Below header

ପାଲଲହଡ଼ାରୁ ବିଜେପି ପ୍ରାର୍ଥୀ କିଏ ? ମୁଣ୍ଡୁରିବେଡ଼ା ସ୍କୁଲ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ଆଗାମୀ ବିଧାନସଭା ନିର୍ବାଚନରେ ପାଲଲହଡ଼ାରୁ ବିଜେପି ପ୍ରାର୍ଥୀ କିଏ ହେବେ? ପାଲଲହଡ଼ାରୁ ଲଢ଼ିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ? ପାଲଲହଡ଼ାର ମୁଣ୍ଡୁରିବେଡ଼ା ସ୍କୁଲ ଶତବାର୍ଷିକୀ ସମାରୋହରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏଥିରେ ଉଦବୋଧନ ଦେଇ ଧର୍ମେନ୍ଦ୍ର କହିଥିଲେ, ମୁଣ୍ଡରିବେଡ଼ା ଗ୍ରାମବାସୀ ତାଙ୍କୁ ଭୋଟ ନଦେବାରୁ ସେ ହାରିଥିଲେ । ଏଥର ତାଙ୍କୁ ଆଶୀର୍ବାଦ କରିବ କି ନାହିଁ ବୋଲି ପଚାରିଥିଲେ । ଏଥିରୁ ସେ ପାଲଲହଡ଼ା ଆସନରୁ ନିର୍ବାଚନ ଲଢ଼ିବା ନେଇ ସଂକେତ ମିଳିଛି । ୨୦୦୦ ମସିହାରେ ପାଲଲହଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର । ହେଲେ ୨୦୦୯ରେ ସେ ପରାଜିତ ହୋଇଥିଲେ ।

ଏପଟେ ପାଲଲହଡ଼ା ବିଧାୟକ ମହେଶ ସାହୁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ କେଉଁଠି ବି ଲଢ଼ିବେ ନାହିଁ । ସେ ଲଢ଼ିଲେ ବିଜେଡି ତାଙ୍କୁ ସ୍ୱାଗତ କରିବ । ବିଜେପି ୨୦୨୪ ପରେ ସ୍ୱପ୍ନ ଦେଖୁ । ବିଧାୟକ ହେବାକୁ ହେଲେ ପାଦରେ ଚାଲିବାକୁ ପଡ଼ିବ । ସେ ପବନରେ ଉପରେ ଉଡୁଛନ୍ତି ବୋଲି କହିଛନ୍ତି ମହେଶ ।

ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଛନ୍ତି । ଏହାପୂର୍ବରୁ ସେ ବିହାରରୁ ରାଜ୍ୟସଭାକୁ ଯାଇଥିଲେ । ରାଜ୍ୟରେ ମେଣ୍ଟ ସରକାର ବେଳେ ୨୦୦୪ରେ ଶେଷଥର ଦେବଗଡ଼ ଲୋକସଭା ଆସନରୁ ସିଧାସଳଖ ନିର୍ବାଚନ ଲଢ଼ି ସାଂସଦ ଥିଲେ ଧର୍ମେନ୍ଦ୍ର । ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ର ସିଧାସଳଖ ନିର୍ବାଚନ ଲଢ଼ି ରାଜ୍ୟ ରାଜନୀତିରେ ରହିବେ ନା ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.