PoKରେ ସ୍ଥିତି ଜଟିଳ, ଆନ୍ଦୋଳନ ବେଳେ ଜଣେ ପୋଲିସ ଅଧିକାରୀ ମୃତ; ୧୦୦ରୁ ଅଧିକ ଆହତ

ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ସ୍ଥିତି ଏବେ ନିୟନ୍ତ୍ରଣ ବାହାରେ । ଏଠାରେ ଗହମ ଅଟା ଓ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି ।

ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ସ୍ଥିତି ଏବେ ନିୟନ୍ତ୍ରଣ ବାହାରେ । ଏଠାରେ ଗହମ ଅଟା ଓ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପୋଲିସ କର୍ମୀ ।

‘ଡନ୍’ ଖବରକାଗଜର ରିପୋର୍ଟ ମୁତାବକ, ବିବାଦୀୟ ଅଞ୍ଚଳରେ ଶନିବାର ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି କାରଣରୁ ସମଗ୍ର ଅଞ୍ଚଳରେ ଦୋକାନ, ବଜାରଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।

ମିରପୁରର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) କାମରାନ୍‌ ଅଲି ଗଣମାଧ୍ୟମକୁ କହିଛନ୍ତି ଯେ ଇସଲାମଗଡ ସହରରେ ଛାତିରେ ଗୁଳି ବାଜିବା ପରେ ସବ୍-ଇନ୍ସପେକ୍ଟର ଅଦନାନ୍‌ କୁରେଶିଙ୍କ ମୃତ୍ୟୁ ହୋଇଛି । କୋଟଲି ଏବଂ ପୁଞ୍ଛ ଜିଲ୍ଲା ଦେଇ ମୁଜାଫରବାଦ ଯାଉଥିବା ଏକ ରାଲିକୁ ରୋକିବା ପାଇଁ କୁରେଶି ଅନ୍ୟ ପୋଲିସ କର୍ମୀଙ୍କ ସହ ମୁତୟନ ଥିଲେ ।

ପୋଲିସ ଅଧୀକ୍ଷକ କହିଛନ୍ତି, ଏହି ରାଲି ଜମ୍ମୁ କାଶ୍ମୀର ମିଳିତ ଅୱାମୀ ଆକ୍ସନ କମିଟି (ଜେଏଏସି) ବ୍ୟାନରରେ ବାହାରିଥିଲା । ଏହି ଧର୍ମଘଟ ଭିତରେ ପିଓକେର ରାଜଧାନୀ ମୁଜାଫରବାଦର ବିଭିନ୍ନ ଅଞ୍ଚଳରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମୁଜାଫରବାଦ ଡିଭିଜନ ଏବଂ ପୁଞ୍ଛ ଡିଭିଜନରେ ସମ୍ପୂର୍ଣ୍ଣ ଧର୍ମଘଟ ହୋଇଛି । ଆଞ୍ଚଳିକ ସରକାର ବ୍ୟାପକ ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ବହୁ ସଂଖ୍ୟକ ପୋଲିସ କର୍ମୀଙ୍କୁ ଡକାଇଛନ୍ତି ।

ଆନ୍ଦୋଳନକାରୀମାନେ ପଥର ଓ ବୋତଲ ଫିଙ୍ଗିବା ଆରମ୍ଭ କରିବା ପରେ ପୋଲିସ କିଛି ଅଞ୍ଚଳରେ ଲୁହବୁହା ଗ୍ୟାସ ଛାଡ଼ିଥିଲା ଏବଂ ଫାଙ୍କା ଗୁଳିଚାଳନା କରିଥିଲା । କୋଟଲି ଏସ୍‌ଏସ୍‌ପି ମୀର ମହମ୍ମଦ ଆବିଦ୍ କହିଛନ୍ତି, ଜିଲ୍ଲାରେ ବିରୋଧ ପ୍ରଦର୍ଶନ ଆଳରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୭୮ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.