ବାଟ ବଦଳାଇଲା ସାମୁଦ୍ରିକ ବାତ୍ୟା ‘ବାୟୁ’ : ଗୁଜରାଟରେ ଲ୍ୟାଣ୍ଡ୍ଫଲ୍ ନକରି ବେରାବଲ୍,ପୋରବନ୍ଦର ଓ ଦ୍ୱାରକା ପାଖ ଦେଇ ଜଳପଥରେ କରିବ ଅତିକ୍ରମ
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସାମୁଦ୍ରିକ ବାତ୍ୟା ‘ବାୟୁ’ ଗୁଜରାଟରେ ଲ୍ୟାଣ୍ଡ୍ଫଲ୍ କରିବ ନାହିଁ । ଏହା ବେରାବଲ୍, ପୋରବନ୍ଦର, ଦ୍ୱାରକା ପାଖ ଦେଇ ଏହା ଜଳପଥରେ ଅତିକ୍ରମ କରିବ। କିନ୍ତୁ ଏହାର ବିଶେଷ ପ୍ରଭାବ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳ ପଡ଼ିବ। ଯାହା ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟାର ପରିବ୍ୟାପ୍ତି ରହିଛି ପ୍ରାୟ ୯୦୦ କିଲୋମିଟର୍। ତେଣୁ ବାତ୍ୟାର ଆଖି ପୋର୍ ବନ୍ଦର୍ ଉପରେ ମାଡ଼ ନ ହୋଇ ବି ବାତ୍ୟାର ବାହ୍ୟ ଅଂଶ ସ୍ଥଳଭାଗରେ ମାଡ଼ ଖାଇବାର ସମ୍ଭାବନା ରହିଛି। ଯେଉଁଥି ପାଇଁ ପୂର୍ବରୁ ହୋଇଥିବା ପ୍ରସ୍ତୁତିରେ କୋହଳ ନ କରିବାକୁ ମୁମ୍ବାଇ ପାଣିପାଗ ବିଭାଗ ଚେତାବନୀ ଦେଇଛି।
ଏନ୍ଡିଆର୍ଏଫ୍ ପକ୍ଷରୁ ସେମାନେ ସତର୍କ ଥିବା କୁହାଯାଇଛି। ଆଜି ସକାଳେ କୋଷ୍ଟ୍ ଗାର୍ଡ ଡିଜାଷ୍ଟର୍ ରିଲିଫ୍ ଆଣ୍ଡ୍ ରେସ୍କ୍ୟୁ ଟିମ୍ ପୋରବନ୍ଦରରେ ପହଞ୍ଚିଛି। ବେରାବଲ୍ର ଦକ୍ଷିଣ ପଶ୍ଚିମକୁ ୧୩୦ କିଲୋମିଟର ଦୂରରେ ଉଗ୍ର ସାମୁଦ୍ରିକ ବାତ୍ୟା ‘ବାୟୁ’ କେନ୍ଦ୍ରୀଭୂତ ହୋଇଥିବା ବେଳେ ଆଇସିଜି ଟିମ୍ ଗୁଜରାଟ ଉପକୂଳର ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।