Below header

ପାପାଙ୍କୁଶ ଏକାଦଶୀ : ସମସ୍ତ ପାପର ପ୍ରାୟଶ୍ଚିତ ହେବ, ମନ ଏବଂ ଆତ୍ମା ଶୁଦ୍ଧ ହେବ

ପାପାଙ୍କୁଶ ଏକାଦଶୀ କରିବା ଦ୍ୱାରା ଏକ ହଜାର ଅଶ୍ୱମେଧ ଏବଂ ଶହେ ସୂର୍ଯ୍ୟ ଯଜ୍ଞ କରିବାର ଫଳ ପ୍ରାପ୍ତି ହୋଇଥାଏ । ଏହି ଏକାଦଶୀ ଦିନ ଯେଉଁ ବ୍ୟକ୍ତି ଉଜାଗର ରହିଥାନ୍ତି ସେ ସ୍ୱର୍ଗର ଅଧିକାରୀ ହୋଇଥାନ୍ତି । ଆଜିର ଦିନରେ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ପାପାଙ୍କୁଶ ଏକାଦଶୀ ବ୍ରତ ପାଳନ କରାଯାଏ । ଆଶ୍ୱିନ ଏକାଦଶୀରେ ଏହି ବ୍ରତ କରିବା ଦ୍ୱାରା ସମସ୍ତଙ୍କର କଲ୍ୟାଣ ହୋଇଥାଏ । ଏହି ଦିନ ଭଗବାନ ଶ୍ରୀ ହରିଙ୍କୁ ଶ୍ରଦ୍ଧା ଏବଂ ଭକ୍ତିର ସହ ସେବା କରିବା ଉଚିତ । ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ଭଗବାନ ବିଷ୍ଓୁଙ୍କର ପଦ୍ମନାଭ ସ୍ୱରୂପ ପ୍ରତିମା ପୂଜା କରିଥାନ୍ତି । ପ୍ରତ୍ୟେକ ଏକାଦଶୀର ଭିନ୍ନ ଭିନ୍ନ ମହତ୍ୱ ରହିଥାଏ କିନ୍ତୁ ପାପାଙ୍କୁଶ ଏକାଦଶୀ କରୁଥିବା ବ୍ୟକ୍ତିଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ ସମସ୍ତ ପାପର ପ୍ରାୟଶ୍ଚିତ ହୋଇଥାଏ । ଏହି ବ୍ରତ କରିବା ଦ୍ୱାରା ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ ।

ପାପାଙ୍କୁଶ ଏକାଦଶୀ କରିବା ଦ୍ୱାରା ଏକ ହଜାର ଅଶ୍ୱମେଧ ଏବଂ ଶହେ ସୂର୍ଯ୍ୟ ଯଜ୍ଞ କରିବାର ଫଳ ପ୍ରାପ୍ତି ହୋଇଥାଏ । ଏହି ଏକାଦଶୀ ଦିନ ଯେଉଁ ବ୍ୟକ୍ତି ଉଜାଗର ରହିଥାନ୍ତି ସେ ସ୍ୱର୍ଗର ଅଧିକାରୀ ହୋଇଥାନ୍ତି । ଆଜିର ଦିନରେ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ପଦ୍ମ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ସୁନା, ତେଲ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଏବଂ ଛତା ଦାନ କରିଥାନ୍ତି ସେହି ବ୍ୟକ୍ତିମାନେ ଯମରାଜଙ୍କ ଦର୍ଶନ କରିନଥାନ୍ତି ।

ଏକାଦଶୀ ବ୍ରତ ରଖିବାର ନିୟମ :

ଏକାଦଶୀ ବ୍ରତ ପାଳନ କରିବା ପାଇଁ ସକାଳୁ ସ୍ନାନ କରିବା ପରେ ପରିସ୍କାର ବସ୍ତ୍ର ପିନ୍ଧି ବ୍ରତ ରଖିବା ସଂକଳ୍ପ କରନ୍ତୁ । ଭଗବାନଙ୍କ ବ୍ରତ ସଙ୍କଳ ନେବା ପରେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନରେ ରଖି ମନ୍ତ୍ର ଜପ କରନ୍ତୁ । ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରିବା ସହିତ ଦ୍ୱାଦଶୀ ତିଥିରେ ବ୍ରତ ପାରଣ କରିବେ । ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଚଢାଇବା ଦ୍ୱାରା ଭଗବାନଙ୍କ କୃପା ଶୀଘ୍ର ମିଳିଥାଏ ।

ପାପାଙ୍କୁଶ ଏକାଦଶୀ କଥା :

ପ୍ରାଚୀନ ଯୁଗରେ ବିନ୍ଦ୍ୟ ପର୍ବତ ଉପରେ ଜଣେ ନିଷ୍ଠୁର ପକ୍ଷୀ ଶିକାରୀ ରହୁଥିଲେ । ଶିକାରୀ ଜଣକ ସାରା ଜୀବନ ହିଂସା, ଚୋରି କରିବା ଏବଂ ମଦ୍ୟପାନ ଭଳି ଭୁଲ କାମ କରୁଥିଲେ । କିନ୍ତୁ ଯେତେବେଳେ ତାଙ୍କର ଅନ୍ତିମ ସମୟ ଆସିଲା ଯମରାଜାଙ୍କ ଦୂତମାନେ ତାଙ୍କ ନିକଟରେ ପହଞ୍ଚିଥିଲେ ଏବଂ କାଲି ତୁମ ଜୀବନର ଅନ୍ତିମ ଦିନ ଆମେ ତୁମକୁ ନେବାକୁ ଆସିବୁ ବୋଲି କହି ଚାଲିଯାଇଥିଲେ । ଏହିକଥା ଶୁଣିବା ପରେ ଶିକାରୀ ଜଣକ ଖୁବ୍ ଭୟଭୀତ ହୋଇ ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ପହଞ୍ଚିଥିଲେ । ମହର୍ଷିଙ୍କ ପାଦ ତଳେ ପଡ଼ି ପ୍ରାର୍ଥନା କରିବା ପରେ ମହର୍ଷି ଅଙ୍ଗିରା ପକ୍ଷୀ ଶିକାରୀର ପ୍ରାର୍ଥନାରେ ପ୍ରସନ୍ନ ହୋଇ କହିଥିଲେ ତୁମେ ଆସନ୍ତା କାଲି ଆସୁଥିବା ଆଶ୍ୱିନ ଶୁକ୍ଳ ଏକାଦଶୀ ବ୍ରତ ବିଧି ପୂର୍ବକ ପାଳନ କର। ଏହାପରେ ଶିକାରୀ ଜଣକ ଏହି ବ୍ରତ କରିବା ଦ୍ୱାରା ଭଗବାନଙ୍କ କୃପାରେ ବିଷ୍ଣୁ ଲୋକକୁ ଚାଲିଯାଇଥିଲେ । ଯମରାଜଙ୍କ ଦୂତମାନେ ଏହି ଚମତ୍କାର ଦେଖିବା ପରେ ପୂନର୍ବାର ଯମଲୋକକୁ ଫେରିଯାଇଥିଲେ ।

ଭଗବାନ ପଦ୍ମନାଭ ହୋଇଥାନ୍ତି ପ୍ରସନ୍ନ :

ପାପାଙ୍କୁଶ ଏକାଦଶୀ ଦିନ ଗରୁଡ ଉପରେ ବରାଜମାନ କରିଥିବା ଭଗବାନ ବିଷ୍ଣୁଙ୍କ ଦିବ୍ୟ ରୂପ ପୂଜା କରାଯାଇଥାଏ । ଏକାଦଶୀ ଦିନ ସକାଳୁ ଉଠି ସ୍ନାନ କାର୍ଯ୍ୟ ସାରିବା ପରେ ବ୍ରତ ସଂକଳ୍ପ କରିବା ଉଚିତ । ଭଗବାନ ବିଷ୍ଣୁଙ୍କୁ ଚନ୍ଦନ, ଅକ୍ଷତ, ଫଳ, ଫୁଲ ଆଦି ଅର୍ପଣ କରନ୍ତୁ । ଏହାପରେ ଏକାଦଶୀ ବ୍ରତ କଥା ଶୁଣିବା ଉଚିତ । ଏଥିସହ ‘ଓଁ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.