Below header

ମା’ ନା ଡାହାଣୀ! ସ୍ୱାମୀଠୁ ପ୍ରତିଶୋଧ ନେବାକୁ ପୁଅକୁ ପାଣି ବୁଡ଼ାଇ ମାରିଲା ଜନ୍ମ କଲା ମା’

ମା’ଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ଜନ୍ମ ହେବା ପୂର୍ବରୁ ହିଁ ମା’ ସହ ପିଲାର ସମ୍ପର୍କ ଗଢ଼ିଉଠେ। ଏଣୁ ସଂସାରର ସବୁଠାରୁ ମଜଭୁତ ସମ୍ପର୍କ ହୋଇଥାଏ ମା’ ସହ ଛୁଆର। ଯେତେ ଝଡ଼ଝଞ୍ଜା, ବିପଦ ଆପଦ ଆସିଲେ ମଧ୍ୟ ପିଲାକୁ ଛାଡ଼ି ମା’ କେବେ ବି ଯାଇନଥାଏ। କିନ୍ତୁ ରାଜସ୍ଥାନରେ ଏକ ଏଭଳି ଘଟଣା ଘଟିଛି ଯେଉଁଥିରେ ମା’ ଭଗବାନ ନୁହେଁ ବରଂ ପାଲଟିଯାଇଛି ପିଶାଚିନୀ। ଏଠାରେ ପ୍ରତିଶୋଧ ନେବାକୁ ଏକ ମା’ ନିଜ ଜନ୍ମ କଳା ସନ୍ତାନର ଜୀବନ ନେବାକୁ ମଧ୍ୟ ପଛାଇନାହିଁ। ସ୍ୱାମୀଠାରୁ ପ୍ରତିଶୋଧ ନେବାରୁ ନିଜ ଅନ୍ତ ଚିରି ଜନ୍ମ ଦେଇଥିବା ଛୁଆକୁ ପାଣିରେ ବୁଡ଼ାଇ ମାରିଛି ମା’।

ରାଜସ୍ଥାନର ଝୁଂଝୁନୁର ପୋଲିସ ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ଶର୍ମାଙ୍କ ସୂଚନାନୁସାରେ ବୁଢ଼ାନିଆ ଗାଁର ପନ୍ନରାମ ନାମକ ଜଣେ ବ୍ୟକ୍ତି ସକାଳେ ମନ୍ଦରେଲା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ କେହି ତାଙ୍କ ୪ ବର୍ଷର ପୁତୁରା ଓ ଭାଉଜ ସୁନିତାଙ୍କ ହାତର ଶିରା କାଟିଦେଇଛି। ଏଥିରେ ତାଙ୍କ ପୁତୁରାର ମୃତ୍ୟୁ ଘଟିଛି।

baby-death

ପୋଲିସ ତଦନ୍ତ କରିବା ପାଇଁ ଏକ ଡଗ ସ୍କ୍ଵାର୍ଡ ଟିମ୍‌ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଡଗ୍‌ସ୍କ୍ଵାର୍ଡ ରକ୍ତ ଲଗା ଏକ ବ୍ଲେଡ୍‌ ସୁନିତାଙ୍କ ଖଟ ଉପରୁ ପାଇଥିଲେ। ଏଥିସହ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଖଟରେ ମଧ୍ୟ ରକ୍ତ ଲାଗିଥିଲା। ଫଳରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା। ଏଣୁ ପୋଲିସ ସୁନିତାଙ୍କ ସମେତ ପରିବାରର ସମସ୍ତ ସଦସ୍ୟଙ୍କୁ ପଚରାଉଚୁରା କରିଥିଲା। ଶେଷରେ ସୁନିତା ନିଜେ ଛୁଆକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏଥିସହ ପୋଲିସକୁ ଭୁଆଁ ବୁଲାବାକୁ ନିଜ ହାତର ଶିରା କାଟି ଦେଇଥିବା ମାନିଥିଲା।

ପୁଅକୁ ମାରିବାର କାରଣ ପଚାରିବାକୁ ସୁନିତା କହିଥିଲା ଯେ ତା’ ସ୍ୱାମୀ ତା’ ଚରିତ୍ରକୁ ନେଇ ସବୁବେଳେ ସନ୍ଦେହ କରୁଥିଲେ। ଏଣୁ ପ୍ରତିଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏଥିରେ ବିରକ୍ତ ହୋଇ ସେ ଛୁଆକୁ ମାରିବାକୁ ନିଷ୍ପତ୍ତି ନେଇଥିଲା। ୪ ବର୍ଷର ପୁଅକୁ ସେ ପାଣି ଟାଙ୍କିରେ ବୁଡ଼ାଇ ହତ୍ୟା କରିଥିବା ମାନିଥିଲା। ପୋଲିସ ସୁନିତାର ବୟାନ ପରେ ତାକୁ ଗିରଫ କରିଥିବା ଜଣାଯାଇଛି। ତେବେ ବାପାମା’ଙ୍କ ଝଗଡ଼ା ପାଇଁ ଏକ ନିଷ୍ପାପ କଅଁଳ ଶିଶୁକୁ ନିଜ ଜୀବନ ହରାଇବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.