Below header

ଆଜି ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ବଡ଼ ଠାକୁର: ଲାଗି ହେବେ ମାମୁଁଘର ଆସିଥିବା ନୂଆ ପାଟବସ୍ତ୍ର

ଆଜି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଆଜି ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗି କରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ । ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ ।

ପୁରୀ (କେନ୍ୟୁଜ): ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରର ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ହଳଦୀ ପତ୍ର ପିଠା ଭୋଗ ହେବା ସହ ବଡ଼ ସନ୍ତାନଙ୍କୁ ଦୂବ , ଚାଉଳ ଦେଇ ବନ୍ଦାପନା କରାଯାଇଥାଏ। ଦେବଦେବୀଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଚଳିତ ହୋଇଥାଏ। ଆଜି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ।

ଆଜି ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗି କରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ । ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହ ମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା ,ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି । ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତତ୍ପରେ ବେଶ ସୁଦୁସୁଆର ଠା କରିବା ପରେ ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି। ଏହି ପୂଜା ଶେଷ ପରେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠି ସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ ।

ସେପଟେ, ମହାପ୍ରଭୁଙ୍କ ପଢୁଆଁ ପାଇଁ ମାମୁଁ ଘରୁ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲା ପୋଢୁଆଁ ଭାର । ମାମୁଁଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଏହି ପୋଢୁଆଁ ଭାର ଆସିଛି । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଆସିଛି । ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ , ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ଶ୍ରୀମାଧବଜିଉଙ୍କ ପକ୍ଷରୁ ପଢ଼ୁଆଁ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.