୍ବରେରେ ସେ ଧୂମାଭଟା ଗ୍ରାମ ସ୍ଥିତ ବୀଣାପାଣି କଲେଜକୁ ଯାଇ କୋଶଳ ଆନ୍ଦୋଳନ ପାଇଁ ଚାନ୍ଦା ମାଗିଥିବାର ଅଭିଯୋଗ ହୋଇଥିଲା । ସେ କଲେଜରୁ ଜୋରଜବରଦସ୍ତ ୮ ହଜାର ଟଙ୍କା ଓ ରସିଦ ବହି ଲୁଟ କରିଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସମ୍ପୃକ୍ତ ସରପଞ୍ଚଙ୍କୁ ବଲାଙ୍ଗୀର ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସେପଟେ ଦୀର୍ଘ ସମୟ ଧରି ସରପଞ୍ଚ କୌଣସି ଉତ୍ତର ନଦେବାରୁ ବେଳପଡା ବିଡିଓ ବେଲପଡା ଥାନାରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଗତ ମାର୍ଚ୍ଚ ୧୨ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.