Below header

ଗାଁରେ ପରିବା ବିକୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆସିଗଲା ୪ କୋଟି, କିଛି କ୍ଷଣ ପରେ ଭାଙ୍ଗିଗଲା ସୁନେଲି ସ୍ବପ୍ନ

ଟିକିଏ ଭାବନ୍ତୁ ତ, ଜଣେ ଗରିବ ଲୋକ ପାଖରେ ପରିବାର ଚଳାଇବା ପାଇଁ ପଇସା ନାହିଁ। ଆଉ ଏହି ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି କୋଟି କୋଟି ଟଙ୍କା। ଉତ୍ତର ପ୍ରଦେଶରେ ଘଟିଥିବା ଏଭଳି ଏକ ଘଟଣା ଜଣେ ପରିବା ବିକାଳିଙ୍କ ଖୁସିକୁ ଦୁଇଗୁଣ କରିଦେଇଥିଲା, ହେଲେ କିଛି କ୍ଷଣ ପରେ ତାହା ଏକ ସୁନେଲି ସ୍ବପ୍ନ ଭଳି ପ୍ରମାଣ ଦେଇଥିଲା।

ବ୍ୟାଙ୍କ ଖାତାରେ ୪ କୋଟି ଟଙ୍କାର ଜମା ରାଶି ଦେଖି ବ୍ୟକ୍ତି ଜଣକ ନିଜ ଭବିଷ୍ୟତ ଜୀବନ କଥା ମଧ୍ୟ ଭାବି ନେଇଥିଲେ। ଏପରି କି, ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଜଣାଇ ଦେଇଥିଲେ। କିନ୍ତୁ ତାଙ୍କର ଏହି ଖୁସି ବେଶି ସମୟ ରହି ନ ଥିଲା।

ଆଉକାଣ୍ଟରେ ଟଙ୍କା ଦେଖି ଆଖି ଖୋସି ହୋଇଗଲା

ଉତ୍ତର ପ୍ରଦେଶ ଇଟାୱା ଜନପଦର ଏକ ଛୋଟିଆ ଗାଁ ‘ଲୱେଦି’ରେ ରହୁଥିବା ଦୀପକ ସିଂ ରାଜାୱତ୍ ନାମକ ଏହି ବ୍ୟକ୍ତି ପରିବା ଦୋକାନ କରି ପରିବାର ଚଳାନ୍ତି। ତାଙ୍କର ଷ୍ଟେଟ୍ ବ୍ୟାଙ୍କର ଲୱେଦି ଶାଖାରେ ସଞ୍ଚୟ ଖାତା ରହିଛି। ସୋମବାର ସେ ଟଙ୍କା ଉଠାଣ ସମୟରେ ଯେତେବେଳେ ଆକାଉଣ୍ଟରେ ଏଣ୍ଟ୍ରି କରାଇଥିଲେ, ସେତେବେଳେ ଜମା ରାଶି ୩ କୋଟି ୯୪ ଲକ୍ଷ ଟଙ୍କା ଦେଖି ତାଙ୍କ ଆଖି ଖୋସି ହୋଇଯାଇଥିଲା। ଦୀପକ ବ୍ୟାଙ୍କ ମ୍ୟାନେଜରଙ୍କୁ ଏ ବିଷୟରେ ଜଣାଇବା ପରେ ବ୍ୟାଙ୍କ ମ୍ୟାନେଜର ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ଓ ଉଠାଣ ଉପରେ ରୋକ୍ ଲଗାଇଦେଲେ।

ତେବେ ଷ୍ଟେଟ୍ ବ୍ୟାଙ୍କର ଲୱେଦି ଶାଖା ମ୍ୟାନେଜର ବିଜୟ କୁମାର କହିଥିଲେ ଯେ ସର୍ଭର ଡାଉନ୍ ଯୋଗୁ ପାସବୁକରେ ଭୁଲ୍ ପ୍ରିଣ୍ଟ୍ ହୋଇଯାଇଥିଲା, ଯାହାକୁ ଠିକ୍ କରିଦିଆଯାଇଛି। ଆକାଉଣ୍ଟଧାରୀଙ୍କ ଖାତାରେ ୩୯ ହଜାର ଟଙ୍କା ଜମା ଅଛି। ଆକାଉଣ୍ଟରେ କୌଣସି ରୋକ୍ ଲାଗିନି। କେବଳ ତାହାକୁ ହୋଲ୍ଡରେ ରଖାଯାଇଛି। ଏହାକୁ ଠିକ୍ କରିଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.